ରାଉରକେଲା: ପ୍ଲାଷ୍ଟିକ୍ର ଉତ୍ପାଦନ, ଆମଦାନୀ, ବିତରଣ ଓ ବ୍ୟବହାରକୁ କେନ୍ଦ୍ର ସରକାର ଆଜିଠାରୁ ନିଷିଦ୍ଧ କରିଛନ୍ତି। ଏହି କ୍ରମରେ ରାଉରକେଲା ମହାନଗର ନିଗମ(ଆର୍ଏମ୍ସି) ପକ୍ଷରୁ ସଙ୍ଗଲ୍ ୟୁଜ୍ ପଲିଥିନର ବ୍ୟବହାରକୁ ବନ୍ଦ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ଏହା ପୂର୍ବରୁ ମଧ୍ୟ ଆର୍ଏମ୍ସି ପକ୍ଷରୁ ସମାନ ନିୟମ ଲାଗୁ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହା କେବଳ ନିୟମରେ ସୀମିତ ରହିଥିଲା। ଖିଲାପକାରୀଙ୍କ ବିରୋଧରେ ଶୂନ କାର୍ଯ୍ୟାନୁଷ୍ଠାନ, ନିୟମିତ ଯାଞ୍ଚର ଅଭାବ ଯୋଗୁଁ ଦୋକାନି ଅମାନିଆ ହୋଇପଡ଼ିଥିଲେ। ଏଣୁ ଏଥର ଏହାର ପୁନରାବୃତ୍ତି ହେବ, ନା ପରିବର୍ତ୍ତନ ଆସିବ; ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ବାଭାବିକ୍। ପ୍ରଶାସନ କଡ଼ା ଆଭିମୁଖ୍ୟ ପୋଷଣ ନ କରିବାଯାଏଁ ସ୍ଥିତିରେ ବିଶେଷ ପରିବର୍ତ୍ତନ ଆଶା କରାଯାଇନପାରେ।
ପ୍ରକାଶଥାଉକି, ପ୍ରାୟ ଚାରି ବର୍ଷ ପୂର୍ବେ, ଅର୍ଥାତ୍, ଗତ ୨୦୧୮ ଅକ୍ଟୋବର ୨ ତାରିଖରେ ସମାନ ନିର୍ଦ୍ଦେଶାନାମା ଜାରି ହୋଇଥିଲା। ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ବର୍ଜ୍ୟ ପ୍ଲାଷ୍ଟିକ ପରିଚାଳନା ନିୟମ-୨୦୧୬ ଏବଂ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଉକ୍ତ ଦିନଠାରୁ ଆର୍ଏମ୍ସି ଅଞ୍ଚଳରେ ନିଷିଦ୍ଧ ପ୍ଲାଷ୍ଟିକ, ପଲିଥିନ ବ୍ୟବହାର, ବିକ୍ରି, ଆମଦାନୀ, ଉତ୍ପାଦନ, ଯୋଗାଣ, ଗଚ୍ଛିତ ରଖିବା ଆଦି ଉପରେ ନିଷେଧାଦେଶ ଜାରି ହୋଇଥିଲା। ମାତ୍ର ସ୍ଥିତିରେ ସୁଧାର ନ ଆସିବାରୁ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରିବାକୁ ୨୦୧୯ ଅଗଷ୍ଟ ୮ ତାରିଖ ଆର୍ଏମ୍ସି ଆଉ ଏକ ବଜ୍ଞପ୍ତି ପ୍ରକାଶ କରିଥିଲା। ନିୟମ ଲାଗୁ ହେବାର ହାତଗଣତି କିଛି ଦିନ ଯାଞ୍ଚ, ଚଢ଼ଉ କରାଯାଇଥିଲା। ମାତ୍ର ପରବର୍ତ୍ତୀ ସମୟରେ କର୍ତ୍ତୃପକ୍ଷ ଏ ଦିଗରେ ଆଉ ଦୃଷ୍ଟି ନ ଦେବାରୁ ସ୍ଥିତି ପୁଣି ପୂର୍ବ ସ୍ଥାନକୁ ଫେରିଆସିଥିଲା। ଏଥର ଆରମ୍ଭରୁ ନିୟମର କଡ଼ା ପାଳନ କରିବା ତଥା ଉଲ୍ଲଂଘନକାରୀଙ୍କ ବିରୋଧରେ ଆଖିଦୃଶିଆ ଦଣ୍ଡବିଧାନ କରିବାକୁ ବୁଦ୍ଧିଜୀବୀ ମତ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/3c2eebe3-eacd-4dd9-a77a-2fb139508fbf.jpg)