ଧରାକୋଟ : ଟୋକନ୍ ଅଛି, କିନ୍ତୁ ଟାର୍ଗେଟ୍ ନଥିବାରୁ ମଣ୍ଡିରେ ଧାନ ଉଠିପାରୁନି। ଏଭଳି ପରିସ୍ଥିତିରେ ଟୋକନ୍ ଅବଧି ଶେଷ ହେବାକୁ ବସୁଥିବାରୁ ଚାଷୀ ମୁଣ୍ଡରେ ଭାଳେଣି ପଡ଼ିଛି। ଆଉ ମିଲର୍ ମାନଙ୍କ ମନମୁଖି ନୀତି ଚାଷୀଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ସାବ୍ୟସ୍ତ ହୋଇଛି। ମିଲର୍ ମାନେ କଟ୍ନି ଛଟ୍ନି ନୀତି ଆପଣାଇବା ସହ ପରିବହନ ଖର୍ଚ୍ଚ ଓ ଅଖାର ପ୍ରାପ୍ୟ ହେଉନାହାନ୍ତି। ଫଳରେ ଚଳିତବର୍ଷ ଲାଭ ଆଶା ମଉଳିଯାଇଥିବାରୁ ବାହାର ଆନ୍ଧ୍ର ବେପାରୀକୁ ଶାଗମାଛ ମୂଲରେ ଧାନବସ୍ତା ବିକିବାକୁ ଚାଷୀ ବାଧ୍ୟ ହେଉଛନ୍ତି । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ରୁ ଏହି ଚିତ୍ର ସାମ୍ନାକୁ ଆସିଛି। ଆଉ ଟୋକନ୍ ଥାଇ ବି ଟାର୍ଗେଟ୍ ନଥିବାରୁ ଶରଧାପୁର ଗ୍ରାମ ଓମ୍ ଶାନ୍ତି ସ୍ବୟଂ ସହାୟକ ଗୋଷ୍ଠୀରେ ପଞ୍ଜୀକୃତ ୧୮୭ ଜଣ ଚାଷୀ ଆଜି ବିଡିଓ ଡେନିସ୍ ବେହେରାଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏଯାବତ୍ ୧୦୭ ଜଣ ଚାଷୀଙ୍କ ଟୋକନ୍ ଆସିଥିଲେ ହେଁ, ଟାର୍ଗେଟ୍ ନଥିବାରୁ ସେମାନେ ଧାନ ବିକ୍ରି ପାରୁନାହାନ୍ତି। ଏଦିଗରେ ଆଗକୁ ପଦକ୍ଷେପ ଗ୍ରହଣ କରା ନଗଲେ ରାଜରାସ୍ତାରେ ଆନ୍ଦୋଳନ ପାଇଁ ଚାଷୀ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ସମସ୍ୟା ସଂପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି।
ଯୋଗାଣ ଅଧିକାରୀ ସଞ୍ଜୟ ମଲ୍ଲିକ କହିଛନ୍ତି,ସାଟେଲାଇଟ୍ ସର୍ଭେ ଯୋଗୁଁ ଟାର୍ଗେଟ୍ କମିଯାଇଛି। ବ୍ଲକ୍ର ସମସ୍ତ ୧୯ଟି ମଣ୍ଡିକୁ ଅତିରିକ୍ତ ଟାର୍ଗେଟ୍ ପାଇଁ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଅବଗତ କରାଯିବ। ଚାଷୀଙ୍କ ସମସ୍ୟା ସମାଧାନ ଦିଗରେ ଉଦ୍ୟମ ହେବ। ସୂଚନା ଥାଉକି, ଧରାକୋଟ ବ୍ଲକ୍ରେ ୧୫ଟି ସେବା ସମବାୟ ସମିତି ସମେତ ଓମ୍ ଶାନ୍ତି, ମା’ ଗ୍ରାମଦେବତୀ, ମା’ ତାରିଣୀ ଓ ବ୍ରାହ୍ମଣୀଦେବୀ ସ୍ବୟଂ ସହାୟକ ଗୋଷ୍ଠୀକୁ ଧାନ କିଣିବାକୁ ଦାୟିତ୍ବ ଦିଆଯାଇଛି। ୧୯ଟି ମଣ୍ଡିରୁ ୧ ଲକ୍ଷ ୬୨ହଜାର କ୍ବିଣ୍ଟାଲ୍ ଧାନ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।