ରେଳ ମନ୍ତ୍ରୀ ଦୃଷ୍ଟି ଦେବେ କି? ଜଳେଶ୍ବର-ସୋରରେ ଅଟକୁନାହିଁ କଳିଙ୍ଗ-ଉତ୍କଳ ଏକ୍ସପ୍ରେସ୍‌

ବାଲେଶ୍ବର: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ବାଲେଶ୍ବର ଗସ୍ତରେ ଆସି ବାଲେଶ୍ବରରୁ ଭୁବନେଶ୍ୱରକୁ ପ୍ରଥମ ମେମୁ ଟ୍ରେନ୍‌ ସାଙ୍ଗକୁ ନୀଳଗିରି, ବସ୍ତା ଓ ଜଳେଶ୍ବରର ଷ୍ଟେସନରେ ନୂତନ ଷ୍ଟେସନ ଗୃହର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ବାଲେଶ୍ବରବାସୀ ରେଳମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ସାଧୁବାଦ ଜଣାଇବା ସହ ରେଳସେବାରେ ଦୀର୍ଘଦିନ ଧରି ସମ୍ମୁଖୀନ ହୋଇ ଆସୁଥିବା ଏକ ପ୍ରମୁଖ ସମସ୍ୟା ସଂପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସମସ୍ୟାଟି ହେଉଛି ଖଡ଼ଗପୁର ହୋଇ ରାଉରକେଲା ଯିବା ପାଇଁ ବାଲେଶ୍ବର ଜିଲ୍ଲାବାସୀଙ୍କ ଏକମାତ୍ର ଭରସା ହେଲା ପୁରୀ-ହରିଦ୍ବାର କଳିଙ୍ଗ ଉତ୍କଳ ଏକ୍ସପ୍ରେସ। ଉଭୟ ପଟୁ ଯିବା ଆସିବା ସମୟରେ ଏହି ଟ୍ରେନ୍‌ଟି ମଧ୍ୟ ରାତ୍ରିରେ ସୋର, ବାଲେଶ୍ବର ଓ ଜଳେଶ୍ବର ଷ୍ଟେସନ ଅତିକ୍ରମ କରେ। ତେବେ କରୋନା କଟକଣା ପୂର୍ବରୁ ଏହି ଟ୍ରେନଟି ଉକ୍ତ ଷ୍ଟେସନମାନଙ୍କରେ ଅଟକୁଥିବା ବେଳେ କଟକଣା ପରେ ରେଳ ବିଭାଗ ଏକ ବିଚିତ୍ର ନିଷ୍ପତ୍ତି ନେଇଛନ୍ତି। ଟ୍ରେନ୍‌ଟି ରାଉରକେଲାରୁ ପୁରୀ ଫେରିବା ବେଳେ ଜଳେଶ୍ବର ଓ ସୋର ଷ୍ଟେସନରେ ଅଟକୁଥିବା ବେଳେ ପୁରୀରୁ ରାଉରକେଲା ଅଭିମୁଖେ ଯିବାବେଳେ ଏହି ଦୁଇଷ୍ଟେସନରେ ଅଟକୁ ନାହିଁ। ଫଳରେ ପ୍ରତିଦିନ ଏହି ଟ୍ରେନ୍‌ରେ ରାଉରକେଲା ଯିବାକୁ ଟିକଟ କରୁଥିବା ଭୋଗରାଇ, ବାଲିଆପାଳ, ଜଳେଶ୍ବର, ସୋର, ଖଇରା, ସିମୁଳିଆ ଅଞ୍ଚଳର ଯାତ୍ରୀମାନେ ବର୍ଷା ଓ ଶୀତରାତିରେ ପିଲାଛୁଆଙ୍କୁ ନେଇ କାର୍ ଭଡ଼ା କରି ବାଲେଶ୍ବର କିମ୍ବା ଭଦ୍ରକ ଷ୍ଟେସନ ଯାଇ ଟ୍ରେନ ଧରୁଛନ୍ତି। ତେବେ ପ୍ରଶ୍ନ ଉଠୁଛି ଯଦି ଏହି ଟ୍ରେନ୍‌ଟି ଫେରିଲା ବେଳକୁ ଏହି ଦୁଇ ଷ୍ଟେସନରେ ରହିପାରୁଛି, ଗଲା ବେଳକୁ ଅଟକିବାରେ ଅସୁବିଧା କେଉଁଠି? ରେଳ ବିଭାଗର ଇଏ କି ପ୍ରକାର ବିଚିତ୍ର ନିଷ୍ପତି। ଯଦିଓ ଏନେଇ ବିଭିନ୍ନ ଫୋରମ୍‌ରୁ ଦକ୍ଷିଣପୂର୍ବ ରେଳବାଇ ଓ ପୂର୍ବତଟ ରେଳବାଇ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ହେଲେ ବର୍ଷେ ହେଲା ଏନେଇ କେହି କର୍ଣ୍ଣପାତ କରୁନାହାନ୍ତି।

ତେବେ ରେଳମନ୍ତ୍ରୀ ସମ୍ଭବତଃ ଏଭଳି ଏକ ସମସ୍ୟା ସଂପର୍କରେ ହୁଏତ ଅବଗତ ନଥିବେ। ବାଲେଶ୍ବର ଜିଲ୍ଲାର ହଜାର ହଜାର ଲୋକଙ୍କୁ ପ୍ରଭାବିତ କରୁଥିବା ଏହା ଏକ ଗମ୍ଭୀର ସମସ୍ୟା। ସେ ନିଜେ ପୂର୍ବରୁ ବାଲେଶ୍ବର ଜିଲ୍ଲାର ଜିଲ୍ଲାପାଳ ଥିବାରୁ ଜିଲ୍ଲାବାସୀଙ୍କ ଏହି ସମସ୍ୟା ବାବଦରେ ନିଶ୍ଚୟ ହୃଦୟଙ୍ଗମ କରିବେ ବୋଲି ସାଧାରଣାରେ ଆଶା କରାଯାଇଛି।

ସମ୍ବନ୍ଧିତ ଖବର