ଗଂଜାମ ଓକିଲ ସଂଘ ପରାମର୍ଶଦାତା କମିଟିର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଆନ୍ଦୋଳନ ନୁହେଁ, ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ଚାଲିବ

ବ୍ରହ୍ମପୁର : ବ୍ରହ୍ମପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ଦାବି ନେଇ ଗଞ୍ଜାମ ଓକିଲ ସଂଘ ପକ୍ଷରୁ ଚାଲିଥିବା ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ଜାରି ରହିବ। ସଂଘ ପକ୍ଷରୁ ଆନ୍ଦୋଳନ କିମ୍ବା କାର୍ଯ୍ୟବନ୍ଦ କରାଯାଉ ନାହିଁ କିମ୍ବା କରାଯିବ ନାହିଁ; କୋର୍ଟ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରାଯିବ ନାହିଁ। ପୂର୍ବରୁ ଯେଭଳି ଶାନ୍ତିପୂର୍ଣ୍ଣ ଭାବେ ସତ୍ୟାଗ୍ରହ ଜାରି ରହିଥିଲା, ସେଭଳି ଜାରି ରହିବ। ମହକିଲ ସେମାନଙ୍କ କୋର୍ଟ ତାରିଖରେ ନିଜେ ଯୋଗ ଦେଇପାରିବେ। ଶାନ୍ତିପୂର୍ଣ୍ଣ ପ୍ରତିବାଦ ଓ ସତ୍ୟାଗ୍ରହ ନିମନ୍ତେ ପ୍ରତ୍ୟେକ ନାଗରିକଙ୍କ ସାମ୍ବିଧାନିକ ଅଧିକାର ରହିଛି। ଯଦି ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଗଂଜାମ ବାର୍‌ ଆସୋସିଏସନ୍‌ର କୌଣସି କର୍ମକର୍ତ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ, ତେବେ ସଂଘର ୧୪୫୦ ଆଇନଜୀବୀ ସାମୂହିକ ଭାବେ ଇସ୍ତଫା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆ ଯାଇଥିବା ଗଞ୍ଜାମ ଓକିଲ ସଂଘର ସଭାପତି କପିଳେଶ୍ବର ପଟ୍ଟନାୟକ ପ୍ରକାଶ କରିଛନ୍ତି।

ପ୍ରକାଶ ଥାଉକି, ଆଇନଜୀବୀଙ୍କ ଆନ୍ଦୋଳନକୁ ନେଇ ସୁପ୍ରିମ୍‌କୋର୍ଟଙ୍କ କଡ଼ା ଆଭିମୁଖ୍ୟ ଓ ଆନ୍ଦୋଳନ ପ୍ରତ୍ୟାହାର ନକଲେ ଲାଇସେନ୍ସ ବାତିଲ କରିବାକୁ ଚେତାବନୀ ପରେ ଗତ ୧୫ ତାରିଖ ଦିନ ଗଂଜାମ ଜିଲ୍ଲା ବାର୍‌ ଆସୋସିଏସନ୍‌ ବୈଠକ ସଭାପତି ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଆସୋସିଏସନ୍‌ର ବରିଷ୍ଠ କର୍ମକର୍ତ୍ତା ଓ ସଭ୍ୟ ଅଂଶଗ୍ରହଣ କରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ତର୍ଜମା କରି ପରାମର୍ଶଦାତା କମିଟିକୁ ଅବଗତ କରାଇବା ନେଇ ନିଷ୍ପତ୍ତି ନିଆ ଯାଇଥିଲା। ଆଜି ଆସୋସିଏସନ୍‌ର ସମ୍ମିଳନୀ କକ୍ଷରେ ସଭାପତି ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପରାମର୍ଶଦାତା କମିଟି, କାର୍ଯ୍ୟକାରୀ କମିଟି ଓ ଆକ୍ସନ୍ କମିଟିର ମିଳିତ ବୈଠକ ହୋଇଥିଲା। ବୈଠକରେ ସମସ୍ତ କମିଟିର କର୍ମକର୍ତ୍ତା ଓ ସଦସ୍ୟ ଅଂଶ ଗ୍ରହଣ କରି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଚାଲିଥିବା ସତ୍ୟାଗ୍ରହ ଚାଲୁ ରହିବ ବୋଲି ନିଷ୍ପତ୍ତି ନେଇଥିଲେ।

କୋର୍ଟ କାର୍ଯ୍ୟକୁ ଆଦୌ ପ୍ରତିବନ୍ଧକ କରାଯିବ ନାହିଁ ବୋଲି ନିଷ୍ପତ୍ତି ଜଣାଇଥିଲେ। ଯଦି ସୁପ୍ରିମ୍‌କୋର୍ଟ ଆସୋସିଏସନ୍‌ର କୌଣସି କର୍ମକର୍ତ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ତେବେ ଜିଲ୍ଲାର ସମସ୍ତ ଆଇନଜୀବୀ ସାମୂହିକ ଭାବେ ଇସ୍ତଫା ଦେବେ ବ‌ୋଲି ନିଷ୍ପତ୍ତି ନିଆଯାଇଥିଲା। ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ଠାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଦୀର୍ଘ ବର୍ଷ ଧରି ଆଇନଜୀବୀଙ୍କ ପକ୍ଷରୁ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ଜାରି ରହିଛି। ପ୍ରତିମାସର ଶେଷ ଚାରି ଦିନ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଉଛି। ଆଜିର ବୈଠକର ନିଷ୍ପତ୍ତିକୁ ନେଇ ଆଗାମୀ ଦିନରେ ଆସୋସିଏସନ୍‌ର ସାଧାରଣ ପରିଷଦ ବୈଠକରେ ଆଲୋଚନା କରାଯାଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି। ଆଜିର ବୈଠକରେ ବରିଷ୍ଠ ଆଇନଜୀବୀ ମାଗୁଣି ପଲେଇ, ଶିଶିର କୁମାର ପାଢ଼ୀ, ରାମ କୁମାର, ସଂଜୀବ ପାଣିଗ୍ରାହୀ, ଦୀପକ ପଟ୍ଟନାୟକ, ବିଷ୍ଣୁ ମୋହନ, ଟୁକୁ ନାୟକ, ପ୍ରଦୀପ ପଣ୍ଡା, ଜ୍ୟୋତି ଛୋଟରାୟ, ପ୍ରଦୀପ ବେହେରାଙ୍କ ସମେତ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ଆଇନଜୀବୀ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର