Arab News
ଦେବଗଡ଼ : ସାରା ରାଜ୍ୟରେ ୨୧ ତାରିଖଠାରୁ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଆରମ୍ଭ ହୋଇଛି ୟୁଟ୍ୟୁବ୍ରେ ପାଠପଢା। କିନ୍ତୁ କେମିତି ପାଠ ପଢାଯିବ, ପିଲା କିପରି ପଢିବେ ଓ ନୂଆ ଯୋଜନା ସଂପର୍କରେ ଠିକ୍ ଭାବରେ ଜାଣିପାରି ନଥିଲେ ଶିକ୍ଷକ/ଶିକ୍ଷୟିତ୍ରୀ। ପ୍ରଥମ ଦିନରେ ପ୍ରଥମରୁ ଅଷ୍ଟମ ଣ୍ରେଣୀ ମଧ୍ୟରେ ଉପସ୍ଥାନ ମାତ୍ର ୮ ପ୍ରତିଶତ ରହିଥିଲା। ଦ୍ବିତୀୟ ଦିନରେ ତାହା ବୃଦ୍ଧି ପାଇଁ ୧୦ ପ୍ରତିଶତ ଜଣାପଡ଼ିଛି। ଅଦ୍ୟାବଧି ଜିଲ୍ଲାର ବିଭିନ୍ନ ସ୍ଥାନକୁ ନେଟୱର୍କ ପହଞ୍ଚି ନାହିଁ। ମୋବାଇଲ ନେଟୱାର୍କ ଥିଲେ ମଧ୍ୟ ନେଟ୍ ସ୍ଲୋ ରହୁଛି। ବେଳେବେଳେ ନେଟୱର୍କ ମଧ୍ୟ କଟିଯାଉଛି। ଫଳରେ ଛାତ୍ରଛାତ୍ରୀମାନେ ଠିକ ଭାବେ ଅନ୍ଲାଇନ୍ରେ ୟୁଟ୍ୟୁବ୍ କ୍ଲାସ୍ କରିପାରୁ ନଥିବା ହେତୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଗୋଟିଏ ପଟେ ନେଟୱର୍କ ସମସ୍ୟା, ଆଉ ଗଟେ ପଟେ ଜିଲ୍ଲାରେ ସରକାରୀ ସ୍କୁଲରେ ପାଠପଢୁଥିବା ଛାତ୍ରଛାତ୍ରୀଙ୍କ ପାଖରେ ସ୍ମାର୍ଟଫୋନ ବି ନାହିଁ। ଫୋନ୍ ଥିଲେ ମଧ୍ୟ ସେମାନଙ୍କ ବାପା ଓ ମା’ କର୍ମକ୍ଷେତ୍ରକୁ ମୋବାଇଲ ନେଇଯାଉଥିବାରୁ ପିଲାମାନେ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି। ଘରେ ଏକରୁ ଅଧିକ ପିଲା ଥିଲେ ଅଭିଭାବକ ଉଚ୍ଚ ଶ୍ରେଣୀରେ ପଢୁଥିବା ପିଲାଙ୍କୁ ପଢିବାକୁ ସୁଯୋଗ ଦେଉଛନ୍ତି। ଫଳରେ ତଳ ଶ୍ରେଣୀରେ ପଢୁଥିବା ପିଲା ଏଥିରୁ ବାଦ୍ ପଡୁଛନ୍ତି। ଏହା ସହିତ କିଛି ଅଭିଭାବକଙ୍କ ପାଖରେ ସ୍ମାଟ୍ ଫୋନ୍ ଥିଲେ ମଧ୍ୟ ଡାଟା ପ୍ଲାନ୍ ପକାଇବା ପାଇଁ ଆବଶ୍ୟକ ଅର୍ଥ ନଥିବା ଜଣାପଡ଼ିଛି। ସ୍ମାର୍ଟଫୋନ୍ ନଥିବା ଛାତ୍ରଛାତ୍ରୀମାନେ କିପରି ୟୁଟ୍ୟୁବ୍ କ୍ଲାସ କରୁଛନ୍ତି ତାହା ସ୍ପଷ୍ଟ ଜଣାପଡୁଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ତିଲେଇବଣୀ ବ୍ଲକ ଅନ୍ତର୍ଗତ ଲଇମୁରା, ଗଣ୍ଡମ, ଝରାଗୋଗୁଆ, ଝାରମୁଣ୍ଡା,ପାରପୋଷି, ଡିମିରିକୁଦା ପଞ୍ଚାୟତ ଆଦିବାସୀ ବହୁଳ ଗ୍ରାମ। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି ସତ, ଆଜି ବି ଉକ୍ତ ଅଂଚଳର ଲୋକମାନଙ୍କ ପାଖରେ ସବୁ ଅପହଞ୍ଚ। ଉକ୍ତ ଅଂଚଳରେ ବିକାଶ ଅପହଞ୍ଚ ହୋଇପଡିଥିବା ଯୋଗୁଁ କିଛି ବର୍ଷ ସେ ଅଂଚଳ ମାଓବାଦୀଙ୍କ ଚରାଭୂଇଁ ପାଲଟିଥିଲା। କିନ୍ତୁ ଏବେ ପୁଲିସ ପକ୍ଷରୁ ବାରମ୍ବାର କମ୍ବିଂ ଅପରେସନ୍ ଫଳରେ ଉକ୍ତ ଅଞ୍ଚଳରେ ମାଓ ଗତିବିଧି ହ୍ରାସ ପାଇଛି। ଉକ୍ତ ୬ ପଞ୍ଚାୟତରେ ମୋବାଇଲ ଟାୱାର ରହିଥିଲେ ମଧ୍ୟ ତାହା କେତେବେଳେ କାର୍ଯ୍ୟକ୍ଷମ ତ ଆଉ କେତେବେଳେ କାର୍ଯ୍ୟ କରୁନି। ଉକ୍ତ ଅଞ୍ଚଳରେ ନିର୍ଦିଷ୍ଟ କେତେକ ସ୍ଥାନରେ ମୋବାଇଲ ନେଟୱର୍କ ଆସୁଛି। ଉକ୍ତ ୬ଟି ପଞ୍ଚାୟତରେ ମୋବାଇଲ ନେଟୱାର୍କ ନଥିବାବେଳେ ସେହି ଅଞ୍ଚଳର ଛାତ୍ରଛାତ୍ରୀମାନେ କିପରି ୟୁଟ୍ୟୁବ୍ କ୍ଲାସ କରୁଥିବେ ଏହା ଏଥିରୁ ସ୍ପଷ୍ଟ ଜଣାପଡୁଛି। ଏହା ସହିତ ଉକ୍ତ ବ୍ଲକ୍ର ସଡୋ ପଞ୍ଚାୟତର କିଛି ଗ୍ରାମ ସହିତ ଟାମ୍ଫର, ବିରିୟାମ ଗ୍ରାମରେ ମଧ୍ୟ ମୋବାଇଲ ସେବା ଅପହଞ୍ଚ। ବାରକୋଟ ବ୍ଲକରେ ମଧ୍ୟ ସମାନ ଅବସ୍ଥା। ବ୍ଲକ୍ର ଡିମିରିପଶି, ଗୁଣ୍ଡେଇମୋରା, ବେତେଇ, ତାଳଖଳି, ରେଗଡାଖୋଳ, ମାକରମୁଣ୍ଡା, ଅଞ୍ଚଳରେ ନେଟ୍ୱାର୍କ ଠିକ ଭାବେ ରହୁ ନଥିବାରୁ ଛାତ୍ରଛାତ୍ରୀମାନେ ପାଠପଢାରୁ ବଞ୍ଚିତ ରହୁଛନ୍ତି।
ଏହା ସହିତ ବାରକୋଟ ବ୍ଲକର ପାଉଡିଭୂୟାଁ ଅଂଚଳର କଲାଡୁ, ଦେପତ୍ତଳା, ବାଲିଡିହି, ପାଚେରିପାଣି, କହଳୀଡିହି, ମହୁଲଡିହା ଉକ୍ତ ଗ୍ରାମବାସୀମାନଙ୍କ ପାଇଁ ମୋବାଇଲ ସେବା ତ ସାତ ସପନ। ସେହିପରି ଭାବେ ରିଆମାଳ ବ୍ଲକର ଆଡ଼ସ, ତାରଙ୍ଗ, ଖୁଣ୍ଟାବନ୍ଧ, ଜରିପାଳ, କାଇଁଶର, ଅଖାବୁଡା, ଚେର୍ମଡା, ପୁରୁମୁଣ୍ଡା ଗ୍ରାମରେ ମୋବାଇଲ ନେଟୱର୍କ ନାହିଁ। ଜିଲ୍ଲାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୫୪୪ଟି ସ୍କୁଲ ରହିଥିବାବେଳେ ୩୨, ୨୦୯ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ସେଥିମଧ୍ୟରୁ ପ୍ରଥମ ଦିନରେ ୨୯୫୦ ଜଣ ଛାତ୍ରଛାତ୍ରୀ ୟୁଟ୍ୟୁବ୍ କ୍ଲାସ୍ କରିଥିବାବେଳେ ଦ୍ବିତୀୟ ଦିନରେ ତାହା ବୃଦ୍ଧି ପାଇ ୩୨୦୮ ଜଣ ରହିଥିବା ଶିକ୍ଷା ବିଭାଗ ପକ୍ଷରୁ ଜଣାପଡିଛି। ଅନ୍ୟପଟେ ୟୁଟ୍ୟୁବ୍ କ୍ଲାସ୍ କରିବା ପାଇଁ ଅଭିଭାବକଙ୍କ ମଧ୍ୟରେ ଜନ ସଚେତନତା ମଧ୍ୟ ବିଭାଗ ପକ୍ଷରୁ କରାଯାଇଛି। ତେବେ ସବୁଠାରୁ ବଡ଼ ପ୍ରଶ୍ନ ବର୍ତ୍ତମାନ ବହୁ ଛାତ୍ରଛାତ୍ରୀଙ୍କ ପାଖରେ ସ୍ମାର୍ଟଫୋନ୍ ନାହିଁ। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ନେଟ୍ୱର୍କ ନଥିବାବେଳେ ସକରାରୀ ନିର୍ଦ୍ଦେଶନାମା ଅନୁଯାୟୀ, ୟୁଟ୍ୟୁବ୍ ମାଧ୍ୟମରେ ପାଠପଢାଇବା ନିର୍ଦ୍ଦେଶ କେତେ ଦୂର ସଫଳ ହେବ ତାହା ଏଥିରୁ ସ୍ପଷ୍ଟ ଜଣାପଡୁଛି।
Follow Us