ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅଧିନସ୍ଥ କଳିଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କଳିଙ୍ଗାରେ ପ୍ରଥମ ଶ୍ରେଣୀ ଠାରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଉ ଥିବା ବେଳେ ଏହା ଅନେକ ମୌଳିକ ସମସ୍ୟା ଦେଇ ଗତି କରୁଥିବା ଅଞ୍ଚଳବାସୀ କହିଛନ୍ତି। ଏହି ବିଦ୍ୟାଳୟଟି ୧୫୭ ନମ୍ବର ଜାତୀୟ ରାଜପଥକୁ ଲାଗି ରହିଥିବା ବେଳେ ବିଦ୍ୟାଳୟର ୫୦ ମିଟର ପୂର୍ବରୁ ଏବଂ ୫୦ ମିଟର ପରେ ଗାଡ଼ି ଧୀରେଧୀରେ ଚଳେଇବା ନିମନ୍ତେ ସୂଚନା ଫଳକ ଲାଗିବା କଥା କିନ୍ତୁ ତାହା ଲାଗିନି କି ବିଦ୍ୟାଳୟ ସମ୍ମୁଖରେ କୌଣସି ଷ୍ଟପ୍ ବୋର୍ଡ କିମ୍ବା ସ୍ପିଡ ବ୍ରେକର ମଧ୍ୟ କରାଯାଇନାହିଁ ।
ବର୍ତ୍ତମାନ ଏହି ବିଦ୍ୟାଳୟରେ ମୋଟ ୩୩୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ବିଦ୍ୟାଳୟ ଛୁଟି ହେଲାପରେ ଛାତ୍ରଛାତ୍ରୀମାନେ ଦୌଡ଼ି ଯାଉଛନ୍ତି ହଠାତ୍ ଯଦି କାହାର କିଛି ସଡ଼କ ଦୁର୍ଘଟଣା ଘଟେ ତେବେ କିଏ ଦାୟୀ ରହିବ ବୋଲି ଅଭିଭାବକ ଏବଂ ଅଞ୍ଚଳବାସୀ ପ୍ରଶ୍ନ କରୁଛନ୍ତି। ବିଦ୍ୟାଳୟ ମଧ୍ୟରେ ଥିବା ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ନିମନ୍ତେ ଗତ ରବିବାର ଦିନ କଳିଙ୍ଗା ପଞ୍ଚାୟତବାସୀ ଏବଂ ଅଭିଭାବକ ମିଶି ସଭାଗୃହ ଠାରେ ଏକ ଜରୁରୀ ବୈଠକ କରିଥିଲେ। ଉକ୍ତ ବୈଠକରେ ନିମ୍ନ ଲିଖିତ ସମସ୍ୟା ବିଷୟ ଆଲୋଚନା କରାଯାଇଥିବା ସୂଚନା ମିଳିଛି।
୧. ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ବିଦ୍ୟାଳୟ ସମ୍ମୁଖରେ ଦୁଇଟି ଷ୍ଟପ୍ ବୋର୍ଡ, ସ୍ପିଦ୍ ବ୍ରେକର୍ ଏବଂ ଉଭୟ ୫୦ ମିଟର ପୂର୍ବରୁ ସିଗନାଲ ବୋର୍ଡ ଲଗାଇବା।
୨. ବିଶୁଦ୍ଧ ପାନୀୟ ଜଳ ନିମନ୍ତେ ଏକ ମାତ୍ର ନଳକୂପ ଅଛି ଏହା ବିଦ୍ୟାଳୟର ୩୩୪ ଜଣ ଛାତ୍ରଛାତ୍ରୀଙ୍କ ନିମନ୍ତେ ପ୍ରତ୍ୟେକଦିନ ରୋଷେଇ ଏବଂ ଶୌଚ ନିମନ୍ତେ ବ୍ୟବହାର କରୁଛନ୍ତି ଏବଂ ପାଖାପାଖି ଗ୍ରାମର ଲୋକ ମାନେ ମଧ୍ୟ ଏହା ଉପରେ ନିର୍ଭର କରୁଛନ୍ତି ତେଣୁ ଏକ ନୂତନ ନଳକୂପ ଖନନ କରିବା।
୩. ବିଦ୍ୟାଳୟ ଖେଳ ପଡ଼ିଆ ମଧ୍ୟରେ ଅତି ପୁରାତନ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଭଙ୍ଗା ଘରଟି ଅଛି, ତେଣୁ ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ନିମନ୍ତେ ଏହାକୁ ସଂପୂର୍ଣ୍ଣ ଭାଙ୍ଗି ସଫା କରି ଉପଯୁକ୍ତ ଖେଳପଯୋଗି ଖେଳ ପଡ଼ିଆ ନିର୍ମାଣ କରିବା।
୪. ୩୩୪ ଜଣ ଛାତ୍ରାଛତ୍ରୀଙ୍କ ହାରରେ ମାତ୍ର ୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି ତେଣୁ ଆବଶ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ପଦବି ପୂରଣ କରିବା।
୫. ବିଦ୍ୟାଳୟକୁ ଲାଗି ବିପଦ ସଙ୍କୁଳ ଅବସ୍ଥାରେ ଥିବା ବର ଗଛଟିକୁ ଯଥାଶୀଘ୍ର କାଟିବା। ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ନିମନ୍ତେ ଯଥାଶୀଘ୍ର ଏ ସମସ୍ୟାର ସମାଧାନ କରିବା ନିମନ୍ତେ ଅଞ୍ଚଳବାସୀ ସରକାରଙ୍କୁ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/IMG-20240115-WA0256.jpg)