ଯାଜପୁରରେ ନାହିଁ ଆଶ୍ରୟସ୍ଥଳ: ରାସ୍ତାରେ ରାତି କାଟୁଛନ୍ତି ନିରାଶ୍ରୟ

ଅନିଲ କୁମାର ପଣ୍ଡା

ଯାଜପୁରସଦର : ବିକଶିତ ହେଉଛି ଯାଜପୁର ସହର। ବଢ଼ୁଛି ସହରର କଳେବର। ଯାଜପୁର ସହର ଏବେ ସାରା ଓଡ଼ିଶାରେ ବିକାଶ ଦୃଷ୍ଟିକୋଣରୁ ଏକ ଅଗ୍ରଣୀ ସହର ଭାବେ ପରିଗଣିତ ହେଉଛି। ହେଲେ ଅସହାୟଙ୍କୁ ସହାୟତା ପାଇଁ ଏହି ବିକଶିତ ସହରରେ ଗୁରୁତ୍ବ ଦିଆଯାଇନାହିଁ। କୋଟିକୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ ହୋଇ କାମରେ ଲାଗୁନଥିବା ବେଳେ ଅସହାୟ ଓ ନିରାଶ୍ରୟଙ୍କ ପାଇଁ ରାତ୍ର ଆଶ୍ରୟସ୍ଥଳଟିଏ ହୋଇପାରିନାହିଁ। ଏପରକି ସରକାରୀ କର୍ମଚାରୀଙ୍କ ଉଦାସୀନତାରୁ ପ୍ରକଳ୍ପ ପାଇଁ ଆସିଥିବା ଟଙ୍କା ଫେରିଯାଇଛି।

ଯାଜପୁର ଜିଲ୍ଲାର ଦୁଇ ପ୍ରମୁଖ ସହର ହେଉଛି ଯାଜପୁର ଓ ବ୍ୟାସନଗର ପୌରାଞ୍ଚଳ। ଯାଜପୁର ପୌରାଞ୍ଚଳ ଜିଲ୍ଲା ସଦରମହକୁମା ହୋଇଥିବାବେଳେ ବ୍ୟାସନଗର ଓ ଏହାର ସଂଲଗ୍ନ ଅଞ୍ଚଳ ହେଉଛି ଇସ୍ପାତ ରାଜଧାନୀ। ଉଭୟ ସହରରେ ଯାଯାବର ଜୀବନଯାପନ କରୁଥିବା ଲୋକଙ୍କ ପାଇଁ ରାତ୍ର ଆଶ୍ରୟସ୍ଥଳୀଟିଏ ନାହିଁ। ଯାଜପୁର ସହରରେ ପ୍ରଶାସନିକ ସୌଧ, ମେଡିକାଲ କଲେଜ, ସ୍ପୋର୍ଟସ୍‌ କମ୍ପ୍ଲେକ୍ସ ଓ ପର୍ଯ୍ୟଟନର ବିକାଶ କାର୍ଯ୍ୟ ଜାରି ରହିଥିବା ବେଳେ ବ୍ୟାସନଗରରେ ରେଳ ଯୋଗାଯୋଗ, କାରଖାନା ଯୋଗୁଁ ଲୋକଙ୍କ ଗହଳି ବଢ଼ୁଛି। ଏହାମଧ୍ୟରେ ଶହଶହ ଅସହାୟ ଲୋକ ପେଟକୁ ଦାନା ପାଇଁ ଭିଡ଼ ଲଗାଉଛନ୍ତି। ଦିନବେଳା ଭିକମାଗି ଏତେତେଣେ ବୁଲୁଥିବା ଲୋକମାନେ ହୁଅନ୍ତୁ ଅବା ଦୂରଦୂରାନ୍ତକୁ ଯିବା ପାଇଁ ଗାଡ଼ି ପାଉନଥିବା ଲୋକେ ରାତି‌ରେ ମୁଣ୍ଡ ଗୁଞ୍ଜିବାକୁ ଆଶ୍ରୟସ୍ଥଳ ପାଉନାହାନ୍ତି। ଖରାବର୍ଷା ଓ ଶୀତରୁ ରକ୍ଷା ପାଇଁ ରାହା ଖୋଜୁଛନ୍ତି। ସେହିପରି ଯାଜପୁର ସହରରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରହିଛି। ଏଠାରେ ପେଟ ପାଇଁ ଅନେକ ଗରିବ ଲୋକ ପଡ଼ିରହିଛନ୍ତି। କେତେକ ଲୋକ ରାସ୍ତା କଡ଼ରେ ଠେଲାରେ ଦୋକାନ କରିଛନ୍ତି। ହେଲେ ଏହି ଲୋକମାନେ ବ୍ୟବସାୟ ପରେ ରାତି ଆଶ୍ରୟ ପାଇଁ ସ୍ଥାନ ପାଉନାହାନ୍ତି। କାମ ସରିଲେ କିଏ ଡାକ୍ତରଖାନା ବାରଣ୍ଡା ତ କିଏ ଦୋକାନ ପିଣ୍ଡାର ସାହାରା ନେଉଛି।

ଯାଜପୁର ପୌରାଞ୍ଚଳରେ ୩୦ ଶଯ୍ୟା ବିଶିଷ୍ଟ ଏକ ରାତ୍ର ଆଶ୍ରୟସ୍ଥଳ ନିର୍ମାଣ ପାଇଁ ଅନୁଦାନ ଆସିଥିଲା। ଏ ସଂପର୍କରେ ସର୍ଭେ କରାଯାଇଥିଲା। ସହରରେ ଏତେ ସଂଖ୍ୟକ ରାତ୍ର ସହାୟତା ଚାହୁଁଥିବା ଲୋକ ନଥିବା ରିପୋର୍ଟ ଦିଆଗଲା। ଏଠାରେ ରାତ୍ର ଆଶ୍ରୟସ୍ଥଳୀର ଆବଶ୍ୟକତା ନଥିବା ଦର୍ଶାଯିବାରୁ ଉକ୍ତ ଟଙ୍କା ଫେରିଯାଇଛି ବୋଲି ପୌର ଅଧିକାରୀ ଅଜୟ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର