କଟକ/ନରସିଂହପୁର : ପଥର ଅଭାବ ଫଳରେ ଦେଢ ବର୍ଷ ହେବ ବନ୍ଦ ପଡିଛି ୮ କୋଟିର କାମ। ତହସିଲଦାର ମଧ୍ୟ ବର୍ଷକୁ ମାତ୍ର ୧୨ ହଜାର କ୍ବିବିକ୍‌ ମିଟର ପଥର ଯୋଗାଇ ହେବ ବୋଲି ଚିଠି ଲେଖିଦେଇଛନ୍ତି। ଏଭଳି ପଥର ଅଭାବ ସମସ୍ୟା ଭିତରେ ନିର୍ମାଣର ସମୟ ଅବଧି ବି ସରି ଗଲାଣି। କିନ୍ତୁ କାମ ଅଧାରେ ବନ୍ଦ ପଡିଛି। କିନ୍ତୁ ଯଦି ପଥର ଅଭାବ ଥିଲା, ତାହେଲେ ଏହି କାମ ପାଇଁ କିଏ ଅନୁମତି ଦେଲା ବୋଲି ପ୍ରଶ୍ନ ଉଠୁଛି। କଟକ ଜିଲ୍ଲାର ନରସିଂହପୁର ଜଳସମ୍ପଦ ବିଭାଗ ଅଧୀନରେ ଚାଲିଥିବା ମହାନଦୀ ବନ୍ଧ ସୁଦୃଢୀକରଣ କାର୍ଯ୍ୟର ଏଭଳି ସ୍ଥିତି ଏବେ ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି କରିଛି। ବାଣେଶ୍ବର ମୁଣ୍ଡିଆଠାରୁ ବୁଦ୍ଧିମୁଣ୍ଡିଆ ନଦୀବନ୍ଧ କାର୍ଯ୍ୟ ବନ୍ଦ ପଡିଥିବା ବେଳେ ଯେଉଁ କାମ ବିନା ପଥର ପ୍ୟାକିଂରେ ହୋଇଥିଲା, ତାହା ବର୍ଷାରେ ଧୋଇ ଯାଇଛି। ଫଳରେ ମାଟି କାମ ହୋଇଥିବା ୩ କୋଟି ଟଙ୍କାର ବିନିଯୋଗକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment

ନରସିଂହପୁର ବ୍ଲକ୍‌ ଅନ୍ତର୍ଗତ ମହାନଦୀର କାଠଖୁଣ୍ଟରୁ ବାଲିଝରି ଓ ବାଣେଶ୍ବର ମୁଣ୍ଡିଆଠାରୁ ବୁଦ୍ଧି ମୁଣ୍ଡିଆ ପର୍ଯ୍ୟନ୍ତ ୧୭.୨୪ କିଲୋମିଟର ନଦୀବନ୍ଧ ସୁଦୃଢୀକରଣ ପାଇଁ ୧୧କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା। ଏଥିପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ଟେଣ୍ଡର ମାଧ୍ୟମରେ ଏହି କାର୍ଯ୍ୟ କରିବା ପାଇଁ ନିର୍ମାଣକାରୀ ସଂସ୍ଥା ଟେଣ୍ଡର ପାଇଥିଲେ। ଏହାର ନିର୍ମାଣ ଅବଧି ୨୦୧୯, ମାର୍ଚ୍ଚ ୬ ତାରିଖରୁ ଆରମ୍ଭ ହୋଇ ୨୦୨୦, ସେପ୍ଟେମ୍ବର ୫ ମଧ୍ୟରେ ଶେଷ ହେବା କଥା। କିନ୍ତୁ କାଠଖୁଣ୍ଟରୁ ବାଲିଝରି ପର୍ଯ୍ୟନ୍ତ କେବଳ ୩ କୋଟିର ମାଟି କାମ କରାଯାଇଛି। ପଥର ପ୍ୟାକିଂ ହୋଇନି। ସେହିପରି ବାଣେଶ୍ବର ମୁଣ୍ଡିଆଠାରୁ ବୁଦ୍ଧିମୁଣ୍ଡିଆ ନଦୀବନ୍ଧ ସୁଦୃଢୀକରଣ ପାଇଁ ଉଭୟ ମାଟିକାମ ଓ ପଥର ପ୍ୟାକିଂ ‌କାର୍ଯ୍ୟ ଆଦୌ କରାଯାଇନି। ବିଭାଗର ସୂଚନା ଅନୁସାରେ ଉକ୍ତ ସୁଦୃଢୀକରଣ କାର୍ଯ୍ୟ ପାଇଁ ୩୯ ହଜାର କ୍ବିବିକ୍‌ ମିଟର ପଥର ଆବଶ୍ୟକ। ହେଲେ ତାହା ନରସିଂହପୁର ଅଞ୍ଚଳରେ ସଂପୃକ୍ତ ଠିକାଦାରଙ୍କୁ ମିଳିଲାନି। ଫଳରେ ସେ କାମ ଅଧା କରି ପକାଇଛନ୍ତି। ଅନ୍ୟପଟେ ବିଭାଗ ପକ୍ଷରୁ ନରସିଂହପୁର ତହସିଲଦାରଙ୍କୁ ପଥର ଯୋଗାଣ ଓ କେତେ ପଥର ମିଳିପାରିବ ସେ ସଂପର୍କରେ ଚିଠି କରାଯାଇଥିଲା। ସେଥିରେ ତହସିଲଦାର ମଧ୍ୟ ବର୍ଷକୁ ୧୨ ହଜାର କ୍ବିବିକ୍‌ ମିଟର ପଥର ମିଳିପାରିବ ବୋଲି ସ୍ପଷ୍ଟ କରିଥିଲେ। ଫଳରେ ପଥର ଅଭାବ ଦର୍ଶାଇ ମାଟି କାମ କରି ଠିକାଦାର ଆଉ ବାକି କାମ ପାଇଁ ଧରା ଦେଉନଥିବା ଜଣାପଡିଛି।

ଅନ୍ୟପଟେ ସ୍ଥାନୀୟ ଅଞ୍ଚଳରେ ପଥର ଚାଲାଣ ନେଇ ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସିବା ସହ ପଥର ବେପାରକୁ କିଛି ମୁଷ୍ଟିମେୟ ନିଜ ନିୟନ୍ତ୍ରଣରେ ରଖିଥିବାରୁ ପଥର ଖାଦାନ ପାଇଁ ଉକ୍ତ ଅଞ୍ଚଳରେ ଲିଜ୍‌ ମଧ୍ୟ ଦିଆଯାଇ ପାରୁନଥିବା ଜଣାପଡିଛି। ଯଦି ତହସିଲଦାରଙ୍କ ଚିଠି ଅନୁସାରେ କାମ ଚାଲେ ତାହେଲେ ଏହି କାମ ସାରିବାକୁ ୩ବର୍ଷ ଲାଗିବ। କିନ୍ତୁ ଅନ୍ୟସ୍ଥାନରୁ ଏହାକୁ ଆଣି ନରସିଂହପୁରରେ କାମ କରିବାକୁ ଅଧିକ ଭଡା ବାବଦକୁ ଖର୍ଚ୍ଚ ପଡିଯିବ। ତେଣୁ ଠିକାଦାର ମଧ୍ୟ ରାଜି ହେଉନଥିବାରୁ ଏହି କାର୍ଯ୍ୟ କିପରି ହେବ ସେଥିପାଇଁ ବିଭାଗ ପକ୍ଷରୁ ଏକ ସଂ‌ଶୋଧିତ ଏଷ୍ଟିମେଟ୍‌ ବିଭାଗକୁ ପଠାଯାଇଛି। ଏହା ଅନୁମୋଦିତ ହେଲେ କାର୍ଯ୍ୟ ଆରମ୍ଭ ହେବାର ସମ୍ଭାବନା ରହିଛି। ଅନ୍ୟପଟେ ଏହି କାର୍ଯ୍ୟର ଅବଧି ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ମଧ୍ୟ ଉକ୍ତ ନିର୍ମାଣକାରୀ ସଂସ୍ଥା ଆବେଦନ କରିଛନ୍ତି। ଏ ସଂପର୍କରେ ନରସିଂହପୁର ଦାୟିତ୍ବରେ ଥିବା ସହକାରୀ ଯନ୍ତ୍ରୀ ପଂଚାନନ ସାହୁଙ୍କ କହିବା କଥା ହେଲା ଯେ ମାଟି କାମ ସରିଛି କିନ୍ତୁ ପଥର ମିଳୁ ନଥିବାରୁ କାମ ଆଗେଇ ପାରୁନି।