ଯାଜପୁର/ସଦର/ବିଂଝାରପୁର: ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ୩ଦିନିଆ ଯାଜପୁର ଗସ୍ତ କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ବିଜେଡି ନେତାଙ୍କ ଆଖିରେ ନିଦ ନାହିଁ। ଗସ୍ତ ସମୟରେ ଶକ୍ତି ପ୍ରଦର୍ଶନ ପାଇଁ ମନ୍ତ୍ରୀ ଓ ବିଧାୟକମାନେ ଲାଗି ପଡ଼ିଛନ୍ତି। ଅଧିକ ଲୋକ ଆଣିବାକୁ ପ୍ରତିଯୋଗିତା ଚଳାଇଛନ୍ତି। ଜିଲ୍ଲାର ସମସ୍ତ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀକୁ ଶ୍ରୀ ପାଣ୍ଡିଆନ ଯିବେ। ଏଥିପାଇଁ ସଭାସ୍ଥଳ ନିରୂପଣଠାରୁ ଟେଣ୍ଟ ମାରିବା କାର୍ଯ୍ୟ ମନ୍ତ୍ରୀ ଓ ବିଧାୟକମାନଙ୍କ ତତ୍ତ୍ବାବଧାନରେ ଚାଲିଛି। ଯାଜପୁର ସହରକୁ ନୂଆ ବେଶରେ ସଜାଇବାକୁ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଶିବିର ଲାଗି ପଡ଼ିଛନ୍ତି। ତେବେ ଶ୍ରୀ ପାଣ୍ଡିଆନଙ୍କ ଗସ୍ତକୁ କଂଗ୍ରେସ ଓ ବିଜେପି ବିରୋଧ କରିବ ବୋଲି ଉଭୟ ଦଳର ନେତାମାନେ ଘୋଷଣା କରିଛନ୍ତି। ସଚିବ ୨୯, ୩୧ ଓ ୧ ତାରିଖ ଗସ୍ତ କରୁଥିବା ବେଳେ ୩୦ ତାରିଖ ରକ୍ଷାବନ୍ଧନ ରହିଛି। ମାତ୍ର ୩୦ ତାରିଖ ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଡୁବୁରୀରେ ମହିଳା ସମାବେଶ, ରକ୍ଷାବନ୍ଧନ ଉତ୍ସବ ରହିଛି। ସଚିବଙ୍କ ଗସ୍ତକୁ ସଫଳ ପାଇଁ ଜିଲ୍ଲା ପ୍ରଶାସନ ସହିତ ବିଜେଡି ନେତାମାନେ ଲାଗି ପଡ଼ିଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ପାଇଁ ବିଜେପି କ୍ଷେତ୍ର ପ୍ରସ୍ତୁତ କରୁଛି।

Advertisment

୩୧ ତାରିଖ ଦିନ ୫-ଟି ସଚିବଙ୍କ ବିଂଝାରପୁର ଗସ୍ତ ରହିଥିବାରୁ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ଘନଘନ ପ୍ରସ୍ତୁତି ବୈଠକ କରୁଛନ୍ତି। ଅରେଇ ପଞ୍ଚାୟତର ବରୁଣେଶ୍ବର କଲେଜ ସମ୍ମୁଖ ପଡ଼ିଆରେ ହେଲିପ୍ୟାଡ୍‌ ପ୍ରସ୍ତୁତ କରାଯାଇଥିବା ବେଳେ ମେଳା ପଡ଼ିଆରେ ସଭାସ୍ଥଳ କରାଯାଇଛି। ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏଠାରେ ଦିନତମାମ ରହି ପ୍ରସ୍ତୁତି ତଦାରଖ କରୁଛନ୍ତି। କୌଣସି ପ୍ରକାର ତ୍ରୁଟି ଯେମିତି ନ ରହିବ, ସେନେଇ ପଦାଧିକାରୀଙ୍କୁ ମନ୍ତ୍ରୀ ତାଗିଦ୍‌ କରିଛନ୍ତି। ସଭାସ୍ଥଳକୁ ଅଧିକରୁ ଅଧିକ ଲୋକଙ୍କୁ ଆଣିବା ପାଇଁ ପଞ୍ଚାୟତର ଲୋକପ୍ରତିନିଧିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।