୪ ବିଶ୍ବବିଦ୍ୟାଳୟରେ ନାହିଁ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନ ଦୁଇଟି ବିଶ୍ବବିଦ୍ୟାଳୟ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ପରିଚାଳନା ଲାଗି ଘରୋଇ ସଂସ୍ଥାଙ୍କ ସହ ରାଜିମାନା କରିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ରିସିତା ଟ୍ରଷ୍ଟ ଓ ଏସିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହ୍ୟୁମାନ ଡେଭଲପ୍‌ମେଣ୍ଟ ସହ ରାଜିନାମା କରିଥିବା ବେଳେ କଳାହାଣ୍ଡି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ନ୍ୟୁ ଜେନେରେସନ୍‌, ନବରଙ୍ଗପୁର ଓ ଜୟଦେବ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ସାଇନ୍ସ ଆଣ୍ଡ୍‌ ରିସର୍ଚ୍ଚ(ଜେଆଇଏସ୍‌ଏସ୍‌ଆର) ସହ ଚୁକ୍ତି ସ୍ବାକ୍ଷର କରିଛି। ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ, ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟରେ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ନାହିଁ। ବାକି ୭ଟି ବିଶ୍ବବିଦ୍ୟାଳୟ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ପରିଚାଳନା ନେଇ କୌଣସି ରାଜିନାମା ସ୍ବାକ୍ଷର କରି ନ ଥିବା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଏହା କହିଛନ୍ତି।

୩ନିୟମ ଆଧାରରେ ଅନର୍ସ ଖୋଲିବାକୁ ଅନୁମତି
୨୦୨୧-୨୨ ଶିକ୍ଷାବର୍ଷରୁ ଯେଉଁ କଲେଜଗୁଡ଼ିକର ସର୍ବନିମ୍ନ ନାକ୍‌ ସ୍କୋର ୨.୦୧ ଥିବ, ଏନ୍‌ଆଇଆରଏଫ୍‌ ରୢାକିଂରେ ଦେଶର ଶ୍ରେଷ୍ଠ ୨୦୦ ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନ ପାଇଥିବ କିମ୍ବା ଏନ୍‌ବିଏ ଅନୁମୋଦନପ୍ରାପ୍ତ ଶିକ୍ଷାନୁଷ୍ଠାନକୁ ନୂତନ ବିଷୟ, ଅନର୍ସ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲିବା ପାଇଁ ଅନୁମତି ଦିଆଯାଉଛି। ଅନର୍ସ ଖୋଲିବା ଲାଗି ଅନୁମତି ପ୍ରଦାନରେ ବାଛବିଚାର ନୀତି ଅବଲମ୍ବନ କରାଯାଇ ନାହିଁ। କୋରାପୁଟ ଜିଲ୍ଲା ଲମତାପୁଟ ଡିଗ୍ରି କଲେଜରେ ଓଡ଼ିଆ ଅନର୍ସ ଖୋଲିବାକୁ ୨୦୧୯ରେ ଆବେଦନ ଆସିଥିଲା। ଉକ୍ତ କଲେଜ ଉପରୋକ୍ତ ମାନଦଣ୍ତ ପୂରଣ କରୁ ନ ଥିବାରୁ ଅନର୍ସ ଖୋଲିବାକୁ ଅନୁମତି ଦିଆଯାଇ ନାହିଁ ବୋଲି ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ କହିଛନ୍ତି।

୪୩୬ ପଞ୍ଚା‌ୟତରେ ନାହିଁ ହାଇସ୍କୁଲ
ରାଜ୍ୟର ୮୦୭୬ଟି ହାଇସ୍କୁଲ ରହିଛି। ମାତ୍ର ୪୩୬ଟି ପଞ୍ଚା‌ୟତରେ ଗୋଟିଏ ବି ହେଲେ ହାଇସ୍କୁଲ ନାହିଁ। ହାଇସ୍କୁଲ ନ ଥିବା ପଞ୍ଚାୟତ‌ରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ହାଇସ୍କୁଲରେ ଉନ୍ନିତ କରାଯାଉଛି। ଏଥିସହ ହାଇସ୍କୁଲ ନ ଥିବା ପଞ୍ଚାୟତରେ ଆବଶ୍ୟକତା ଭିତ୍ତିରେ ଓ କେନ୍ଦ୍ର ସରକାର ଅନୁମୋଦନକ୍ରମେ ନୂତନ ହାଇସ୍କୁଲ ପ୍ରତିଷ୍ଠା କରାଯାଉଛି ବୋଲି ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ପ୍ରାଥମିକ ସ୍କୁଲରେ ଶିକ୍ଷକ ଅଭାବ ନାହିଁ
ରାଜ୍ୟରେ ୨୭ ହଜାର ୨୮୧ଟି ସରକାରୀ ପ୍ରାଥମିକ, ୧୫ ହଜାର ୭୫୫ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୫୦୮୦ ସରକାରୀ ମାଧ୍ୟମିକ ବିଦ୍ୟାଳୟ ଓ ୨୪୬ଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି। ଉକ୍ତ ବିଦ୍ୟାଳୟଗୁଡ଼କରେ ୨ ଲକ୍ଷ ୧୭ ହଜାର ୫୩୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକସ୍ତର ପାଇଁ ଶିକ୍ଷା ଅଧିକାର ଆଇନ ଅନୁଯାୟୀ ୧ ଲକ୍ଷ ୭୩ ହଜାର ୯୧୦ ଶିକ୍ଷକ ଓ ଶିକ୍ଷୟିତ୍ରୀ ଆବଶ୍ୟକତା ଥିବା ବେଳେ ୧ ଲକ୍ଷ ୮୨ ହଜାର ୯୯୨ ଜଣ କାର୍ଯ୍ୟରତ ରହିଛନ୍ତି। ଗଣଶିକ୍ଷା ବିଭାଗ ଅଧୀନ ୪୮ ହଜାର ୧୧୬ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ୧ ଲକ୍ଷ ୮୬ ହଜାର ୧୦୫ ଶ୍ରେଣୀ କୋଠରୀ ରହିଛି। ଆହୁରି ୧୭ ହଜାର ୪୯୫ ଶ୍ରେଣୀଗୃହର ଆବଶ୍ୟକତା ରହିଛି। ୨୦୧୫-୧୬ରୁ ୨୦୨୧-୨୨ ମଧ୍ୟରେ ୧୦ କିମ୍ବା ୧୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ୮୮୯ଟି ବିଦ୍ୟାଳୟକୁ ବନ୍ଦ କରାଯାଇଛି। ଏହାବ୍ୟତୀତ ୪୯୧୬ ବିଦ୍ୟାଳୟକୁ ନିକଟସ୍ଥ ବିଦ୍ୟାଳୟ ସହ ମିଶ୍ରଣ କରାଯାଇଥିବା ନେଇ ବିଧାୟକ ନରସିଂହ ମିଶ୍ରଙ୍କ ପ୍ରଶ୍ନର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର