ଦଶପଲ୍ଲା: ଜଙ୍ଗଲରୁ ଧ୍ବଂସ ପାଇ ଚାଲିଛନ୍ତି ବନ୍ୟପ୍ରାଣୀ। ବିଶେଷ କରି ମହାନଦୀ ବନ୍ୟପ୍ରାଣୀ ବନଖଣ୍ତ ଉପରେ ବିଭିନ୍ନ ସମୟରେ ଶିକାରୀଙ୍କ ଲୋଲୁପ ଦୃଷ୍ଟି ରହି ଆସିଛି। ଏହାର ଚତୁଃପାର୍ଶ୍ବରେ ସୁରକ୍ଷା ବଳୟ ନଥିବା ହେତୁ ଶିକାରୀମାନେ ଅଭୟାରଣ୍ୟ ମଧ୍ୟକୁ ସହଜରେ ପ୍ରବେଶ କରି ପାରୁଥିବା ବେଳେ ଅନେକ ସମୟରେ ଶିକାରୀଙ୍କ କବଳରୁ ରକ୍ଷା ପାଇବା ପାଇଁ ବିଭିନ୍ନ ବନ୍ୟଜନ୍ତୁ ଜନବସତିମୁହାଁ ହୋଇ ମୃତ୍ୟୁମୁଖରେ ପଡ଼ୁଛନ୍ତି। ୪ ଗୋଟି ବନାଞ୍ଚଳକୁ ନେଇ ମହାନଦୀ ବନ୍ୟପ୍ରାଣୀ ବନଖଣ୍ତ ଗଠିତ। ଯାହାକି ବୌଦ୍ଧର ସୀମାନ୍ତ କୁଶଙ୍ଗ ବନାଞ୍ଚଳ କାର୍ଯ୍ୟାଳୟ ସମେତ ନୟାଗଡ଼ ଜିଲ୍ଲାର ବାଣିଗୋଛା (ପୂର୍ବ), ବାଣିଗୋଛା (ପଶ୍ଚିମ) ଏବଂ ଛାମୁଣ୍ତିଆ ବନାଞ୍ଚଳ କାର୍ଯ୍ୟାଳୟ ରହିଛି। ଏହି ବନଖଣ୍ତ ମଧ୍ୟରେ ଥିବା ବାଇଶୀପଲ୍ଲୀ ଅଭୟାରଣ୍ୟ ମଧ୍ୟକୁ ଅବାଧ ପ୍ରବେଶ ଉପରେ ଯଦିଓ କଟକଣା ଜାରି କରାଯାଇଛି ଏହା କେବଳ ବାଆକୁ ବତା ସଦୃଶ। ଏହା ମଧ୍ୟରେ ବାଘ, ହାତୀ, ବାର୍‌ହା, କୁଟୁରା, ଭାଲୁ ଭଳି ଅନେକ ଦୁର୍ଲ୍ଲଭ ପ୍ରାଣୀ ରହିଛନ୍ତି। ଏହାର ଚତୁଃପାର୍ଶ୍ବରେ ସୁରକ୍ଷା ବଳୟ ନଥିବା ହେତୁ ଯାହାର ସୁଯୋଗ ନେଉଛନ୍ତି ଶିକାରୀ।

Advertisment

publive-image

ବିଭିନ୍ନ ସମୟରେ ଶିକାରୀଙ୍କ ପ୍ରାଦୁର୍ଭାବ ହେଉ କି ଅଭୟାରଣ୍ୟ ମଧ୍ୟରେ ନିଆଁ ଲାଗିଲେ ବନ୍ୟଜନ୍ତୁ ଭୟ ଓ ଆତଙ୍କରେ ଜନବସତିମୁହାଁ ହେଉଛନ୍ତି। ହେଲେ ଗତକାଲି ଜାତୀୟ ରାଜପଥ ଉପରେ ଜାତୀୟ ପଶୁ ଭଳି ଏକ ଦୁର୍ଲ୍ଲଭ ପ୍ରାଣୀର ମୃତ୍ୟୁ ହେବା ବିଭାଗୀୟ କାର୍ଯ୍ୟ ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତବର୍ଷର ସର୍ଭେ ଅନୁଯାୟୀ ଏହି ବନଖଣ୍ତ ଅଧୀନରେ ୧୭ଟି କଲରାପତରିଆ ବାଘ ଥିବା କୁହାଯାଉଛି। କିନ୍ତୁ କିଛି ବର୍ଷ ତଳେ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଅଭୟାରଣ୍ୟ ଚତୁପାର୍ଶ୍ବରେ ବନ୍ୟଜନ୍ତୁ ନିରୋଧ ସୈାର ଚାଳିତ ତାରବାଡ ନିର୍ମାଣ କରାଯାଇଥିଲା। ହେଲେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ ପାଇଁ ଗତ କିଛି ବର୍ଷ ହେଲା ଏହା ଦ୍ବଂସ ପାଇଯାଇଛି। ଯାହାକି ବିଭିନ୍ନ ସମୟରେ ଶିକାରଙ୍କ ପଞ୍ଝାରୁ ରକ୍ଷା ପାଇବା ପାଇଁ ଜନବସତି ଆଡକୁ ଚାଲିଆସି ମୃତ୍ୟୁ ମୁଖରେ ପଡିବା ସହ ଜାତୀୟ ରାଜପଥ ଉପରେ ଦୁର୍ଘଟଣାର ଶିକାର ହେଉଛନ୍ତି।

publive-image kolkatatours.in

ଏପଟେ ଦେଖିବାକୁ ଗଲେ ବୁଗୁଡାର ଉତ୍ତର ପାର୍ଶ୍ବରେ ମହାନଦୀ ବନ୍ୟପ୍ରାଣୀ ବିଭାଗର ବାଇଶୀପଲ୍ଲୀ ଅଭୟାରଣ୍ୟ ସହ ଦକ୍ଷିଣ ପାର୍ଶ୍ବରେ ବନ ବିଭାଗ (ବନଖଣ୍ତ)ର ସଂରକ୍ଷିତ ଜଙ୍ଗଲ ଅବସ୍ଥିତ। ହାତୀଙ୍କ ଚଳପ୍ରଚଳର ଏହା ମୁଖ୍ୟ ପଥ ପାଲଟିଥିବା ବେଳେ ଏହି ସଂରକ୍ଷିତ ଜଙ୍ଗଲଟି ଦଶପଲ୍ଲା ବନଖଣ୍ତର ବିରିଗଡ ପାହାଡ ସହ ଗଞ୍ଜାମର ଘୁମୁସର ବନଖଣ୍ତକୁ ସଂଯୋଗ କରୁଛି। ପ୍ରତି ମୁହୁର୍ତ୍ତରେ ବାଇଶିପଲ୍ଲୀ ଅଭୟାରଣ୍ୟରୁ ବିରିଗଡ ଏବଂ ଘୁମୁସର ବନଖଣ୍ତକୁ ହାତୀଙ୍କ ଚଳପ୍ରଚଳ ରହିଆସୁଛି। ମାତ୍ର ଖୋର୍ଦ୍ଧା–ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରିବା ସମୟରେ ହାତୀଙ୍କ ପାଇଁ ବିପଦ ରହିଛି। ଯାତାୟତ ସମୟରେ ହାତୀପଲ ଜନବସତି ମୁହାଁ ହେଉଥିବା ବେଳେ ଜାତୀୟ ରାଜପଥ ଠାରୁ ପ୍ରାୟ ୧ କିମି ଦୂର ବୃତଙ୍ଗ ନଦୀ ପର୍ଯ୍ୟନ୍ତ ୨୦୧୨/୧୩ ମସିହାରେ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ହାତୀ କରିଡର ନିର୍ମାଣ କରାଯାଇଥିଲା। ଉଭୟପାର୍ଶ୍ବ ତାରବାଡ ଦ୍ବାରା ଆବଦ୍ଧ କରାଯାଇ ସୋଲାର ସଂଯୋଗ ଦିଆଯାଇଥିଲା। ପରବତ୍ତିର୍ ସମୟରେ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବହୀନତା ପାଇଁ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ହୋଇ ପାରିନଥିବା ବେଳେ ଏହି କରିଡର ଏବେ ମାଟିରେ ମିଶିଲାଣି। ବାଆକୁ ବତା ଭଳି କେବଳ ରାସ୍ତା ପାର୍ଶ୍ବରେ ଟଙ୍ଗା ଯାଇଥିବା ହୋଡିଂରେ ହାତୀଙ୍କ ସୁରକ୍ଷା କରାଯାଉଛି।

ଅନ୍ୟପଟେ ପ୍ରତିବର୍ଷ ଜଙ୍ଗଲ ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସରକାର ଲକ୍ଷଲକ୍ଷ ଟଙ୍କା ବ୍ୟୟ କରି ଚାଲିଥିବା ବେଳେ ବନ୍ୟଜନ୍ତୁଙ୍କ ପାଇଁ ଉପଯୁକ୍ତ ସୁରକ୍ଷା ବଳୟ ନଥିବା ହେତୁ ବିଭିନ୍ନ ସମୟରେ ଶିକାରୀଙ୍କ ଲୋଲୁପ ଦୃଷ୍ଟିର ଶିକାର ହେବା ସହ ରାଜପଥ ଉପରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ତେବେ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଉପଯୁକ୍ତ ସୁରକ୍ଷା ବଳୟ ନିର୍ମାଣ କରିବା ଆବଶ୍ୟକ ହୋଇ ପଡିଛି।