ଓଡ଼ିଆ ଚଳଚ୍ଚିତ୍ରରେ ନାହିଁ ଓଡ଼ିଆ ମାଟିର ବାସ୍ନା: ଘନଶ୍ୟାମ ମହାପାତ୍ର

ଭୁ‌ବନେଶ୍ୱର: ୬୦ ବର୍ଷରୁ ଊର୍ଧ୍ବ କାଳର ଚଳଚ୍ଚିତ୍ର ଯାତ୍ରା। ୫୦ରୁ ଅଧିକ ଚଳଚ୍ଚିତ୍ରର ସ୍ରଷ୍ଟା। ଓଡ଼ିଆ ଚଳଚ୍ଚିତ୍ର ଜଗତର ସେହି ଭୀଷ୍ମ ପିତାମହ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆଜି ଘୋଷିତ ‘ଶ୍ରୀଜୟଦେବ ପୁରସ୍କାର’ରେ ଖୁବ୍‌ଶୀଘ୍ର ମଣ୍ଡିତ ହେବାକୁ ଯାଉଛନ୍ତି ଏହି ବ୍ୟକ୍ତିତ୍ବ ତଥା ବିଶିଷ୍ଟ ପ୍ରଯୋଜକ ଓ ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ର। ବେଙ୍ଗାଲୁରୁସ୍ଥିତ ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌ରୁ କ୍ୟାମେରା ପରିଚାଳନା ଓ ଶବ୍ଦଗ୍ରହଣରେ ଡିପ୍ଲୋମା କରି ଓଡ଼ିଶା ଫେରିଥିଲେ। ୧୯୭୪ ମସିହାରେ ପଲ୍ଲୀକବି ନବକିଶୋର ବଳଙ୍କ ଉପନ୍ୟାସକୁ ଆଧାର କରି ଘନଶ୍ୟାମ ମହାପାତ୍ର ନିର୍ମାଣ କରିଥିଲେ ଚଳଚ୍ଚିତ୍ର ‘କନକଲତା’। ଏହା ଓଡ଼ିଆ ଚଳଚ୍ଚିତ୍ର ଜଗତର ମାଇଲଖୁଣ୍ଡ ସାଜିଥିଲା। ଏଥିସହ ଏହା ରାଷ୍ଟ୍ରୀୟ ସମ୍ମାନ ବି ପାଇଥିଲା। ଏହାପରେ କ୍ଷୁଦ୍ର ଚଳଚ୍ଚିତ୍ର ‘କୃଷି ଯନ୍ତ୍ରପାତି’ ନିର୍ମାଣ କରି ସେ ରାଷ୍ଟ୍ରୀୟ ପୁରସ୍କାର ପାଇଥିଲେ। ଏହାପରେ ୩ରୁ ଅଧିକ କ୍ଷୁଦ୍ର ଚଳଚ୍ଚିତ୍ର ପାଇଁ ସେ ପୁରସ୍କାର ପାଇଥିଲେ ଏବଂ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଆହୁରି ରୁଦ୍ଧିମନ୍ତ କରିଥି‌ଲେ। ଆଜି ସେ ବୟସର ଅପରାହ୍ନରେ ଉପନୀତ। ବିଳମ୍ବରେ ରାଜ୍ୟ ସଂସ୍କୃତି ବିଭାଗ ତାଙ୍କୁ ଏହି ସର୍ବୋଚ୍ଚ ସମ୍ମାନ ଦେଇଥିଲେ ବି ତିଳେ ମାତ୍ର ଦୁଃଖି ନୁହନ୍ତି ସେ। ଓଲଟା ଓଡ଼ିଆ ଚଳଚ୍ଚିତ୍ରର ଅଧୋଗତିକୁ ନେଇ ବ୍ୟଥିତ ଅଛନ୍ତି।

ଶୁକ୍ରବାର ଦିନ ‘ଶ୍ରୀଜୟଦେବ ପୁରସ୍କାର’ ଘୋଷଣା ପରେ ତାଙ୍କ ସହ ବାର୍ତାଳାପ ବେଳେ ସେ କହିଛନ୍ତି, ସରକାରୀ କଳରେ ବିଭିନ୍ନ ବିଧିବ୍ୟବସ୍ଥା ଓ ନିୟମ ମଧ୍ୟରେ ବିଳମ୍ବରେ ପୁରସ୍କାର ମିଳିବା କିଛି ବଡ଼ କଥା ନୁହେଁ। ବିଳମ୍ବରେ ହେଉ ପଛେ ପୁରସ୍କାର ପାଇଁ ରାଜ୍ୟ ସରକାର ମୋତେ ଯୋଗ୍ୟ ବିବେଚିତ କରିଥିବାରୁ ମୁଁ ବହୁତ ଖୁସି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ହେଲା; ଆଜି ଆମେ ଏତେ ଉନ୍ନତି କରିଥିଲେ ବି ଓଡ଼ିଆ ଚଳଚ୍ଚିତ୍ର ଜଗତ ରସାତଳଗାମୀ ହେବାରେ ଲାଗିଛି। ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକମାନେ ଏବେ ଭୁଲି ଯାଉଛନ୍ତି କି ସେମାନେ ଓଡ଼ିଆଙ୍କ ପାଇଁ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି। ଓଡ଼ିଆ ମାଟିର ବାସ୍ନା ଆଉ ଚଳଚ୍ଚିତ୍ରରୁ ଉଭରି ଆସୁନି। ଓଡ଼ିଆ ସଂସ୍କୃତି, ପରମ୍ପରା ଓ ଐତିହ୍ୟର ଗାଥା ଆଉ ଓଡ଼ିଆ ଚଳଚ୍ଚିତ୍ର ବହନ କରୁନି। ଆମେ ହିନ୍ଦୀ, ମରାଠୀ, ତେଲୁଗୁ, ବଙ୍ଗଳୀ ଓ ତାଲିମ୍‌ ସଂସ୍କୃତିକୁ ଏତେ ମାତ୍ରାରେ ଅନୁକରଣ କରୁଛେ ଯେ ଓଡ଼ିଆତ୍ବ ହିଁ ଭୁଲି ଯାଇଛେ। କିଛି ମାତ୍ରାରେ ବୁଝାମଣା କରିବା ଗ୍ରହଣଯୋଗ୍ୟ। କିନ୍ତୁ ଆଜିର ଓଡ଼ିଆ ଚଳଚ୍ଚିତ୍ରରେ ଶହେ ପ୍ରତିଶତ ବୁଝାମଣା ଆମ ସଂସ୍କୃତିକୁ ନେଇ ହେଉଥିବାରୁ ଦୁଃଖ ଲାଗୁଛି। ସୃଜନଶୀଳତା ଆଉ ଚଳଚ୍ଚିତ୍ରରେ ପ୍ରକାଶ ପାଉନି। କେବଳ ଡବିଂରେ ହିଁ ତିଷ୍ଠିଛି ଓଡ଼ିଆ ଚଳଚ୍ଚିତ୍ର ଜଗତ। ଏହାର ଅବସାନ କେବେ ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର