ବର୍ଷେ ହେଲା ଗଠନ ହୋଇପାରୁନି ସ୍ବତନ୍ତ୍ର ଉନ୍ନୟନ ପରିଷଦ, ଅଧ୍ୟକ୍ଷ ପଦ ଉପରେ ଅଧା ଡଜନ ନେତାଙ୍କ ଆଖି

ଆଦିବାସୀଙ୍କ ଉନ୍ନୟନ ଉପରେ କାହାର ନଜର ନାହିଁ

କୋରାପୁଟ(ପତିତପାବନ ସାହୁ): ଆଦିବାସୀ ଅଂଚଳର ବିକାଶ ପାଇଁ ଗଠନ କରାଯାଇଥିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ। କିନ୍ତୁ ବର୍ଷେରୁ ଅଧିକ ସମୟ ହେଲାଣି କୋରାପୁଟରେ ଏହି ପରିଷଦ ନାହିଁ। ପୁରୁଣା ପରିଷଦକୁ ସରକାର ଭାଙ୍ଗିଦେବା ପରେ ନୂଆ ପରିଷଦ ଗଠନ କରିବାକୁ ଯେମିତି ଭୂଲି ଯାଇଛନ୍ତି। ପରିଷଦର ଅଧ୍ୟକ୍ଷ ଓ ସଦସ୍ୟ ଚୟନ ହେଉ ନ ଥିବାରୁ ଉନ୍ନୟନ କାମ ବି ଚୁଲିକୁ ଯାଇଛି। ଅପରପକ୍ଷରେ ଏହି ପରିଷଦର ସଦସ୍ୟ ଓ ଅଧ୍ୟକ୍ଷ ପଦବୀ ଉପରେ ଏବେ ଆଖି ପକାଇଛନ୍ତି ବିଜେଡିର ବହୁ ନେତା। ଏହି ପରିଷଦର ଅଧ୍ୟକ୍ଷଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳୁଥିବାରୁ ଦଳର ବହୁ ତୁଙ୍ଗ ନେତା ଅଧ୍ୟକ୍ଷ ହେବାକୁ ଆଶା ବାନ୍ଧି ବସିଛନ୍ତି। କିଛି ଛାମୁଆ ନେତା ସଦସ୍ୟ ହେବାକୁ ନିଜ ନିଜ ସ୍ତରରେ ଲବି ଚଳାଇଛନ୍ତି।

ଆଦିବାସୀ ବହୁଳ ଜିଲ୍ଲା ଗୁଡିକରେ ନବୀନ ସରକାର ଗତ ପାଳିରେ ସ୍ବତନ୍ତ୍ର ବିକାଶ ପରିଷଦ ଗଠନ କରିଥିଲେ। ଆଦିବାସୀମାନଙ୍କର ସାମଗ୍ରୀକ ବିକାଶ ସହ ସେମାନଙ୍କ କଳା, ସଂସ୍କୃତି, ପରମ୍ପରାକୁ ବଂଚାଇ ରଖିବା ଦିଗରେ ଏହି ପରିଷଦ କାମ କରୁଥିଲା। ଏଥିପାଇଁ ସରକାର ସ୍ବତନ୍ତ୍ର ବ୍ୟୟ ବରାଦ କରିଥିଲାବେଳେ ପୂଜାସ୍ଥଳୀ, ଅଳଙ୍କାର, ପାରମ୍ପରିକ ପୋଷାକର ସଂରକ୍ଷଣ କାମ ଏହି ପରିଷଦ ମାଧ୍ୟମରେ କରାଯାଉଥିଲା। ଏହାର ଅଧ୍ୟକ୍ଷ ପଦକୁ ସରକାର ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରିବା ସହ ବିଶେଷ ସୁବିଧା ସୁଯୋଗ ଯୋଗାଇ ଦେଇଥିଲେ ସରକାର। କିନ୍ତୁ ୨୦୧୯ରେ ପୁରୁଣା ସରକାର ଯିବା ସହିତ ଏହି ପରିଷଦକୁ ଭାଙ୍ଗି ଦିଆଯାଇଥିଲା। ଫଳରେ କୋରାପୁଟ ସ୍ବତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଥିବା କମୁଳୁ ଜାନୀ ତାଙ୍କ ପଦ ହରାଇଥିଲେ। ଏହା ସହ ପରିଷଦର ସମସ୍ତ ସଦସ୍ୟଙ୍କ ପଦବୀ ମଧ୍ୟ ଯାଇଥିଲା।

ପୁରୁଣା ପରିଷଦ ଭାଙ୍ଗିଥିଲେ ମଧ୍ୟ ବର୍ଷେରୁ ଅଧିକ ସମୟ ଧରି କୋରାପୁଟ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ ହୋଇପାରିନି। ଫଳରେ ଯେଉଁ ମହତ ଉଦ୍ଦେଶ୍ୟରେ ଏହି ପରିଷଦ ଗଠନ କରାଯାଇଥିଲା ତାହା ପୂରଣ ହୋଇ ପାରୁନି। କାର୍ଯ୍ୟାଳୟ ସହ କର୍ମଚାରୀ ଥିଲେ ମଧ୍ୟ ପରିଷଦ ନ ଥିବାରୁ କୌଣସି ଉନ୍ନୟନମୂଳକ କାମ ହୋଇପାରୁନି। ରାଜ୍ୟର ଅଲଗା ଆଦିବାସୀ ବହୁଳ ଜିଲ୍ଲାରେ ଏହି ପରିଷଦ ଗଠନ ସରିଥିଲାବେଳେ ପଡୋଶୀ ମାଲକାନ୍ଗିରିରେ ମଧ୍ୟ ଏହି ପରିଷଦ କାମ କରୁଛି। କିନ୍ତୁ କେଉଁ ଉଦ୍ଦେଶ୍ୟ ନେଇ ସରକାର କୋରାପୁଟ ସ୍ବତନ୍ତ୍ର ଉନ୍ନୟନ ପରିଷଦକୁ ଅଚଳ କରି ରଖିଛନ୍ତି ତାହା ବୁଝାପଡୁନି। ଏହି ଆଦିବାସୀ ବହୁଳ ଜିଲ୍ଲାରେ ପରିଷଦ ଗଠନ ହୋଇ ପାରୁ ନ ଥିବାରୁ ଆଦିବାସୀ ମହଲରେ ଅସନ୍ତୋଷ ବି ବଢୁଛି। ଏପଟେ ବିଜେଡିର ହିସାବ ଛିଣ୍ଡୁ ନ ଥିବାରୁ ଏହି ପରିଷଦର ଅଧ୍ୟକ୍ଷ ପଦ କାହାକୁ ଦିଆ ନ ଯାଇ ଝୁଲାଇ ରଖାଯାଇଥିବା ଆଲୋଚନା ହେଉଛି।

କମୁଳୁ ଜାନୀ ଯିବା ପରେ ଅଧ୍ୟକ୍ଷ ପଦ ଉପରେ ଏବେ ବିଜେଡିର ଏକାଧିକ ନେତାଙ୍କ ଆଖି। ରାଜ୍ୟ ସରକାରଙ୍କ ମର୍ଜି ଉପରେ ଏହି ପଦବୀ ନିର୍ଭର କରୁଥିବାରୁ ବିଜେଡିର ନେତା ହିଁ ଏହି ପଦ ପାଇବା ନିଶ୍ଚିତ। ତେବେ କାହାକୁ ମିଳିବ ତାହା ସ୍ପଷ୍ଟ ହୋଇନି। ବିଜେଡି ଅନ୍ଦର ମହଲରୁ ମିଳିଥିବା ସୂଚନା ଅନୁସାରେ, ଗତ ନିର୍ବାଚନରେ ଟିକେଟରୁ ବଂଚିତ ହୋଇଥିବା ପ୍ରଫୁଲ୍ଲ ପାଙ୍ଗୀ କିମ୍ବା ଝିନ୍ନ ହିକକାଙ୍କୁ ଏହି ପଦ ମିଳିବାର ସମ୍ଭାବନା ରହିଛି। ଏମାନଙ୍କ ସହ ପୂର୍ବତନ ଅଧ୍ୟକ୍ଷ କମୁଳୁ ଜାନୀ, ଦାମୋଦର ଜାନୀ ଓ କୌଶଲ୍ୟା ହିକକାଙ୍କ ନାମ ଅଧ୍ୟକ୍ଷ ଦୌଡରେ ରହିଛି। ପଟାଙ୍ଗୀ ବିଧାୟକ ଥିବା ପ୍ରଫୁଲ୍ଲ ପାଙ୍ଗୀଙ୍କୁ ଦଳ ଗତ ନିର୍ବାଚନରେ ଟିକେଟ ଦେଇ ନ ଥିଲା। ସେତେବେଳେ ତାଙ୍କୁ ଭଲ ପଦବୀ ଦେବାର ପ୍ରତିଶ୍ରୁତି ଦିଆଯାଇଥିଲା। ଫଳରେ ପ୍ରଫୁଲ୍ଲ ଟିକେଟ ନ ପାଇ ମଧ୍ୟ ଦଳ ପାଇଁ କାମ କରିଥିଲେ। ଏହାର ପୁରସ୍କାର ସ୍ବରୂପ ତାଙ୍କୁ ସ୍ବତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ପଦ ମିଳିବ ବୋଲି ଆଲୋଚନା ହେଉଛି। ତେବେ ତାଙ୍କ ପାଇଁ ଅଡୁଆ ସାଜି ପାରନ୍ତି ଝିନ୍ନ ହିକକା ଓ ତାଙ୍କ ପତ୍ନୀ କୌଶଲ୍ୟା ହିକକା।

ଲୋକସଭା ଆସନରେ ଝିନ୍ନଙ୍କୁ ଦଳ ଟିକେଟ ନ ଦେଇ କୌଶଲ୍ୟାଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ଅଳ୍ପକେ ସେ ପରାସ୍ତ ହୋଇଥିଲେ। ତେଣୁ ସେମାନଙ୍କୁ ଥଇଥାନ କରିବାକୁ ଦଳ ପଦବୀ ଖୋଜୁଛି। ଝିନ୍ନ ଜଣେ ଆଦିବାସୀ ନେତା ହୋଇଥିବାରୁ ପତି-ପତ୍ନୀଙ୍କ ଭିତରୁ ଜଣଙ୍କୁ ଅଧ୍ୟକ୍ଷ ପଦବୀ ଦେଇପାରେ ବୋଲି ଦଳର ଏକ ଗୋଷ୍ଠୀ କହୁଛନ୍ତି। ପୂର୍ବତନ ଅଧ୍ୟକ୍ଷ କମୁଳୁ ଜାନୀଙ୍କୁ ମଧ୍ୟ ଦଳ ଅଣଦେଖା କରି ନ ପାରେ ବୋଲି ଆଲୋଚନା ହେଉଛି। କୋଟପାଡରେ ଦଳ ଜିତିଥିଲାବେଳେ ଅଧ୍ୟକ୍ଷ ଭାବେ ସେ ନିର୍ବିବାଦୀୟ ରହିଥିଲେ। ଏହା ସହ ପୂର୍ବରୁ ଅଧ୍ୟକ୍ଷ ପଦ ପଇଁ ଦାମୋଦର ଜାନୀଙ୍କ ସମେତ ଆଉ କିଛି ନେତାଙ୍କ ନାମ ଚର୍ଚ୍ଚାରେ ରହିଛି। ଏଥିପାଇଁ ନେତାମାନେ ନିଜ ନିଜ ସ୍ତରରେ ଲବି ଚଳାଇଛନ୍ତି। କେବଳ ଅଧ୍ୟକ୍ଷ ନୁହଁ, ଏହି ପରିଷଦର ସଦସ୍ୟ ହେବା ପାଇଁ ମଧ୍ୟ ଛାମୁଆ ନେତା ମାନେ ଲାଗିଛନ୍ତି। ଏଥିପାଇଁ ବିଭିନ୍ନ ବାଟରେ ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତିଙ୍କୁ ସେମାନେ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି।

ଅଧ୍ୟକ୍ଷ ପଦ ପାଇଁ ଅଙ୍କକଷା ଆରମ୍ଭ ହୋଇ ଯାଇଥିଲାବେଳେ ଏଥିନେଇ ବିଜେଡି ନେତାମାନେ ମୁହଁ ଖୋଲୁ ନାହାନ୍ତି। ଗତଥର କମୁଳୁ ଜାନୀ ଅଧ୍ୟକ୍ଷ ହେବାକୁ ନେଇ କୋରାପୁଟ ବିଜେଡିର ବଡ ଧରଣର ବିବାଦ ସୃଷ୍ଟି ହୋଇଥିଲା। ଏପରିକି ନେତାଙ୍କ କୁଶ ପୁତଳିକା ଦାହ ପର୍ଯ୍ୟନ୍ତ କଥା ଯାଇଥିଲା। ଦଳ ଭାଗ ଭାଗ ହୋଇ ଯାଇଥିଲାବେଳେ ବହୁ କଷ୍ଟରେ ବିବାଦରେ ପ୍ୟାଚ ପଡିଥିଲା। ତେଣୁ ଦଳ ଏଥର ମାପିଚୁପି ପଦକ୍ଷେପ ନେଉଛି। ବିଶେଷକରି ଅଧ୍ୟକ୍ଷ ପଦକୁ ନେଇ ଦଳର ନେତାମାନେ ହିସାବ ଚାଲିଛି। ଅପରପକ୍ଷରେ ଜଣଙ୍କୁ ଏହି ପଦ ଦେଲା ପରେ ଅନ୍ୟ ଆଶାୟୀଙ୍କୁ କେଉଁ ପଦରେ ଥଇଥାନ କରାଯିବ ସେଥିନେଇ ମଧ୍ୟ ଫର୍ମୁଲା ବାହାର କରାଯାଉଛି।

ସମ୍ବନ୍ଧିତ ଖବର