ଭୁବନେଶ୍ବର: ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଞ୍ଚିଛି। ସରକାର ଓ ମହାସଂଘ ନିଜ ନିଜ ଜିଦରେ ଅଟଳ ରହିଛନ୍ତି। ଫଳରେ ପରିସ୍ଥିତି ସଙ୍ଗିନ ଆକାର ଧାରଣ କରିଛି। ସାରା ରାଜ୍ୟରେ ଲୋକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ରାଜ୍ୟର ବହୁ ତେଲ ଟାଙ୍କିରେ ତେଲ ଅଭାବରୁ ତାଲା ପଡ଼ି ସାରିଲାଣି। ସରକାର ପୁଲିସ ସହାୟତାରେ ଡିପୋରୁ ତେଲ ପରିବହନ କରି ବିଭିନ୍ନ ତେଲ ଟାଙ୍କିରେ ତେଲ ପହଞ୍ଚାଉଛନ୍ତି। କିନ୍ତୁ ଏହା ଯଥେଷ୍ଟ ହେଉ ନାହିଁ। ଅନ୍ୟପକ୍ଷରେ ରାଜ୍ୟର ଅନ୍ୟ ଡ୍ରାଇଭର ସଂଘ ଗାଡ଼ି ଚଳାଉଥିବା ବେଳେ ଆନ୍ଦୋଳନକାରୀ ଡ୍ରାଇଭରମାନେ ତେଲ ଆଣୁଥିବା ଡ୍ରାଇଭରମାନଙ୍କୁ ଅଟକାଇ ସେମାନଙ୍କ ଗୋଡ଼ ତଳେ ପଡ଼ି ଗାଡ଼ି ନ ଚଳାଇବାକୁ ଅନୁରୋଧ କରୁଛନ୍ତି। ଏହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍ତେଜନା ମଧ୍ୟ ଦେଖା ଦେଇଛି। କେବଳ ତେଲ ନୁହେଁ ଗ୍ୟାସ୍ ସିଲିଣ୍ଡର ମଧ୍ୟ ଆଉ ମିଳୁ ନାହିଁ। ବିଭିନ୍ନ ସ୍ଥାନରେ ଗ୍ୟାସ ସିଲିଣ୍ଡର ବୋଝେଇ ଗାଡ଼ି ଅଟକି ରହିଛି। ଖାଉଟି ସାମଗ୍ରୀ ମଧ୍ୟ ଗୋଦାମକୁ ପରିବହନ କରାଯାଇ ପାରୁନାହିଁ। ଅଟୋ ଚାଳକମାନେ ଆନ୍ଦୋଳନରେ ସାମିଲ ଥିବାରୁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପର୍ଯ୍ୟାପ୍ତ ପରିମାଣରେ ବସ୍ ଚାଲୁ ନଥିବାରୁ ଯାତ୍ରୀମାନେ ବିଭିନ୍ନ ବସ୍ଷ୍ଟାଣ୍ଡରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହୁଛନ୍ତି।
ତେଲ ଟାଙ୍କି ବନ୍ଦ, ଗ୍ୟାସ୍ ସିଲିଣ୍ଡର ମଧ୍ୟ ମିଳୁନି
ବଜାରରୁ ସରି ଆସିଲାଣି ପନିପରିବା ଓ ତେଜରାତି ସାମଗ୍ରୀ
ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ବିରୋଧ କଲେ ଅନ୍ୟ ଡ୍ରାଇଭର ସଂଘ
ଜରୁରୀ ସାମଗ୍ରୀ ପରିବହନ ପାଇଁ ସରକାରଙ୍କ ସମୀକ୍ଷା
୮ ତାରିଖରେ ଆନ୍ଦୋଳନର ପ୍ରଥମ ଦିନରେ ଡ୍ରାଇଭର ମହାସଂଘ ସହ ସରକାର ମାରାଥନ ବୈଠକ କରିଥିଲେ। ସେଥିରେ କୌଣସି ନିଷ୍କର୍ଷ ବାହାରି ନଥିଲା। କିନ୍ତୁ ଗତକାଲି ଓ ଆଜି ମହାସଂଘ ସହ ସରକାରଙ୍କର କୌଣସି ଆଲୋଚନା ହୋଇ ନାହିଁ। ତେଣୁ ଏହି ଆନ୍ଦୋଳନର ସମାଧାନର ବାଟ ବାହାରିପାରୁ ନାହିଁ।
ଅପର ପକ୍ଷରେ ଆନ୍ଦୋଳନକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପକ୍ଷରୁ ଜରୁରୀ ସାମଗ୍ରୀ, ବିଶେଷତଃ ପେଟ୍ରୋଲିୟମ ଉତ୍ପାଦର ନିରବଚ୍ଛିନ୍ନ ଯୋଗାଣ ନିଶ୍ଚିତ କରିବା ପାଇଁ ଏକ ବୈଠକ ଡକାଯାଇଥିଲା। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ରାଜ୍ୟର ଯୋଗାଣ ଶୃଙ୍ଖଳାରେ ସୃଷ୍ଟି ହୋଇଥିବା ବ୍ୟାଘାତ ରୋକିବା ପାଇଁ ଟାକ୍ସ ଫୋର୍ସ ଗଠନ କରାଯାଇଥିଲା। ବାଣିଜ୍ୟ ଓ ପରିବହନ ବିଭାଗ, ପୁଲିସ କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ଓ ଓଏମ୍ସି ଅଧିକାରୀ ପ୍ରମୁଖ ଏଥିରେ ରହିଛନ୍ତି। ସମସ୍ତ ଜିଲ୍ଲା ପ୍ରଶାସନ ଓ ପୁଲିସ ବିଭାଗକୁ ଇନ୍ଧନ ଟ୍ୟାଙ୍କର ଓ ମାଲବାହୀ ଗାଡ଼ିଗୁଡ଼ିକୁ ଆବଶ୍ୟକ ସ୍ଥାନରେ ସୁରକ୍ଷା ଓ ଲଜିଷ୍ଟିକ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି, ଓଡ଼ିଶାରେ ଇନ୍ଧନର କୌଣସି ଅଭାବ ନାହିଁ। ତୈଳ ବିପଣନ କମ୍ପାନିମାନେ ରାଜ୍ୟର ଡିପୋ ଓ ରିଟେଲ ଆଉଟଲେଟଗୁଡ଼ିକରେ ଯଥେଷ୍ଟ ତେଲ ମହଜୁଦ ରଖିଛନ୍ତି। ସେହିପରି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ସଂକଟ ନାହିଁ। ଡ୍ରାଇଭରଙ୍କ ଦାବି ଉପରେ ସରକାର ବିଚାର କରୁଛନ୍ତି। ତେଲ ଟ୍ୟାଙ୍କର ଆସିଯାଇଛି। ଯିଏ କଳାବଜାରୀ କରୁଛି, କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି।
ଉତ୍କଳ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍ର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍ କହିଛନ୍ତି, ରାଜ୍ୟରେ ତେଲ ସଙ୍କଟ ନାହିଁ। ପ୍ରଥମ ଓ ଦ୍ୱିତୀୟ ଦିନ ପ୍ରଭାବ ପଡ଼ିଥିଲା। ଗତକାଲି ୪ଟି ଡିପୋରୁ ୧୦୦ ଏବଂ ଆଜି ପ୍ରାୟ ୫୦୦ ତୈଳ ବୋଝେଇ ଟ୍ରକ ବାହାରି ସାରିଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ତେଲ ପହଞ୍ଚିଯିବ। ଗ୍ରାହକ କୃତ୍ରିମ ଅଭାବ ସୃଷ୍ଟି ନକରନ୍ତୁ। ଓଡ଼ିଶା ମୋଟରଚାଳକ ସଂଘର ସଭାପତି ଅକ୍ଷୟ ନାୟକ କହିଛନ୍ତି, ଯେଉଁମାନେ ସଂଘ ନାମରେ ଆନ୍ଦୋଳନକୁ ବିରୋଧ କରୁଛନ୍ତି ସେମାନେ ସରକାରୀ ସ୍ବୀକୃତି ପ୍ରାପ୍ତ ସଂଘ ନୁହନ୍ତି। ରାଜ୍ୟରେ ଶାନ୍ତିଶୃଙ୍ଖଳାରେ ଆନ୍ଦୋଳନ ଚାଲିଛି। ସରକାର ଦାବି ପୂରଣ ନ କରିବା ଯାଏ ଆନ୍ଦୋଳନ ଚାଲିବ।
ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ କୁହାଯାଇଛି ଯେ, ଆଜି ସରକାର ଆଲୋଚନା ପାଇଁ ଡାକି ନାହାନ୍ତି। କିନ୍ତୁ ସକାଳୁ ଆନ୍ଦୋଳନକୁ ବନ୍ଦ କରିବା ପାଇଁ ସରକାରଙ୍କ ତରଫରୁ ଚାପ ପକାଯାଇଥିଲା। ସଂଘ ଲିଖିତ ପ୍ରତିଶ୍ରୁତି କିମ୍ବା ମୁଖ୍ୟମନ୍ତ୍ରୀ ଗଣମାଧ୍ୟମରେ ଡ୍ରାଇଭରଙ୍କ ଦାବି ପୂରଣ ନେଇ କୁହନ୍ତୁ। ସ୍ମାର୍ଟ ସିଟି ଅନଲାଇନ ଅଟୋ ସଂଘର ସଭାପତି ଦୀନବନ୍ଧୁ ନାୟକ କହିଛନ୍ତି ଯେ ଯେଉଁ ଦାବି ରହିଛି ତାହାକୁ ସରକାର ମାନି ସାରିଲେଣି। ଦାବିକୁ ମଧ୍ୟ ସବୁ ସଂଘ ସମର୍ଥନ କରୁଛୁ। କିଛି ଡ୍ରାଇଭର ନିଜର ରାଜନୈତିକ ଇଚ୍ଛା ପୂରଣ ପାଇଁ ଏଭଳି ଡ୍ରାଇଭରମାନଙ୍କୁ ଏକାଠି କରି ରାଜ୍ୟରେ ଅରାଜକତା ସୃଷ୍ଟି କରୁଛନ୍ତି। ଅନ୍ୟ ଡ୍ରାଇଭରମାନଙ୍କୁ ହଇରାଣ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/11/dgjgjddgjcnbcncbnbcn-2025-07-11-01-47-27.jpg)