ବ୍ୟାଙ୍କ ଖାତା ସହ ଆଧାର ଲିଙ୍କ୍‌ ନକଲେ ସାମାଜିକ ସୁରକ୍ଷା ପେନସନ ମିଳିବ ନାହିଁ, ଓଡ଼ିଶା ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର : ବ୍ୟାଙ୍କ ଖାତା ସହ ଆଧାର ଲିଙ୍କ୍‌ ନକଲେ ଆସନ୍ତା ଏପ୍ରିଲ ପରେ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ସରକାର ପ୍ରଦାନ କରୁଥିବା ପେନସନ ଆଉ ମିଳିବ ନାହିଁ । ଏପରି ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମଧୁବାବୁ ପେନସନ ଯୋଜନା ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନଏସଏପି) ଅଧିନରେ ପେନସନ ପାଉଥିବା ହିତାଧିକାରୀଙ୍କ ବ୍ୟାଙ୍କ ଖାତା ସହ ଆଧାର ଲିଙ୍କ୍‌ ହୋଇନଥିଲେ ସେମାନଙ୍କୁ ଏହି ପେନସନ ମିଳିବ ନାହିଁ । ବାଟମାରଣା ରୋକିବାକୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ଏପ୍ରିଲଠାରୁ ଏହାକୁ ବାଧ୍ୟତାମୂଳକ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ମାର୍ଚ୍ଚ ୧୫ ସୁଦ୍ଧା ସବୁ ହିତାଧିକାରୀମାନେ ଯେପରି ନିଜ ବ୍ୟାଙ୍କ ଖାତା ସହ ଆଧାର ଲିଙ୍କ୍‌ କରିବେ ତାହା ନିଶ୍ଚିତ କରିବାକୁ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଦୁଇଟି ସ୍କିମରେ ନୂଆ ହିତାଧିକାରୀମାନଙ୍କୁ ମଂଜୁରୀ ଦେବା ପୂର୍ବରୁ ବ୍ୟାଙ୍କ ଖାତା ଆଧାର ଲିଙ୍କ୍‌ ନିଶ୍ଚିତ କରିବାକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ( ଡିଏସଏସଓ)ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସରକାରୀ ତଥ୍ୟ ଅନୁସାରେ ପ୍ରାୟ ୯୧ ପ୍ରତିଶତ ଏନଏସଏପି ହିତାଧିକାରୀଙ୍କ ବ୍ୟାଙ୍କ ଖାତା-ଆଧାର ଲିଙ୍କ୍‌ ହୋଇସାରିଛି । କିନ୍ତୁ ମଧୁବାବୁ ପେନସନ ଯୋଜନା ର ମାତ୍ର ୨୭ ପ୍ରତିଶତ ହିତାଧିକାରୀଙ୍କ ବ୍ୟାଙ୍କ ଖାତା ସହ ଆଧାର ଲିଙ୍କ୍‌ ହୋଇଛି । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ରାଜ୍ୟ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ସଚିବ ଭାସ୍କର ଶର୍ମା । ଯଥାଶୀଘ୍ର ସବୁ ହିତାଧିକାରୀଙ୍କ ବ୍ୟାଙ୍କ ଖାତା ସହ ଆଧାର ଲିଙ୍କ କାର୍ଯ୍ୟ ସାରିବାକୁ ସେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଡିଏସଏସଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର