ସୁନ୍ଦରଗଡ଼: ଚାରିଆଡ଼େ ପାହାଡ଼, ମଝିରେ ଗାଁ ରାକସଖୋଲ। ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ୍ ଡୁମାବାହାଲ ପଞ୍ଚାୟତର ଏହି ଆଦିବାସୀ ଗାଁକୁ ଯିବାକୁ ହେଲେ ପାହାଡ଼ିଆ ପାଦ ଚଲା ବାଟରେ ୩ କିଲୋମିଟର ଉଠିବାକୁ ପଡ଼ିବ। କେହି ସହରୀ ଲୋକ ଥରେ ସେ ସେଠାକୁ ଗଲେ ଆଉ କେବେ ଯିବା କଥା ହୁଏତ ଭାବିବ ନାହିଁ। କିନ୍ତୁ ବର୍ଷ ପରେ ବର୍ଷ, ପିଢ଼ି ପରେ ପିଢ଼ି ସେହି ଚଲାବାଟରେ ହିଁ ଯେଉଁମାନଙ୍କ ଯାତ୍ରା, ସେମାନେ ଆଉ କୁଆଡ଼େ ଯିବେ। କେବଳ ବଡ଼ମାନେ ଯେ ପାଦଚଲା କଷ୍ଟ ଭୋଗୁଛନ୍ତି ତାହା ନୁହେଁ, କୁନି କୁନି ପିଲା ମଧ୍ୟ ପାଠ ପାଇଁ ୩ କିଲୋମିଟର ପାହାଡ଼ିଆ ରାସ୍ତାରେ ଯିବାଆସିବା କରୁଛନ୍ତି। ଗାଁରେ କେବେ କାହାର ଯଦି ଦେହ ଖରାପ କି କେହି ଗର୍ଭବତୀ ପ୍ରସବ ବେଦନାରେ ଛଟପଟ ହେଲା ତ କଥା ସରିଲା। ଖଟ ଦୋଳା ହିଁ ଭରସା। ଭାଗ୍ୟ ଟାଣ ଥିଲେ ରୋଗୀ ହସ୍ପିଟାଲ ପହଞ୍ଚେ। ସେହିପରି ଅନ୍ୟ ଏକ ଅପହଞ୍ଚ ଗାଁ ହେଲା ଭାଲୁବାହାଲ। ଜିଲ୍ଲା ସଦରମହକୁମାରୁ ମାତ୍ର ୧୫ କିଲୋମିଟର ଓ ତସଲାଡିହି ପଞ୍ଚାୟତରୁ ୮ କିଲୋମିଟର ଦୂରରେ ରହିଛି ଏହି ପାହାଡ଼ି ଗାଁ। କିଛି ଦୂର ପକ୍କା ରାସ୍ତାରେ ଗଲେ ଆଗକୁ ୫ କିଲୋମିଟର ପଥୁରିଆ ଓ ମାଟିର ସରୁବାଟଟେ ଗାଁକୁ ଉଠିଯାଇଛି। ଲୋକେ ଏବେ ବି ବାଇକରେ ରୋଗୀଙ୍କୁ ବୋହି ତଳକୁ ଆଣୁଥିବା ଅଭିଯୋଗ କରନ୍ତି। ୨୦୧୮ ଅକ୍ଟୋବର ୩୦ରେ ତତ୍କାଳୀନ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନା ବାଇକରେ ବସି ଉଠାପକା ରାସ୍ତାରେ ପହଞ୍ଚିଥିଲେ ଗାଁକୁ। ପ୍ରଥମ କରି ଜିଲ୍ଲାପାଳଙ୍କୁ ଦେଖି ଲୋକେ କୁରୁଳି ଉଠିଥିଲେ। ସ୍କୁଲ, ବିଜୁଳି, ପାନୀୟ ଜଳ ସୁବିଧା ପହଞ୍ଚିବ, କିଛି ନହେଲେ ବି ପାହାଡ଼ ଉପରକୁ ପାଦଚଲା ବାଟରେ ଉଠିବାର ଦୁଃଖ ତ ନିଶ୍ଚୟ ଘୁଞ୍ଚିବ ବୋଲି ଗାଁ ଲୋକେ ଆଶା କରିଥିଲେ। ଜିଲ୍ଲାପାଳ ମଧ୍ୟ ଦୁଃଖ ପ୍ରକାଶ କରିବା ସହ ଦେଇଥିଲେ ଅନେକ ମିଠା ପ୍ରତିଶ୍ରୁତି। ସେତେବେଳେ ଜିଲ୍ଲାପାଳ ଓ ଏ ଭାଲୁବାହାଲ ଗଣମାଧ୍ୟମର ଚର୍ଚ୍ଚିତ ଶିରୋନାମା ପାଲଟିଥିଲା।

Advertisment

publive-image

ଏବେ ତାଙ୍କ ଗସ୍ତକୁ ୫ ବର୍ଷ ବିତିଗଲାଣି। କିନ୍ତୁ ଗାଁର ଉଠାପକା ରାସ୍ତାର ଯନ୍ତ୍ରଣା ଏବେ ବି ସେମିତି ରହିଛି। କେବଳ ଏ ଦୁଇ ଗାଁ ନୁହେଁ, ପାଦ ଚଲା ବାଟର ବିଡ଼ମ୍ବନା ସହ ପିଢ଼ି ପିଢ଼ି ଧରି ବାଟ ଚାଲୁଛନ୍ତି ଜିଲ୍ଲାର ୧୩ଟି ବ୍ଲକର ବଣମୁଲକରେ ଥିବା ୧୨୦ଟି ଗାଁ ବା ପଡ଼ା। ଏକ ତଥ୍ୟାନୁସାରେ, ବାଲିଶଙ୍କରା ବ୍ଲକର ୭ଟି ପଡ଼ା, ବଡ଼ଗାଁ ବ୍ଲକର ୨ଟି ପଡ଼ା, ବିଶ୍ରା ବ୍ଲକର ୪ଟି ପଡ଼ା, ବଣାଇଁ ବ୍ଲକର ୫ଟି ପଡ଼ା, କୋଇଡ଼ା ବ୍ଲକର ୯ଟି ପଡ଼ା, ଲହୁଣିପଡ଼ା ବ୍ଲକର ୩ଟି ପଡ଼ା, ଲାଠିକଟା ବ୍ଲକର ୫ଟି ପଡ଼ା, ଲେଫ୍ରିପଡ଼ା ବ୍ଲକର ୭ଟି ପଡ଼ା, ରାଜଗାଙ୍ଗପୁର ବ୍ଲକର ୩୦ଟି ପଡ଼ା, ସବଡେଗା ବ୍ଲକର ୪ଟି ପଡ଼ା, ଟାଙ୍ଗରପାଲି ବ୍ଲକର ୨ଟି ପଡ଼ା, କୁଆରମୁଣ୍ଡା ବ୍ଲକର ୧୯ ପଡ଼ା ଓ ନୂଆଗାଁ ବ୍ଲକର ୧୨ଟି ପଡ଼ାକୁ ସବୁଦିନିଆ ରାସ୍ତା ନାହିଁ। ଫଳରେ ଲୋକଙ୍କ ପାଇଁ ଯାତାୟତ ଦୁର୍ବିସହ ହୋଇପଡ଼ିଛି। ସ୍ବାଭାବିକ ଭାବେ ସରଳ ଆଦିବାସୀ ନିଜ ଅଧିକାର ପାଇଁ ବିଶେଷ ସଚେତନ ନୁହନ୍ତି। ପାଦଚଲା ବାଟର ଦୁଃଖକୁ କପାଳର ଲେଖା ବୋଲି ଧରି ନେଇଥିବାବେଳେ ବିକାଶର ବାଟ ପାଇଁ ସ୍ବର ଉଠାଇପାରୁ ନାହାନ୍ତି। ଆଉ ଗୁରୁତର ରୋଗୀ ଓ ପ୍ରସବ ବେଦନାରେ ଛଟପଟ ଅନ୍ତଃସତ୍ତ୍ବାଙ୍କୁ ଦୋଳାରେ ବୋହି ପାହାଡ଼ ଉପରୁ ଉତାରି ଝରଣା, ନାଳ ଡେଇଁ ଦୂର ବାଟରେ ଅଟକିଥିବା ଆମ୍ବୁଲାନ୍ସ ପାଖକୁ ପହଞ୍ଚାଉଛନ୍ତି।

ରାସ୍ତା ନଥିବାରୁ ଏହି ଗାଁ କୁନି ପିଲା ମଧ୍ୟ ଦୂର ସ୍କୁଲକୁ ଯାଇ ପାଠ ପଢ଼ିବା ସମ୍ଭବ ହେଉ ନାହିଁ। ଅଭିଭାବକ ପାହାଡ଼ିଆ ରାସ୍ତାରୁ ଦୂର ସ୍କୁଲକୁ ଛାଡ଼ିବାକୁ ନିରାପଦ ମଣୁ ନାହାନ୍ତି। ରାସ୍ତା ନଥିବାରୁ ବିକାଶ ପହଞ୍ଚିପାରୁ ନଥିବା ଏସବୁ ଗାଁ ଅନ୍ଧାରି ଜୀବନ ଜିଉଁଛନ୍ତି ବୋଲି କୁହାଯାଇପାରେ। ଗାଁକୁ ସଂଯୋଗ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ, ବିଜୁ ପକ୍କା ସଡ଼କଠାରୁ ଆରମ୍ଭ କରି ପଞ୍ଚାୟତ ଓ ଜିଲ୍ଲାସ୍ତରରେ ଅନେକ ଯୋଜନା ରହିଛି। ଏହା ବ୍ୟତୀତ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଓ ଓଡ଼ିଶା ଖଣି କ୍ଷେତ୍ରାଞ୍ଚଳ ଉନ୍ନୟନ ନିଗମରେ ରହିଛି ହଜାର ହଜାର କୋଟି। ଏହା ସତ୍ତ୍ବେ ପାହାଡ଼, ଜଙ୍ଗଲ ଘେରା ଗାଁ ସବୁ ସେମିତି ପାଦଚଲା ବାଟର ଦୁର୍ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି। ରାସ୍ତା କୌଣସି ଗାଁ କି ଅଞ୍ଚଳର ବିକାଶର ବାହକ ହୋଇଥାଏ। ଯେଉଁଠି ସାଧାରଣ ଭାବେ ଯାତାୟତ ପାଇଁ ରାସ୍ତା ଖଣ୍ଡେ ନଥାଏ, ତାହା ଅପହଞ୍ଚ, ଅଭିଶପ୍ତ ଉପତ୍ୟକାର ପରିଚୟ ନେଇ କଲବଲ ହେଉଥାଏ। କିନ୍ତୁ ଗୋଟିଏ ପଟେ ସରକାର ସୁରକ୍ଷିତ ଓ ସମୟୋଚିତ ଯାତାୟତ ନାମରେ ୪ ଥାକିଆ ଓ ୬ ଥାକିଆ ଏକ୍ସପ୍ରେସ ନିର୍ମାଣ କରୁଥିବା ବେଳେ ଏବେ ବି ସୁନ୍ଦରଗଡ଼ର ଶତାଧିକ ଗାଁ, ପଡ଼ାକୁ ଯିବା ପାଇଁ ପିଚୁ ବା ପକ୍କା ସଡ଼କ କଥା ଛାଡ଼, ସାମାନ୍ୟ କଚ୍ଚା ରାସ୍ତାଟେ ବି ନାହିଁ। ସ୍ବାଧୀନତାର ୭୬ ବର୍ଷ ବିତାଇଥିବା ଏସବୁ ଗାଁ ପାଇଁ ଏହା ଠାରୁ ବଳି ବିଡ଼ମ୍ବନା ଆଉ କ’ଣ ଥାଇପାରେ।