ମାଓ ପ୍ରଭାବିତ ଖଡ଼ିଆଳ ବ୍ଲକ୍‌ର‌ ଦୁର୍ଗମ ସମାଡ଼ପଦର ଗାଁକୁ ଯିବା ପାଇଁ ରାସ୍ତା ନାହିଁ, ଦୁର୍ବିସହ ଜୀବନ ଜିଉଁଛନ୍ତି ଗ୍ରାମବାସୀ

ଖଡ଼ିଆଳ : ମାଓ ପ୍ରଭାବିତ ଖଡ଼ିଆଳ ବ୍ଲକ୍‌ ଅନ୍ତର୍ଗତ ରାଣୀମୁଣ୍ଡା ଗ୍ରାମ ପଂଚାୟତର ଦୁର୍ଗମ ସମାଡ଼ପଦର ଗାଁକୁ ଯିବା ପାଇଁ ଆଜି ବି ଭଲ ରାସ୍ତାଟିଏ ନାହିଁ। ଫଳରେ ଗ୍ରାମବାସୀ ଦୁର୍ବିସହ ଜୀବନ ଜିଉଁଛନ୍ତି। ବିଗତ ଦିନରେ ଏହି ଗାଁକୁ ଅନେକ ରାଜନେତା ଓ ମନ୍ତ୍ରୀ ଗସ୍ତ କରି ରାସ୍ତା ନିର୍ମାଣ, ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଭଳି ମୌଳିକ ସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରଶାସନ ବି ରାସ୍ତା ନିର୍ମାଣ କାମ ଆରମ୍ଭ କରିଥିଲା। ହେଲେ ଆଜି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାମ ସରି ପାରିଲା ନାହିଁ।

ଗ୍ରାମବାସୀଙ୍କ କହିବା ଅନୁସାରେ, ଖଡ଼ିଆଳ ବ୍ଲକ୍‌ ସଦର ମହକୁମା ଠାରୁ ୨୨ କିମି ଦୂରରେ ରହିଛି ସମାଡ଼ପଦର ଗାଁ। ଗାଁର ଅଧିକାଂଶ ଲୋକ ସମ୍ପ୍ରଦାୟର। ସେମାନେ କୃଷି ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରିଥାନ୍ତି। ଗାଁକୁ ଭଲ ରାସ୍ତାଟିଏ ନଥିବାରୁ ବଣ ପାହାଡ଼ ଭିତରେ ଅଣଓସାରିଆ ପଥୁରିଆ ରାସ୍ତାରେ ଚାଲି ଚାଲି ବହୁ କଷ୍ଟରେ ଯିବାକୁ ପଡ଼ିଥାଏ। ଜରୁରୀ ସମୟରେ ରୋଗୀଙ୍କୁ ଖଟିଆରେ ବୋହି ନେବାକୁ ପଡ଼ିଥାଏ। ଏଠାରେ ପାନୀୟ ଜଳର ବି ଘୋର ଅଭାବ ରହିଛି। ହଜାରେ ଲୋକଙ୍କ ପାଇଁ ମାତ୍ର ଗୋଟିଏ ନଳକୂପ ରହିଛି। ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ହେଲେ ନିୟମିତ ଭାବେ କର୍ମୀ ଆସୁ ନାହାନ୍ତି। ସେହିପରି ପ୍ରାଥମିକ ସ୍କୁଲ ଥିଲେ ମଧ୍ୟ ଗମନା ଗମନ ଅସୁବିଧା ପାଇଁ ଶିକ୍ଷକମାନେ ସ୍କୁଲକୁ ଆସୁ ନାହାନ୍ତି। ୨୦୧୭-୧୮ ବର୍ଷରେ ଏହି ଗାଁକୁ ପ୍ରଶାସନ ପକ୍ଷରୁ ମନରେଗା ଯୋଜନାରେ ୬ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ଅଟକଳରେ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଥିଲା। ହେଲେ ତାହା ଅଧାରେ ରହିଗଲା। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସମାଡ଼ପଦର ଗ୍ରାମବାସୀ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର