ପାତ୍ରପୁର: ଗଞ୍ଜାମଜିଲ୍ଲା ପାତ୍ରପୁର ବ୍ଲକ୍ ସୁରଙ୍ଗି ପଞ୍ଚାୟତର ସିନ୍ଧୁପଙ୍କ ଗ୍ରାମ। ପାହାଡ଼ ଉପରେ ଥିବା ଏହି ଆଦିବାସୀ ବହୁଳ ଦୁର୍ଗମ ଗ୍ରାମର ଲୋକଙ୍କ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ ଭଳି ମୌଳିକ ସୁବିଧା ଆଜି ବି ସାତସପନ।  ୨୦ ପରିବାରର ପାଖାପାଖି ୧୩୦ ଜଣ ସଦସ୍ୟ ବର୍ଷ ବର୍ଷ ଧରି ଏଥିପାଇଁ ସଂଘର୍ଷ କରୁଥିବା ବେଳେ ରାସ୍ତା ନଥିବାରୁ ସରକାରଙ୍କ ସବୁ ଯୋଜନା ଅପହଞ୍ଚ। 

Advertisment

ଗ୍ରାମକୁ ପକ୍କାରାସ୍ତା ନିର୍ମାଣ ହୋଇପାରୁ ନଥିବାରୁ ପିଲାଙ୍କ ପାଠପଢ଼ାରେ ବଡ଼ ବାଧକ ସାଜିଛି। ଅଙ୍ଗନବାଡ଼ି କେନ୍ଦ୍ର ଗ୍ରାମଠୁ ଦୁଇ କିଲୋମିଟର ଦୂର ସୁରଙ୍ଗିରେ ରହିଛି। କିନ୍ତୁ କଚ୍ଚାରାସ୍ତା ଦେଇ ପିଲାମା‌ନଙ୍କୁ ଛାଡ଼ିବା ଲାଗି ଅଭିଭାବକ ଅସୁରକ୍ଷିତ ମଣୁଛନ୍ତି। ବର୍ତ୍ତମାନ ଗ୍ରାମରେ ଜନ୍ମରୁ ୫ ବର୍ଷ ମଧ୍ୟରେ ପ୍ରାୟ ୧୫ରୁ ୨୦ ପିଲା ଥିବା ବେଳେ ସେମାନେ ଅଙ୍ଗନବାଡ଼ି କେନ୍ଦ୍ର ମାଡ଼ିନାହାନ୍ତି।  ସେପଟେ ପ୍ରାଥମିକ ଶିକ୍ଷା ପାଇଁ ପାହାଡ଼ ଓହ୍ଲାଇବାକୁ ପଡ଼ୁଥିବାରୁ ବହୁ ଛାତ୍ରଛାତ୍ରୀ ବଞ୍ଚିତ ହୋଇ ରହୁଛନ୍ତି। କିଛି ଅଭିଭାବକ ପିଲାମାନଙ୍କୁ ହଷ୍ଟେଲ୍‌ରେ ଛାଡ଼ି ପାଠ ପଢ଼ାଉଛନ୍ତି। କିନ୍ତୁ ଅଧିକାଂଶ ଗାଈ ଓ ଛେଳି ଜଗୁଆଳି ସାଜୁଛନ୍ତି। ରାସ୍ତା ନଥିବାରୁ ଗର୍ଭବତୀ, ଅସୁସ୍ଥ ବୃଦ୍ଧବୃଦ୍ଧାଙ୍କୁ ଦୋଳା ଓ ଖଟିଆରେ ବୋହି ସୁରଙ୍ଗି ପର୍ଯ୍ୟନ୍ତ ଆଣିବାକୁ ପଡ଼ିଥାଏ।  ବର୍ଷା ହେଲେ ଏହି ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ‌ହୋଇଯାଏ। ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହୋଇ ଗୁରୁତର ରୋଗୀ ମୃତ୍ୟୁମୁଖରେ ପଡ଼ୁଥିବା ଗ୍ରାମବାସୀ କହିଛନ୍ତି। 

ଅନ୍ୟପକ୍ଷରେ ପିଇବା ପାଣି ପାଇଁ ଗ୍ରାମରେ ଥିବା କୂଅ ଉପରେ ବର୍ଷତମାମ ଭରସା କରିଥା’ନ୍ତି। ଖରାଦିନେ ସମସ୍ୟା ଉତ୍କଟ ରୂପ ନେଉଥିବାରୁ ଝରଣାରୁ ପାଣି ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି।  ଗ୍ରାମବାସୀ ନିଜେ ଚାନ୍ଦା ଆଦାୟ କରି ଦୁଇଟି ଟାଙ୍କି ବସାଇଛନ୍ତି। ଝରଣା ପାଣିକୁ ଟାଙ୍କିକୁ ଆଣି ବ୍ୟବହାର କରୁଛନ୍ତି। ଗ୍ରାମରେ ୧୫ ବର୍ଷ ତଳେ ସୋଲାର ଲାଇଟ୍ ଲାଗିଥିବା ବେଳେ ଏବେ ତାହା ଅଚଳ। ତେଣୁ ସଂଜ ନଇଁଲେ ଡିବିରି ହିଁ ଭରସା। ଗ୍ରାମବାସୀ କହିଛନ୍ତି, କେବଳ ଭୋଟ୍ ବେଳେ ନେତାଙ୍କ ଦେଖା ମିଳେ। ସେମାନେ ଅନେକ ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ ଫଳ ଶୂନ। ଆମେ ଆଜି ବି ପରାଧୀନ ଅଛୁ ଓ ବିକାଶ କଣ ଜାଣିନୁ ବୋଲି ଗ୍ରାମବାସୀ କହିଛନ୍ତି।