ରାସ୍ତା, ପାଣି ନାହିଁ ତ ଭୋଟ ନାହିଁ: ଫେଲ୍‌ ମାରିଲା ଶାସକ ଦଳର ଷଡ଼ଯନ୍ତ୍ର

ଶିଶୁପାଳ ହୋଇ ଫେରି ଆସିଲେ ପୋଲିଂ ପାର୍ଟି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ଦୁଣ୍ଡା ଗ୍ରାମରେ ହୋଇଥିବା ଭୋଟ ବର୍ଜନକୁ ଭରଣା ପାଇଁ ୩ କିମି ଦୂର ପାହାଡ଼ ତଳେ ସାନ ଟିକ୍ରାଗୁଡ଼ାଠାରେ ବୁଧବାର ମଧ୍ୟ ପୁନର୍ବାର ଦୁଣ୍ଡାବାସୀ ଭୋଟ ବର୍ଜନ କରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି। ଶାସକ ଦଳର ଷଡ଼ଯନ୍ତ୍ର ଫେଲ ମାରିଥିବା ବେଳେ ଶିଶୁପାଳ ହୋଇ ନିର୍ବାଚନୀ ‌ଟିମ ଫେରି ଆସିଥିଲେ। ରାସ୍ତା ନାହିଁତ ଭୋଟ ନାହିଁ, ପାଣି ନାହିଁତ ଭୋଟ ନାହିଁ ନାରା ଦେଇ ଦୁଣ୍ଡାବାସୀ ନିଜ ଜିଦରେ ଅଟଳ ରହିଛନ୍ତି।

ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍‌ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳ ଉପର ଦୁଣ୍ଡାରେ ଆଜି ଦ୍ୱିତୀୟ ଥର ପାଇଁ ଗ୍ରାମବାସୀ ଭୋଟ ବର୍ଜନ କରିଥିଲେ। ଗତ ୧୬ ତାରିଖରେ ଜୁନାଗଡ଼ ବ୍ଲକ୍‌ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା। ଜୁନାଗଡ଼ର ୩୯୦ଟି ବୁଥ୍‌ରେ ଭୋଟ ଗ୍ରହଣ ପାଇଁ ବ୍ୟବସ୍ଥା କରାଯାଇଥିଲା। ଦୁର୍ଗମ ଅଞ୍ଚଳ ଦୁନ୍ଦେଲମାଲ ପଞ୍ଚାୟତର ଉପର ଦୁଣ୍ଡା ଗ୍ରାମକୁ ଭୋଟଦାନ ନିମନ୍ତେ ପୋଲିଂ ପାର୍ଟି ଯାଇଥିଲେ। ସରକାରଙ୍କ ମୌଳିକ ଅଧିକାରରୁ ବଞ୍ଚିତ ହେଉଥିବା ଯୋଗୁଁ ଗ୍ରାମବାସୀ ଭୋଟ ବର୍ଜନ ପାଇଁ ଜିଦ ଧରିଥିଲେ।

ପରେ ଗ୍ରାମବାସୀମାନେ ପୋଲିଂ ପାର୍ଟିକୁ ଫେରାଇ ଦେଇଥିଲେ। ନିର୍ବାଚନ ସରିଲା ପରେ ପ୍ରଶାସନ ପକ୍ଷରୁ ଏକ ଟିମ ଉପର ଦୁଣ୍ଡା ଗ୍ରାମକୁ ଯାଇ ଗ୍ରାମବାସୀଙ୍କୁ ବୁଝାଇଥିଲେ। ଭୋଟ ଦେବା ପାଇଁ ସେମାନଙ୍କୁ ଭୁତାଇଥିଲେ। ‌ଏ ପରିପ୍ରେକ୍ଷୀରେ ବୁଧବାର ପ୍ରଶାସନ ପକ୍ଷରୁ ଉପର ଦୁଣ୍ଡାରେ ବୁଥ ନ କରି ନିକଟସ୍ଥ ବାଙ୍କପଲାସ ପଞ୍ଚାୟତର ସାନ ଟିକ୍ରାଗୁଡା ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ବୁଥ୍‌ କରିଥିଲେ। ଏହି ବୁଥ କେନ୍ଦ୍ର ଉପରଦୁଣ୍ଡାଠାରୁ ୩ କିମି ଦୂର ପାହାଡ଼ ତଳେ ସ୍ଥାପନ କରାଯାଇଥିଲା। ଶାସକ ଦଳ ପକ୍ଷରୁ କିଛି ଲୋକଙ୍କୁ ଟଙ୍କା ଦେଇ ପ୍ରଭାବିତ କରି ଭୋଟ କରିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି।

ଆଜି ଦୁନ୍ଦେଲମାଲ ଠାରେ ସାପ୍ତାହିକ ହାଟ ଥିବା ଯୋଗୁଁ ଉପରଦୁଣ୍ଡାରୁ ଭୋଟରମାନେ ଆସିଲେ ସେମାନଙ୍କୁ ମନେଇ ଟିକ୍ରାପଡ଼ା ବୁଥ କେନ୍ଦ୍ରକୁ ନେବେ ବୋଲି ଉଦ୍ୟମ କରିଥିଲେ। ତମାମ ଦୁଣ୍ଡାଗାଁରେ ଗ୍ରାମବାସୀ ଏକାଠି ହୋଇ କେହି ଜଣେ ବି ଭୋଟ୍‌ ଦେଇ ନଯିବା ପାଇଁ ସମସ୍ତଙ୍କୁ ହୁଇପ ଜାରି କରିଥିଲେ। ଗ୍ରାମବାସୀମାନେ ବ୍ୟାନର ଧରି ଗାଁରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜ୍ୟ ସରକାର ତୁରନ୍ତ ସେମାନଙ୍କ ପାଇଁ ରାସ୍ତା ଓ ଅନ୍ୟ ମୈାଳିକ ସୁବିଧା ତୁରନ୍ତ ଯୋଗାଇ ନଦେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଗ୍ରାମବାସୀ ଧମକ ଦେଇଛନ୍ତି। ଫଳରେ ପ୍ରଶାସନର ଷଡ଼ଯନ୍ତ୍ର ପଣ୍ଡ ହୋଇଥିଲା। ନଛୋଡ଼ବନ୍ଧା ଗ୍ରାମବାସୀ ଆଜି ମଧ୍ୟ ଦ୍ବିତୀୟ ଥର ପାଇଁ ଭୋଟ ବର୍ଜନ କରିବା ପରେ ନିର୍ବାଚନୀ ଟିମ ଶିଶୁପାଳ ହୋଇ ଫେରି ଆସିଥିଲେ। ଆଜି ସକାଳ ୭ଟାରେ ସଶସ୍ତ୍ର ‌ପୁଲିସ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ବାକ୍ସ ଜୁନାଗଡ଼ ବ୍ଲକରୁ ନିଆଯାଇ ସାନଟିକ୍ରାଗୁଡ଼ାଠାରେ ପହଞ୍ଚିଥିଲେ।

ଏହି ଟିମ ସହିତ ଜୁନାଗଡ଼ ବିଡିଓ, ପୁଲିସ ଆଇଆଇସି ଓ ଅନ୍ୟାନ୍ୟ ଅଧିକାରୀ ସାଙ୍ଗରେ ଯାଇଥିଲେ। ଅପରାହ୍‌ଣ ୩ଟା ପର୍ଯ୍ୟନ୍ତ କେହି ଭୋଟ ଦେବାକୁ ଆସି ନଥିବା ଯୋଗୁଁ ଶେଷରେ ବାଧ୍ୟ ହୋଇ ଖାଲି ଭୋଟ ବାକ୍ସ ଧରି କର୍ମଚାରୀମାନେ ଫେରି ଆସିଥିଲେ। ଜୁନାଗଡ଼ ବ୍ଲକର ଦୁଣ୍ଡା ଗ୍ରାମରେ ୨୫୬ ଜଣ ଭୋଟର ଅଛନ୍ତି। ଜୁନାଗଡ଼ ନିର୍ବାଚନମଣ୍ଡଳୀର ବିଧାୟକ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଦୁଣ୍ଡାବାସୀଙ୍କୁ ବାରମ୍ବାର ପ୍ରତିଶ୍ରୁତି ଦେଇ ଆସୁଥିଲେ ମଧ୍ୟ ଏ ଦିଗରେ ପଦକ୍ଷେପ ନେଉ ନଥିବା ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ମନ୍ତ୍ରୀ ପ୍ରତିଶ୍ରୁତି ପୂରଣ ନକରିବାରୁ ଭୋଟ ବର୍ଜନ ଶୀର୍ଷକ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଜୁନାଗଡ଼ ବିଡିଓଙ୍କ ନେତୃତ୍ବରେ ଏକ ଟିମ ଦୁଣ୍ଡା ଗସ୍ତ କରିଥିଲେ। କିନ୍ତୁ କିଛି ଫଳ ହୋଇନଥିଲା।

ସମ୍ବନ୍ଧିତ ଖବର