ବାରବାଟୀ ଟିକେଟ ବିବାଦ: ସିଇଓ କହିଲେ- ପାସ୍‌ କେଳେଙ୍କାରୀ ସ‌ହ ‘ଓସିଏ’ର ସଂପର୍କ ନାହିଁ

କଟକ: ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗତ ୧୨ ତାରିଖରେ ୨ୟ ଟି-୨୦ ମ୍ୟାଚ ଖେଳାଯାଇଥିଲା । କିନ୍ତୁ ଏହି ମ୍ୟାଚ ପାଇଁ ଟିକେଟ ବିବାଦ ଆରମ୍ଭ ହୋଇଯାଇଛି। ଷ୍ଟାଡିୟମରେ ପ୍ରବେଶ ପାଇଁ ପାସ କେଳେଙ୍କାରୀ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ ନକଲି ଟିକେଟ ଓ ପାସ ଫଟୋ ଭାଇରାଲ ହେବା ପରେ ଓଡ଼ିଶା କ୍ରିକେଟ ଆସୋସିଏସ୍‌ (ଓସିଏ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସୁବ୍ରତ ବେହେରା ପ୍ରତିକ୍ରିୟା ରଖିଛନ୍ତି।

ଶ୍ରୀ ବେହେରା କହିଛନ୍ତି ଯେ, ପାସ କେଳେଙ୍କାରୀ ସହ ଓସିଏର କୌଣସି ସମ୍ପର୍କ ନାହିଁ। ଓସିଏକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି। ସେ ଆହୁରି କହିଛନ୍ତି, ମ୍ୟାଚ ପରେ ନକଲି ପାସ ଭାଇରାଲ ଓସିଏକୁ ବଦନାମ କରିବାକୁ ଚକ୍ରାନ୍ତ ହେଉଛି । ଘଟଣା ସହିତ ଓସିଏର କୌଣସି ସମ୍ପର୍କ ନାହିଁ। ଓସିଏ ଏଭଳି ପାସ କି ଟିକେଟ ପ୍ରସ୍ତୁତ କରିନାହିଁ। ନକଲି ପାସ କରିବା ଦ୍ବାରା ଆମେ ବଦନାମ ହେଉଛୁ ବୋଲି କହିଛନ୍ତି ଓସିଏ ସିଇଓ । ପ୍ରତି ଗେଟ୍‌ରେ ଟିକେଟ ଭାଲିଡେଟର ରହିଥିଲେ । ଦର୍ଶକଙ୍କ ପ୍ରବେଶ ସମୟରେ କୌଣସି ଟିକେଟ ନକଲି ଥିଲେ ସେମାନେ ସେଠାରେ ତାହା ଜଣାପଡିଯାଇଥାନ୍ତା। କାରଣ ଟିକେଟ୍‌ ପାଇଁ ସ୍କାନିଂ ବ୍ୟବସ୍ଥା ରହିଥିଲା।

ତେବେ ଦଳୀୟ କ୍ରିୟ୍ୟୁ ସଦସ୍ୟ କିପରି ଷ୍ଟାଡିୟମ ଭିତରକୁ ପ୍ରବେଶ କରିବା କଥାକୁ ମିଥ୍ୟା ବୋଲି କହିଛନ୍ତି। ବାଟବାଟୀରେ ମ୍ୟାଚ ନ କରେଇ ଦେବାକୁ ପୂର୍ବରୁ ଉଦ୍ୟମ ହୋଇଥିଲା । ମ୍ୟାଚ କିପରି ବନ୍ଦ ହେବ ସେ ନେଇ ବହୁ ଚେଷ୍ଟା ବି କରାଯାଇଥିଲା। ମ୍ୟାଚ ସୁରୁଖୁରୁରେ ସମ୍ପୂର୍ଣ୍ଣ ହୋଇଥିବା ନେଇ ଏବେ କିଛି ଲୋକ ଏପରି ମିଥ୍ୟା ଅଭିଯୋଗ ଆଣି ଓସିଏକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ନିର୍ଦ୍ଦିଷ୍ଟ ଦଳ ନାଁ ଲେଖି ପାସକୁ ଭାଇରାଲ କରାଯାଉଛି । ଓସିଏ ପକ୍ଷରୁ କୌଣସି ଭୁଲ ନାହିଁ ବୋଲି କହିଛନ୍ତି ସିଇଓ । ଏ ଦିଗରେ ଏକ ଅନ୍ତରୀଣ ତଦନ୍ତ କରାଯିବ । ଯାହାର ନିଷ୍କର୍ସ ଶୀଘ୍ର ଆସିବ ବୋଲି କହିଛନ୍ତି ଶ୍ରୀ ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର