ପାରଳାଖେମୁଣ୍ଡି :ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଗଜପତି ଜିଲ୍ଲାରେ ବହୁ ପୌରାଣିକ ଓ ଐତିହାସିକ କିମ୍ବଦନ୍ତୀ ଆଧାରିତ ପର୍ଯ୍ୟଟନସ୍ଥଳୀ, ଝରଣା ଓ ଜଳପ୍ରପାତ ରହିଛି। ପର୍ଯ୍ୟଟନ କ୍ଷେତ୍ରରେ ବିଶେଷ କରି ମହେନ୍ଦ୍ରଗିରି ପାହାଡ଼ ପୂର୍ବ ଭାରତରେ ସର୍ବୋଚ୍ଚତମ ମାନ୍ୟତା ବଜାୟ ରଖିଛି। ଆଉ ଜିଲ୍ଲାରେ ପ୍ରବାହିତ ହେଉଥିବା ଅନେକ ଝରଣା ଓ ଜଳପ୍ରପାତ ଆଦି ପ୍ରକୃତିର ବିସ୍ମୟ ବୋଲି କହିଲେ ଅତ୍ୟୁକ୍ତି ହେବନି। କିଛି ପର୍ଯ୍ୟଟନସ୍ଥଳୀ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଅଧୀନରେ ଆସୁଥିବା ବେଳେ ଅନେକ ଐତିହ୍ୟସ୍ଥଳୀ ଦୃଷ୍ଟି ଆଢ଼ୁଆଳରେ ସେମିତି ପଡ଼ି ରହିଛି।

Advertisment

ଗଣ୍ଡାହାତୀ, ଗୁଦଗୁଦା ଓ ଖସଡ଼ା ଭଳି କିଛି ଜଳପ୍ରପାତ ପର୍ଯ୍ୟଟନ ବିଭାଗ ଅଧୀନରେ ଏବଂ ତାଲିକାରେ ରହିଛି। ସେହିପରି ଅନେକ ଛୋଟବଡ଼ ପର୍ଯ୍ୟଟନସ୍ଥଳୀ ରହିଛି, ଯାହା ପର୍ଯ୍ୟଟନବିଭାଗର ମାନ୍ୟତା ପାଇ ନଥିଲେ ମଧ୍ୟ ସ୍ଥାନୀୟ ବାସିନ୍ଦା ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଏଗୁଡ଼ିକ କେବଳ ବଣଭୋଜି କେନ୍ଦ୍ର ଭାବେ ଲୋକପ୍ରିୟତା ହାସଲ କରିପାରିଛି। କାଶୀନଗର ବ୍ଲକ୍‌ର ପୁଲୁଗୁମି, ବଂଶଧାରା ନଦୀପଠା, ଗୁମ୍ମା ବ୍ଲକ୍‌ର ତାରାତାରିଣୀ ଝରଣା (ସେରଙ୍ଗ), ଆମ୍ବଝରି ଡ୍ୟାମ୍‌, ହୋମ୍‌ଫାର୍ମ ଭଳି ଛୋଟ ଓ ମନଲୋଭା ପର୍ଯ୍ୟଟନସ୍ଥଳୀ ରହିଛି। ମୋହନା ବ୍ଲକର ହରଭଙ୍ଗା ଡ୍ୟାମ୍‌, ଫୁଲଛାଞ୍ଚୁଣି ନାଳ, ହାତୀଶୁଣ୍ଢ ଝର, ରା.ଉଦୟଗିରି ବ୍ଳକ୍‌ର ମାଙ୍କଡ଼ଡିଆଁ, କବାଟ ନାଳ, ଲୁହାଖୁଣ୍ଟି, ଘୋଡ଼ାଶାଳ ଜଳପ୍ରପାତ, ରାୟଗଡ଼ ବ୍ଲକର ଇନ୍ଦିରାଖାଡ଼ି ଜଳପ୍ରପାତ, ଗଙ୍ଗାବାଡ଼ ସ୍ଥିତ ଲୁଣ୍ଡା ଜଳପ୍ରପାତ, ବଡ଼ଶୋଡାର ଭୀମ ଜଳପ୍ରପାତ, ତଳସିନ୍ଦିବା ଜଳପ୍ରପାତ, ମୁରେଇ ସାହି ଜଳପ୍ରପାତ, କେରଡାଙ୍ଗ ସ୍ଥିତ ମହେନ୍ଦ୍ରତନୟା ଶିବଲିଙ୍ଗ ଝର ଓ ନୂଆଗଡ଼ ବ୍ଳକ୍‌ର କିଞ୍ଚରଲଙ୍ଗ ଝରଣା ପ୍ରମୁଖ ପର୍ଯ୍ୟଟକଙ୍କୁ ସର୍ବଦା ଆକୃଷ୍ଟ କରୁଛି। ଏଥିମଧ୍ୟରୁ କିଛି ବଡ଼ ଜଳପ୍ରପାତକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ନିଜ ଅଧୀନକୁ ନେଇ ଲୋକଲୋଚନକୁ ଆଣିବାର ଆବଶ୍ୟକତା ରହିଛି।

ଏଥି ମଧ୍ୟରୁ ବହୁ ଜଳପ୍ରପାତ ନିକଟରେ ପହଞ୍ଚିବା ପାଇଁ ଚଲାପଥର ଆବଶ୍ୟକ ପଡ଼ିଥାଏ। ରାଜ୍ୟ ପର୍ଯ୍ୟଟନ ବିଭାଗ କିଛି ହାତଗଣତି ଅଞ୍ଚଳର ଭିତ୍ତିଭୂମି ବିକାଶ ଦାୟିତ୍ବ ନିଜ ହାତକୁ ନେଇଥିବା ବେଳେ, ମାଙ୍କଡ଼ଡିଆଁ, ଇନ୍ଦିରଖାଡ଼ି ଓ ଲୁଣ୍ଡା ଜଳପ୍ରପାତ ଭଳି ଅଞ୍ଚଳକୁ ପହଞ୍ଚିବା ପାଇଁ ଗମନାଗମନର ସୁବିଧା କରିବା ସହ ଏହାର ଅଧିକ ପ୍ରଚାରପ୍ରସାର କରିବା ପାଇଁ ଦାବି ହୋଇଛି। ତେବେ ଇତିମଧ୍ୟରେ ରାଜ୍ୟ ଶକ୍ତି ବିଭାଗ ତରଫରୁ ରା. ଉଦୟଗିରି ବ୍ଳକ୍‌ର ମାଙ୍କଡ଼ଡିଆଁ ଜଳପ୍ରପାତରୁ ୩୬ ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ପ୍ରକଳ୍ପ ପାଇଁ ପ୍ରାଥମିକ ସର୍ଭେ କାର୍ଯ୍ୟ ସରିଥିବା ସୂଚନା ମିଳିଛି।