ରାଇଘର: ଛତିଶଗଡ଼ର ଦନ୍ତେୱାଡାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ପୋରଣ ଘଟଣାରେ ୧୦ ଯବାନ ଓ ଜଣେ ଡ୍ରାଇଭର ସହିଦ ହୋଇଥିବା ବେଳେ ଓଡ଼ିଶା ସୀମାନ୍ତକୁ ଲାଗିଥିବା ପାଞ୍ଚଟି ଜିଲ୍ଲାକୁ ହାଇଆଲୋର୍ଟ ଜାରି କରାଯାଇଛି। ଓଡ଼ିଶା ପୁଲିସ ସୀମାନ୍ତ ଜିଲ୍ଲାଗୁଡ଼ିକରୁ ଛତିଶଗଡ଼କୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକରେ ଯାଞ୍ଚ କଡ଼କଡ଼ି କରୁଛି। କିନ୍ତୁ ନବରଂଗପୁର ଜିଲ୍ଲା ରାଇଘରକୁ ଯୋଡୁଥିବା ୧୪ଟି ରାସ୍ତା ମୁକୁଳା ହୋଇ ପଡ଼ିଛି।
ଓଡ଼ିଶା ସୀମାନ୍ତରେ ରହିଥିବା ଉଦନ୍ତି ଏବଂ ସୀତାନଦୀ ବ୍ୟାଘ୍ର ଅଭୟାରଣ୍ୟରେ ବୁଧବାର ମାଓବାଦୀ ଓ ଏସଓଜି ଯବାନଙ୍କ ମଧ୍ୟରେ ଗୁଳ ବିନିମୟ ମଧ୍ୟ ହୋଇଥିଲା। ଫଳରେ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବା ସହିତ ଛତିଶଗଡ଼ ସୀମାନ୍ତର ସମସ୍ତ ରାସ୍ତା ସିଲ୍ କରିବା ସହିତ ଉଭୟ ରାଜ୍ୟକୁ ଯାତାୟତ କରୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ପୁଲିସକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।
ଆଜି ରାଇଘର ଠାରୁ କୁନ୍ଦେଇ ଦେଇ ଛତିଶଗଡ଼କୁ ଯାଉଥିବା ମୁଖ୍ୟରାସ୍ତାରେ କୁନ୍ଦେଇ ପୁଲିସର ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି କରୁଥିବା ଦେଖିବାକୁ ମିଳିଛି। ସୀମାନ୍ତ ଗ୍ରାମ ଖିଲୋଲି ଠାରେ ମୁଖ୍ୟ ରାସ୍ତା ଦେଇ ଆସୁଥିବା ସମସ୍ତ ଗାଡ଼ି ମଟର ଗୁଡ଼ିକ ଯାଞ୍ଚ କରିବା ସହିତ ଲୋକଙ୍କ ପରିଚୟ ଓ ଠିକଣା ବିଷୟରେ ସୂଚନା ସଂଗ୍ରହ କରୁଥିବା ମିଳିଛି। ଯେପରି ଓଡ଼ିଶା ଭିତରକୁ ମାଓବାଦୀଙ୍କ ପ୍ରବେଶ ଉପରେ ନଜର ଦିଆଯାଉଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।
ଅପରପକ୍ଷରେ ଛତିଶଗଡ ସୀମାକୁ ଲାଗି ରହିଥିବା ନବରଙ୍ଗପୁର ଜିଲ୍ଳାର ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ, ଖୁଡ଼ୁକୁ, ମହଣ୍ଡ , ଟିମନପୁର, ହାତୀଗାଁ, କାଉଡୋଳା ଓ ନାକଟିସିମୋଡା ଭଳି କିଛି ପଂଚାୟତ ଛତିଶଗଡ଼କୁ ଲାଗି ରହିଥିବା ବେଳେ ଛୋଟ ବଡ଼କୁ ମିଶାଇ ପ୍ରାୟ ୧୪ ଗୋଟି ରାସ୍ତା ରହିଥିବା ଜଣାପଡ଼ିଛି। ତେବେ ଏହି ରାସ୍ତା ଉପରେ ପୁଲିସ ପ୍ରଶାସନ ପକ୍ଷରୁ ସେଭଳି କିଛି ଯାଞ୍ଚ କରୁଥିବା ଦେଖିବାକୁ ମିଳିନଥିବା ଯୋଗୁଁ ସେ ସବୁ ମୁକୁଳା ପଡ଼ିଥିବା ଦେଖିବାକୁ ମିଳିଛି। ଏଥିସହିତ ରାଇଘର ଅଂଚଳରେ ଛତିଶଗଡ଼ ସୀମାନ୍ତର ପ୍ରାୟ ୭୦ ଭାଗ ଜଂଗଲ ରହିଥିବାରୁ ମାଓବାଦୀଙ୍କ ପ୍ରବେଶ ଉପରେ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି।