କଟକ : ରାଜ୍ୟର ସବୁଠାରୁ ବଡ଼ ରେଫରାଲ୍ ହସ୍ପିଟାଲ୍, କଟକ ବଡ଼ଡାକ୍ତରଖାନାର ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗ ଦେଢ଼ମାସ ହେଲା ବିଶେଷଜ୍ଞ ଶୂନ୍ୟ ହୋଇ ପଡିଛି। କନିଷ୍ଠ ଡାକ୍ତରଙ୍କ ଭରସାରେ ଚାଲିଛି ବିଭାଗ। ବିଶେଷଜ୍ଞ ନଥିବାରୁ ସର୍ଜରି ବିଭାଗର ବିଭାଗୀୟ ମୁଖ୍ୟ ଏହି ବିଭାଗର ଅତିରିକ୍ତ ଦାୟିତ୍ବରେ ରହିଛନ୍ତି। ଅସ୍ତ୍ରୋପଚାର ଏକପ୍ରକାର ବନ୍ଦ। ଫଳସ୍ବରୂପ, ରୋଗୀ ଏଠାରୁ ମୁହଁ ଫେରାଇବାକୁ ବସିଲେଣି। ରାଜ୍ୟର ସବୁଠାରୁ ବଡ଼ ରେଫରାଲ୍ ହସ୍ପିଟାଲ୍-ଏସ୍ସିବିକୁ କଣ ପାଇଁ ପ୍ରଫେସର ଓ ଆସୋସିଏଟ୍ ପ୍ରଫେସର ଦିଆଯାଉନି, ତାକୁ ନେଇ ପ୍ରଶ୍ନ ଉଠିଲାଣି। ଲିଭର୍ ପ୍ରତିରୋପଣ ପାଇଁ ସରକାରଙ୍କ ଏମ୍ଓୟୁ ପରେ ଯେଉଁ ବିଭାଗର ଗୁରୁତ୍ବ ବଢ଼ିଯାଇଥିଲା, ଏବେ ସେଇ ବିଭାଗ କନିଷ୍ଠ ଡାକ୍ତର ଓ ପେରିଫେରି କ୍ୟାଡର୍ ଡାକ୍ତରଙ୍କ ଭରସାରେ ଚାଲିଛି। ସେପଟେ କିନ୍ତୁ ବ୍ରହ୍ମପୁର ମେଡିକାଲ୍ କଲେଜ(ଏମ୍କେସିଜି)ରେ ଏହି ବିଭାଗରେ ପ୍ରଫେସର ଓ ଆସୋସିଏଟ୍ ପ୍ରଫେସର ଅଛନ୍ତି।
ଏସ୍ସିବି ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗରେ ଲିଭର୍ ପ୍ରତିରୋପଣ ନେଇ ସରକାରଙ୍କ ନିଷ୍ପତ୍ତି ପରେ ଏହି ବିଭାଗର ଗୁରୁତ୍ବ ବଢ଼ିଯାଇଥିଲା। ପୂର୍ବରୁ ମଧ୍ୟ ଏଠାରେ ଲିଭର୍ ପ୍ରତିରୋପଣ ନେଇ ୨୦୧୨/୨୦୧୩ରୁ ପ୍ରସ୍ତୁତି ଆରମ୍ଭ ହେବା ସହ କୋଟି କୋଟି ଟଙ୍କାର ଯନ୍ତ୍ରାଂଶ କିଣାଯାଇଥିଲା। ହେଲେ, ଲିଭର୍ ପ୍ରତିରୋପଣ କରା ନଯିବା ଫଳରେ ସେସବୁ ଖତ ହୋଇଗଲା। ଏପରିକି ଅପରେସନ୍ ଥିଏଟର୍ ବି ଏକପ୍ରକାର ଖତ ଖାଇଲା। ଦେଢ଼ବର୍ଷ ତଳେ ରାଜ୍ୟ ସରକାର ପୁଣି ଏସ୍ସିବିରେ ଲିଭର୍ ପ୍ରତିରୋପଣ ପାଇଁ ହାଇଦ୍ରାବାଦ୍ ଏସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି (ଏଆଇଜି) ସହିତ ଚୁକ୍ତି କରିଛନ୍ତି। ଏଆଇଜି ପ୍ରତିନିଧି ବି ଇତିମଧ୍ୟରେ ୫/୬ଥର ଏସ୍ସିବି ଗସ୍ତ କରି ବିଭାଗର ସ୍ଥିତି ଅନୁଧ୍ୟାନ କରିବା ସହ ସ୍ବାସ୍ଥ୍ୟ ବିଭାଗ ସହିତ ଆଲୋଚନା କରିସାରିଲେଣି। କିନ୍ତୁ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରୁନି। ଏପଟେ ଲିଭର୍ ପ୍ରତିରୋପଣ ପାଇଁ ଯୋଜନା ଯୋଜନାରେ ଅଟକି ରହିଥିବା ବେଳେ ଯେଉଁ ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗରେ ଲିଭର୍ ପ୍ରତିରୋପଣ କରାଯିବା କଥା ତାହା ଅବହେଳିତ ହୋଇ ପଡ଼ି ରହିଛି। ଦେଢ଼ମାସ ହେଲା ବିଭାଗ ବିଶେଷଜ୍ଞ ଶୂନ୍ୟ। ଗତମାସରେ ପଦୋନ୍ନତି ଦିଆଯାଇ ବିଭାଗର ଆସୋସିଏଟ୍ ପ୍ରଫେସର ଶରତ ଚନ୍ଦ୍ର ଜୟସିଂହଙ୍କୁ ପ୍ରଫେସର୍ ଭାବେ ଏମ୍କେସିଜିକୁ ବଦଳି କରି ଦିଆଯାଇଥିବା ବେଳେ ବର୍ଷକ ତଳେ ଡାକ୍ତର ସତ୍ୟ ସାମନ୍ତରାୟଙ୍କୁ ଆସୋସିଏଟ୍ ପ୍ରଫେସର୍ ଭାବେ ପଦୋନ୍ନତି ଦିଆଯାଇ ଏସ୍ସିବିରୁ ଏମ୍କେସିଜିକୁ ବଦଳି କରି ଦିଆଯାଇଥିଲା। ସରକାର ଏସ୍ସିବିକୁ ଏମ୍ସ ପ୍ଲସ୍ କରି ଗଢ଼ି ତୋଳୁଥିବା ବେଳେ ବିଶେଷଜ୍ଞମାନଙ୍କୁ ଏଠାରୁ ଅନ୍ୟତ୍ର ପଠାଇଦେବା ପଛର କାରଣ କଣ ତାହା ବୁଝା ପଡ଼ୁନାହିଁ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp