ରାଉରକେଲା: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବେଦବ୍ୟାସର ସୌନ୍ଦର୍ଯ୍ୟକରଣ ପାଇଁ ପାଣି ବୋହିଲା ପରି କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ଓ ସ୍ମାର୍ଟସିଟିରୁ ଅର୍ଥ ବିନିଯୋଗ ହୋଇ ସାରିଛି। ଏବେ ପୁଣି ରାଜ୍ୟ ସରକାର ୧୪ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ହେଲେ ପାଣ୍ଠିର ସଠିକ୍‌ ବିନିଯୋଗ ହେଉଛି କି ନାହିଁ, ତା’ର ସଠିକ୍‌ ତଦାରଖ କରାଯାଉ ନାହିଁ। ବେଦବ୍ୟାସ ପ୍ରବେଶ ପଥରୁ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୨ କି.ମି. ରାସ୍ତାରେ ଲାଗିଥିବା ଦାମି ଚାରା (ପାମ୍‌ ଟ୍ରି)ର ଅବସ୍ଥାକୁ ଦେଖିଲେ ଜଣାପଡ଼ୁଛି। ଗତ ପ୍ରାୟ ୩ ବର୍ଷ ତଳେ ରାସ୍ତା ମଝିରେ ସୌନ୍ଦର୍ଯ୍ୟକରଣ ପାଇଁ କୁଆରମୁଣ୍ଡା ରେଞ୍ଜ ପକ୍ଷରୁ ଡିଏମ୍‌ଏଫ୍ ପାଣ୍ଠିରୁ ପ୍ରାୟ ୧୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ଲାଗିଥିବା ପାମ୍‌ ଟ୍ରି। ସିମେଣ୍ଟ କୁଣ୍ଡ, ଜାଲି ଓ ଟ୍ରି ବାବଦରେ ଗୋଟାକୁ ପ୍ରାୟ ୩ ହଜାରରୁ ସାଢ଼େ ୩ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଦୁଇ କିମି. ରାସ୍ତାରୁ ପ୍ରାୟ ଦେଢ଼ କି.ମି. ରାସ୍ତା ମଝିରେ ପାଖାପାଖି ୪ଶହରୁ ଅଧିକ ଗଛ ଲାଗିଥିଲା।

Advertisment

ରକ୍ଷଣାବେକ୍ଷଣ ଦାୟିତ୍ବ ଥିଲା କୁଆରମୁଣ୍ଡା ରେଞ୍ଜର। ଦାମି ଗଛ ଲାଗିବାର ପ୍ରାୟ ବର୍ଷେ ସବୁ ଠିକ୍‌ଠାକ୍‌ ଥିଲା। ସିମେଣ୍ଟ କୁଣ୍ଡରେ ଡିଏମ୍ଏଫ୍‌ ଲେଖା ବି ଯାଇଥିଲା। ପରବର୍ତ୍ତୀ ସମୟରେ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବ ଓ ପାଣି ଅଭାବରୁ ଗଛଗୁଡ଼ିକୁ ଗୋଟିଏ ପରେ ଗୋଟିଏ ମରିବାକୁ ଲାଗିଲା। ସିମେଣ୍ଟ ଖୁଣ୍ଟ ଭାଙ୍ଗିଲା। ଗଛ ମରିଯିବାରୁ କୁଣ୍ଡ ଚାରିପାର୍ଶ୍ବରେ ଥିବା ଜାଲି ଚୋରି ହେଲା। ଏବେ ସ୍ଥିତି ଏମିତି ହୋଇଛି ଯେ, ପ୍ରାୟ ୪୦୦ରୁ ୪୦ଟି ବି ଗଛ ଦେଖିବାକୁ ମିଳୁନି। ମଝି ରାସ୍ତାରେ କେବଳ ଭଙ୍ଗା ସିମେଣ୍ଟ କୁଣ୍ଡ, କେତୋଟି ଜାଲି ଦେଖାଯାଉଛି। କିଛି ସ୍ଥାନରେ ସିମେଣ୍ଟ କୁଣ୍ଡ ଭାଙ୍ଗି ମାଟିରେ ମିଶିଯାଇଛି। ଅନ୍ୟ କିଛି ସ୍ଥାନରେ କୁଣ୍ଡ କି ଜାଲି ନାହିଁ। ଡିଏମ୍‌ଏଫ୍‌ ପାଣ୍ଠିରୁ ଏମିତି ଅପବ୍ୟୟକୁ ନେଇ ସ୍ଥାନୀୟ ଲୋକ ଓ ବେଦବ୍ୟାସ ବୁଲି ଆସୁଥିବା ପର୍ଯ୍ୟଟକମାନେ ପ୍ରଶ୍ନ ଉଠାଇଛନ୍ତି।

publive-image

ବେଦବ୍ୟାସ ମୁଖ୍ୟ ଗେଟ୍‌ରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ମଝିର ସୌନ୍ଦର୍ଯ୍ୟକରଣ ନାଁରେ ହରିଲୁଟ୍‌ କରିଥିବା ଠିକା ସଂସ୍ଥା ଓ ତଦାରଖ ଦାୟିତ୍ବରେ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକତା ରହିଛି। ଯଦି ମନ୍ଦିର ଯିବାକୁ ରାସ୍ତାର ସୌନ୍ଦର୍ଯ୍ୟକରଣ ଏମିତି ? ତେବେ ମନ୍ଦିର ଚତୁଃପାର୍ଶ୍ବ ବିକାଶ କେମିତି ହେଉଥିବ ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି। ଚାଲିଥିବା ଓ ଆଗାମୀ ଦିନରେ ହେବାକୁ ଯାଉଥିବା କାମର ମାନକୁ ନେଇ ବେଦବ୍ୟାସ ଟ୍ରଷ୍ଟ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ଦରକାର। ନ ହେଲେ ବେଦବ୍ୟାସର ସୌନ୍ଦର୍ଯ୍ୟ ‌ନଷ୍ଟ ହେବ। ବର୍ଷକୁ ବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ବୁଦ୍ଦିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ କୁଆରମୁଣ୍ଡା ରେଞ୍ଜର ପି. ସରାଫଙ୍କୁ ପଚାରିବାରୁ ଏମିତି ସ୍ଥିତି ସମ୍ପର୍କରେ ମୋ ପାଖରେ ଖବର ନାହିଁ। ଦେଖିଲା ପରେ କ’ଣ ହୋଇଛି କହିପାରିବି ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ, ବେଦବ୍ୟାସରେ ହେବାକୁ ଯାଉଥିବା ଝୁଲାପୋଲ ସେମିତି ପ୍ରସ୍ତାବରେ ଅଟକିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ମୁଖ୍ୟମନ୍ତ୍ରୀଙ୍କୁ ଅନେକବାର ଚିଠି ଲେଖିଛନ୍ତି। ବେଦବ୍ୟାସପୀଠ ବିକାଶ ମଞ୍ଚ, ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ଦାବି ହୋଇଛି। ନିକଟରେ ମଞ୍ଜୁର ପାଣ୍ଠିରୁ ଝୁଲା ପୋଲ ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ଦାବି ମଧ୍ୟ କରାଯାଇଛି। ତେବେ ଆଗାମୀ ଦିନରେ ସରକାର ଏ ଦିଗରେ କି ପଦକ୍ଷେପ ନେଉଛନ୍ତି, ତା’ଉପରେ ନଜର ରହିଛି।