ବିଶେଷଜ୍ଞ ଡାକ୍ତର ନାହାନ୍ତି, ତଥାପି ଶେରଗଡ଼ ଡାକ୍ତରଖାନାକୁ ଆଇଏସ୍‌ଓ ମାନ୍ୟତା

ଶେରଗଡ଼ : ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ‌ରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ନେଇ ଗତକାଲି ସାଂସଦ ତଥା ବିଜେପି ଓଡ଼ିଶା ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ବରୀ ଗତକାଲି ଦୃଢ଼ ସମାଲୋଚନା କରିଥିଲେ। କେବଳ ବିଜେପି ନୁହେଁ, ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବୀ ମାନେ ବି ଏହାକୁ ନେଇ ବର୍ଷ ବର୍ଷ ଧରି ସ୍ବର ଉଠାଇଆସୁଛନ୍ତି। ହେଲେ ଫଳ ଶୂନ। ଏଭଳି ପରିସ୍ଥିତିରେ ଶେରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଇଏସଓ ୯୦୦୧:୨୦୦୧ ପ୍ରମାଣପତ୍ର ମିଳିଛି। ଟିକାକରଣ, ସଂକ୍ରମଣ ଓ ଅଣସଂକ୍ରମଣ ରୋଗ ନିୟନ୍ତ୍ରଣ, ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସେବା, ମାଗଣା ଔଷଧ ବିତରଣ ସହ ଶିଶୁ, ପ୍ରସୂତି ଓ ଗର୍ଭବତୀଙ୍କ ସ୍ୱତନ୍ତ୍ର ଚିକିତ୍ସା, ପରିବାର ନିୟନ୍ତ୍ରଣ, ଚକ୍ଷୁ ସମ୍ବନ୍ଧୀୟ ରୋଗ ପରୀକ୍ଷା ଓ ଚିକିତ୍ସା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ସେବା ଲାଗି ଡାକ୍ତରଖାନାକୁ ଏହି ମାନ୍ୟତା ମିଳିଛି।

ତେବେ ଅଞ୍ଚଳବାସୀ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଥିବା ବେଳେ କେଉଁ ଆଧାରରେ ପ୍ରଶଂସା ପତ୍ର ଦିଆଯାଉଛି ଏହାକୁ ନେଇ ବର୍ତ୍ତମାନ ବିରାଟ ପ୍ରଶ୍ନବାଚୀ ସୃ୍ଷ୍ଟି ହୋଇଛି। କାରଣ ଏଠାରେ ଦୀର୍ଘ ବର୍ଷ ଧରି ଶିଶୁ ରୋଗ ବିଶେଷଜ୍ଞ, ଭେଷଜ ବିଶେଷଜ୍ଞ, ଶଲ୍ୟ ବିଶେଷଜ୍ଞ ଓ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ପଦବି ଖାଲି ପଡ଼ିଛି। ଡାକ୍ତର ପଦବି ପୂରଣ ଦିଗରେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ବିଭିନ୍ନ ସଂଗଠନ, ରାଜନୈତିକ ଦଳ ଓ ବ୍ୟକ୍ତିବିଶେଷ ସ୍ବରୋତ୍ତୋଳନ କରିଥିଲେ ବି ସରକାର, ପ୍ରଶାସନ ଓ ସ୍ବାସ୍ଥ୍ୟବିଭାଗ କେବଳ ନିରବଦ୍ରଷ୍ଟା ସାଜିଛନ୍ତି। ଫଳରେ ଶେରଗଡ଼ ବ୍ଲକ୍ ସମେତ ଆଖପାଖ ଅନ୍ୟ ବ୍ଲକ୍ ଇଲାକାରୁ ଜନସାଧାରଣ ଚିକିତ୍ସା ସୁବିଧାରୁ ବଞ୍ଚିତ ହେଉଥିବାର ବହୁବାର ନଜିର୍ ରହିଛି। ସାଧାରଣ ରୋଗର ଚିକିତ୍ସା ପାଇଁ ଜନସାଧାରଣଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ରେଫର୍ କରାଯାଉଛି। ପ୍ରଶଂସା ପତ୍ର ଦିଆଯିବା ପରେ ଶେରଗଡ଼ରେ ଖୁସିର ଲହରି ଖେଳିଯାଇଛି। ହେଲେ ଡାକ୍ତରଖାନାରେ ସ୍ବାସ୍ଥ୍ୟସେବାକୁ ବ୍ୟବସ୍ଥିତ କରିବା ସହ ବିଶେଷଜ୍ଞ ନିଯୁକ୍ତି ଦିଗରେ ସରକାର ପଦକ୍ଷେପ ନେବାକୁ ସମୟ ଆସିଛି ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର