ରାଉରକେଲା: ରାଉରକେଲା ଟିମ୍ବରକଲୋନିର ଭାନୁମତି ରାଉତ। ୬୦ ବର୍ଷର ବୃଦ୍ଧା ଜଣ ଋଣ ପାଇଁ ଆବଶ୍ୟକ ୧୦ ଟଙ୍କା ଷ୍ଟାମ୍ପ ପେପର କିଣିବାକୁ ନୂଆ କୋର୍ଟକୁ ଆସିଥିଲେ। ୧୦ ଟଙ୍କିଆ ଷ୍ଟାମ୍ପ ପେପର ଖଣ୍ଡିଏ ପାଇଁ ଗୋଟିଏ ଭେଣ୍ଡର ପାଖରୁ ଅନ୍ୟ ଭେଣ୍ଡରଙ୍କ ପାଖକୁ ବାରମ୍ବାର ଦୌଡିଥିଲେ। ହେଲେ କାହାରି ପାଖରେ ୧୦ ଟଙ୍କିଆ ଷ୍ଟାମ୍ପ ପେପର ଖଣ୍ଡିଏ ମିଳି ନଥିଲା। ଶେଷରେ ଭିଡ଼ ଜମିଥିବା ଭେଣ୍ଡରଙ୍କ ପାଖକୁ ଆସିଥିଲେ। ସେଠାରେ ଘଣ୍ଟାଏ ଛିଡା ହେବା ପରେ ୧୦ ଟଙ୍କା ବଦଳରେ ୧୦୦ ଟଙ୍କିଆ ଷ୍ଟାମ୍ପ ପେପର କିଣିବାର ସୁଯୋଗ ପାଇଥିଲେ।
ସେମିତି ବେଦବ୍ୟାସର ସାହିଦ ଖାନ୍, ପୁଲକ ରଞ୍ଜନ ମହାନ୍ତି ଦୋକାନ ପଞ୍ଜୀକରଣ ପାଇଁ ଆବଶ୍ୟକ ୧୦ ଟଙ୍କିଆ ଷ୍ଟାମ୍ପ ପେପର ଖଣ୍ଡିଏ ପାଇବାକୁ ଭେଣ୍ଡରଙ୍କ ନିକଟରେ ଘଣ୍ଟା ଘଣ୍ଟା ଛିଡା ହେବାକୁ ପଡ଼ିଥିଲା। ଶେଷରେ ୧୦୦ ଟଙ୍କିଆ ଷ୍ଟାମ୍ପ ପେପର କିଣି ନେବାକୁ ବାଧ୍ୟ ହୋଇଥିଲେ। କେବଳ ତିନି ଜଣ ନୁହେଁ ଆଜି ଏମିତି ଶହ ଶହ ଦୋକାନୀ ଷ୍ଟାମ୍ପ ପେପର ପାଇଁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। କାରଣ ସରକାରଙ୍କ ପକ୍ଷରୁ ରାଉରକେଲା ସହରକୁ ଆବଶ୍ୟକ ଷ୍ଟାମ୍ପ ପେପର ଯୋଗାଇ ଦିଆଯାଇ ନଥିବାରୁ ଏଭଳି ସମସ୍ୟା ଉପୁଜିଛି। ଦାୟିତ୍ବରେ ଅଧିକାରୀଙ୍କ ଅବହେଳାରୁ ଗତ ୧୫ ଦିନ ଧରି କେବଳ ରାଉରକେଲା ନୁହେଁ, ଆଖ ପାଖ ଅଞ୍ଚଳର ଲୋକମାନଙ୍କୁ ଅନେକ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ୁଛି। ୧୦, ୨୦ ଓ ୫୦ ଟଙ୍କିଆ ଷ୍ଟାମ୍ପ ପେପର ଆଦୌ ମିଳୁନି। ୧୦ ଟଙ୍କିଆ ଷ୍ଟାମ୍ପ ପେପର ବଦଳରେ ଲୋକମାନେ ୧୦୦, ୨୦୦ ଓ ୫୦୦ ଟଙ୍କିଆ ଷ୍ଟାମ୍ପ ପେପର କିଣିବାକୁ ବାଧ୍ୟ ହେଉଛନ୍ତି।
ଗତ ତିନି ଦିନ ତଳେ ଭେଣ୍ଡରମାନଙ୍କୁ ଯେତିକି ଷ୍ଟାମ୍ପ ପେପର ଦିଆଯାଇଥିଲା, ତାହା ଅଧିକାଂଶ ପାଖରେ ସରିଗଲାଣି। ଯେଉଁ କିଛି ଭେଣ୍ଡରମାନଙ୍କ ପାଖରେ ୧୦୦ ଟଙ୍କିଆ ଷ୍ଟାମ୍ପ ପେପର ଅଛି, ସେଠି ଲୋକଙ୍କ ନାହିଁ ନଥିବା ଭିଡ ଲାଗୁଛି। ଖଣ୍ଡିଏ ୧୦୦ ଟଙ୍କିଆ ଷ୍ଟାମ୍ପ ପେପର ପାଇଁ ଭେଣ୍ଡର ଆଗରେ ଲୋକଙ୍କ ମଧ୍ୟରେ ଠେଲାପେଲା ହେଉଛି। କିଛି ଲୋକ ଘଣ୍ଟା ଘଣ୍ଟା ଛିଡା ହୋଇ ଫେରିଯିବାକୁ ବାଧ୍ୟ ହେଉଛନ୍ତି। ସେପଟେ ରାଉରକେଲା ମହାନଗର ନିଗମ ପକ୍ଷରୁ ଭେଣ୍ଡିଂ ଜୋନ୍ ପଞ୍ଜିକରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସମସ୍ୟା ଆହୁରି ଜଟିଳ ହୋଇଛି। ପ୍ରତ୍ୟେକ ଦିନ ରାଉରକେଲା କୋର୍ଟରେ ଦୋକାନୀଙ୍କ ଭିଡ ଜମୁଛି। ସୂଚନାଯୋଗ୍ୟ, ରାଉରକେଲା ପୂରୁଣା ଓ ନୂଆ କୋର୍ଟରେ ୭ ଜଣ ଭେଣ୍ଡର ଅଛନ୍ତି। ଜମିଜମା କିଣାବିକାରେ ୫୦୦ରୁ ଆରମ୍ଭ କରି ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଷ୍ଟାମ୍ପ ପେପର ହୋଇଥାଏ। କୋର୍ଟରେ ୧୦ ଟଙ୍କା ଆରମ୍ଭ କରି ୫୦୦ ,୧୦୦୦ ଟଙ୍କିଆ ଓ ତା’ରୁ ଅଧିକ ଟଙ୍କାର ଷ୍ଟାମ୍ପ ପେପର ଆବଶ୍ୟକତା ପଡିଥାଏ। ସହରରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।