ଶିକ୍ଷକ ନାହାନ୍ତି କି ଭିତ୍ତିଭୂମି ନାହିଁ, ରଙ୍ଗ ବୋଳି ପ୍ରଚାର ହେଉଛି: ବିରୋଧୀ

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗର ଖର୍ଚ୍ଚ ଦାବି ପାରିତ

ଭୁବନେଶ୍ବର: ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ମୌଳିକ ସୁବିଧା ସୁଯୋଗ ମିଳୁନି। ଗୋଟିଏ ଶ୍ରେଣୀଗୃହରେ ୫ଟି ଶ୍ରେଣୀର ପିଲା ପଢ଼ୁଛନ୍ତି। ୪୦୯୫୫ଟି ସ୍କୁଲରେ ସବୁ ଶ୍ରେଣୀ ପାଇଁ ପୃଥକ ପୃଥକ ଶ୍ରେଣୀଗୃହ ନାହିଁ, ଅଧିକାଂଶ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ଶୌଚାଳୟ ନାହିଁ, ୧୩ହଜାର ପିଲା ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ଆସୁନାହାନ୍ତି, ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଶିକ୍ଷା ଅଧିକାର ଅାଇନରେ ମାଗଣାରେ ଇଂରାଜୀ ମାଧ୍ୟମିକ ସ୍କୁଲରେ ପଢ଼ିବା ପରେ ୯ମ, ୧୦ମ କିପରି ପଢ଼ିବେ ସେନେଇ କିଛି ବ୍ୟବସ୍ଥା ନାହିଁ, ସରକାରୀ ସ୍କୁଲର ନା ଶିକ୍ଷକ ନା ପିଲା କାହା ପାଇଁ ବଜେଟ୍‌ରେ କିଛି ନୂଆ ନାହିଁ, ଛାତ୍ରଛାତ୍ରୀଙ୍କୁ ନଜରରେ ରଖି ବଜେଟ୍‌ରେ କିଛି ନୂତନତ୍ବ ନାହିଁ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଅଧାରୁ ଅଧିକ ଅଧ୍ୟାପକ, ପ୍ରଫେସର ପଦବି ଖାଲି ପଡ଼ିଛି। ଏପଟେ ୫ଟି ରୂପାନ୍ତରୀକରଣ ନାଁରେ ସ୍କୁଲରେ ରଙ୍ଗ ବୋଳି ପ୍ରଚାର କରାଯାଉଛି। ତେଣୁ ଆମେ ଏହି ଖର୍ଚ୍ଚ ଦାବିକୁ ସମର୍ଥନ କରିବୁ ନାହିଁ।

ଆଜି ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗର ଖର୍ଚ୍ଚ ଦାବି ପାରିତ କରିବା ନେଇ ଆଲୋଚନାବେଳେ ବିରୋଧୀ ଏହିଭଳି ଢଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଆଲୋଚନା ଆରମ୍ଭ କରି ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଥିଲେ ଯେ ପ୍ରତିବର୍ଷ ବଜେଟ୍‌ କିଛି କିଛି ବଢ଼ାଇଲେ ଶିକ୍ଷାର ସର୍ବାଙ୍ଗୀନ ବିକାଶ ହେବନି। ଶିକ୍ଷାର ସାର୍ବଙ୍ଗୀନ ବିକାଶ କରିବା ଦରକାର। ପ୍ରତି ସ୍କୁଲରେ ପିଲାଙ୍କୁ ମୌଳିକ ସୁବିଧା ସୁଯୋଗ ମିଳିବା ଦରକାର। ରାଜ୍ୟରେ ୫୩୭ଟି ବିପଦସଙ୍କୁଳ ସ୍କୁଲ ଥିବାବେଳେ ଏଗୁଡ଼ିକୁ ବନ୍ଦ କରିବା ନେଇ ତୁରନ୍ତ ପଦକ୍ଷେପ ନିଆଯାଉ। ରାଜ୍ୟ ବଜେଟ୍‌ରେ ମାତ୍ର ୧୨.୩% ଶିକ୍ଷା ବିଭାଗକୁ ମିଳିଛି। ଯେତେବେଳେ କି ଜାତୀୟ ସ୍ତରରେ ଏବଂ ବିଭିନ୍ନ ରାଜ୍ୟରେ ଶିକ୍ଷା ବଜେଟ୍ ମୋଟ୍‌ ବଜେଟ୍‌ର ପ୍ରାୟ ୧୫% କିମ୍ବା ତାହାଠାରୁ ଅଧିକ। ତେଣୁ ରାଜ୍ୟ ସରକାର ଭିତ୍ତିଭୂମି ସୁଦୃଢ କରିବା ସହ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ବଜେଟ୍‌ ବଢ଼ାଇବା ଦରକାର। ଏବେ ସ୍କୁଲ ରୂପାନ୍ତରଣ କଥା କୁହାଯାଉଛି। କିନ୍ତୁ ମାତ୍ର ୬% ସ୍କୁଲରେ ଇଣ୍ଟରନେଟ୍ ଅଛି। ଆଇଟିସି ଲ୍ୟାବ୍ କରିଥିବା ନେଇ କୁହାଯାଉଛି , କିନ୍ତୁ ୩୮% ସ୍କୁଲରେ ବିଦ୍ୟୁତ ସଂଯୋଗ ଅଛି। ଗତବର୍ଷ ୪୩ହଜାର ପିଲା ମାର୍ଟିକ ପରୀକ୍ଷା ଦେଲେନି। ‌ଚଳିତବର୍ଷ ୧୩ହଜାର ପିଲା ପରୀକ୍ଷା ଦେଲେନି। ସେ ପିଲା କୁଆଡ଼େ ଗଲେ? ନାବାଳିକା ପିଲା ବାହା ହୋଇଗଲେ ନା ଦାଦନ ଖଟିବାକୁ ପଳାଇଲେ। ଏହାର ଦୀର୍ଘ ମିଆଦି ବ୍ୟବସ୍ଥା ହେବା ଦରକାର।

କଂଗ୍ରେସ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ କହିଥିଲେ, ଶିକ୍ଷା ଅଧିକାର ଆଇନରେ ଗରିବ ପିଲାଙ୍କୁ ମାଗଣାରେ ଇଂରାଜୀ ମାଧ୍ୟମିକ ସ୍କୁଲରେ ପଢ଼ାଯାଉଛି। ହେଲେ ଏହାପରେ ସେମାନେ କିପରି ୯ମ, ୧୦ମ ପଢ଼ିବେ ସେନେଇ କିଛି ବ୍ୟବସ୍ଥା ନାହିଁ। ଫଳରେ ଡ୍ରପ୍‌ଆଉଟ୍ ହାର ବଢ଼ୁଛି। ଅପରପକ୍ଷେ ଛତିଶଗଡ଼‌ ସରକାର ୮ମପରେ ପିଲାଙ୍କୁ ସ୍ବତନ୍ତ୍ର ଯୋଜନାରେ ନିଜ ଅର୍ଥରେ ୯ମରୁ ୧୦ମ ପର୍ଯ୍ୟନ୍ତ ମାଗଣାରେ ପଢ଼ାଉଛନ୍ତି। ଏଭଳି ବ୍ୟବସ୍ଥା ରାଜ୍ୟ ସରକାର କରିବା ଦରକାର। ସେହିପରି ରାଜ୍ୟ ସରକାର ୫୭ହଜାର ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କଲେ କ‌ିନ୍ତୁ ଗଣଶିକ୍ଷା ବିଭାଗର ୧୨ହଜାରରୁ ଅଧିକ ଶିକ୍ଷକଙ୍କ ଚାକିରି ନିୟମିତ କଲେନି। ଏନେଇ ପଦକ୍ଷେପ ନିଆଯାଉ। ମୁକେଶ ମହାଲିଙ୍ଗ କହିଥିଲେ, ବିଭିନ୍ନ ବିଶ୍ବବିଦ୍ୟାଳୟରେ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ଏବଂ ଅନ୍ୟାନ୍ୟ ପଦବିରେ ୫୬% ଖାଲି ପଡ଼ିଛି। ଏହାକୁ କେବେ ପୂରଣ କରାଯିବ। ୫ଟି ରୂପାନ୍ତରଣରେ ହାଇସ୍କୁଲରେ ସାଇନ୍ସ ଲ୍ୟାବ୍ କରାଯାଉଛି। ହେଲେ ବିଜ୍ଞାନ ଶିକ୍ଷକ ନାହାନ୍ତି। ରାଜ୍ୟ ସରକାର ସବୁ ବ୍ଲକରେ +୩ ବିଜ୍ଞାନ କଲେଜ ଖୋଲନ୍ତୁ, ସବୁ ଜିଲ୍ଲା ପରିଷଦ ଜୋନ୍‌ରେ +୨ କଲେଜ, ଏକ ମେରିଟାଇମ୍ ବିଶ୍ବବିଦ୍ୟାଳୟ ଏବଂ ଗୋଟିଏ ଆଦିବାସୀ ବିଶ୍ବବିଦ୍ୟାଳୟ ଖୋଲାଯାଉ।

ତାରା ପ୍ରସାଦ ବାହିନୀପତି କହିଥିଲେ, ସ୍କୁଲରେ ଶିକ୍ଷକ ନାହାନ୍ତି, କଲେଜରେ ଅଧ୍ୟାପକ ନାହାନ୍ତି କି ଭିତ୍ତିଭୂମି ନାହିଁ। ରାଜ୍ୟରେ ଏକ ଅଜବ ପରମ୍ପରା ଦେଖିବାକୁ ମିଳୁଛି। ଶିକ୍ଷକମାନେ ରାଜଧାନୀରେ ନବୀନ ପଟ୍ଟନାୟକ ମୁର୍ଦ୍ଦାବାଦ ନାରା ଦେଉଛନ୍ତି। କିଛି ଦିନ ପରେ ସେମାନଙ୍କୁ କ’ଣ ଶୁଙ୍ଘାଇ ଦିଆଯାଉଛି କେଜାଣି ଖୁସି ହୋଇ ପଳାଉଛନ୍ତି। ହେଲେ ପୁଣି ମାସେ ଦୁଇ ମାସ ପରେ ରାଜଧାନୀ ଆସି ଆନ୍ଦୋଳନ କରୁଛନ୍ତି। ଡ୍ରପ୍‌ଆଉଟ୍‌ରେ ଆମ ଓଡ଼ିଶା ଦେଶରେ ପ୍ରଥମ। ୧୩ହଜାର ପିଲା ମାଟ୍ରିକ ପରୀକ୍ଷା ଦେଲେନି। କିନ୍ତୁ ମନ୍ତ୍ରୀ ଏପର୍ଯ୍ୟନ୍ତ ସରକାର କ’ଣ ତଦନ୍ତ କଲେଣି?

ସନାତନ ବିଜୁଳି କହିଥିଲେ, ଛାତ୍ରଛାତ୍ରୀ ରାଷ୍ଟ୍ର ନିର୍ମାତା, ଶିକ୍ଷକଶିକ୍ଷୟିତ୍ରୀ ସେମାନଙ୍କ ଭାଗ୍ୟବିଧାତା ବୋଲି କୁହାଯାଏ। ହେଲେ ଏଠାରେ ଭାଗ୍ୟବିଧାତାଙ୍କ ଭାଗ୍ୟ ଅନ୍ଧାରରେ। ଏମିତି ଏକ ରାଜ୍ୟ ଯେ, ଏଠାରେ ୭ରୁ ୮ପ୍ରକାରର ଶିକ୍ଷକ। ସରକାରଙ୍କ ନିୟମ କହୁଛି, ୧୦ଲକ୍ଷ ଟଙ୍କାର କାମକୁ ବିନା ଟେଣ୍ଡରରେ ଦିଆଯିବନି। ହେଲେ ସ୍କୁଲ ରୂପାନ୍ତରଣରେ ୫୦ରୁ ୬୦ଲକ୍ଷ ଟଙ୍କାର କାମ ବିନା ଟେଣ୍ଡରରେ ହେଉଥିବାବେଳେ ବିଜେଡି କର୍ମୀଙ୍କୁ କାମ ବଣ୍ଟାଯାଉଛି। ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଜୟନ୍ତ ଷଡ଼ଙ୍ଗୀ ପ୍ରମୁଖ ଖର୍ଚ୍ଚ ଦାବିକୁ ବିରୋଧ କରିଥିଲେ।

ଶାସକ ଦଳ ପକ୍ଷରୁ ବିଧାୟକ ପଦ୍ମନାଭ ବେହେରା କହିଥିଲେ , ଶିକ୍ଷା ବ୍ୟବସ୍ଥାରେ ସର୍ବାଙ୍ଗୀନ ଉନ୍ନତି ପାଇଁ ଏହି ବଜେଟ୍। ଶିକ୍ଷାର ଉନ୍ନତି ହେଲେ ରାଜ୍ୟର ବିକାଶ ହେବ। ତେଣୁ ରାଜ୍ୟ ସରକାର ଶିକ୍ଷା ବଜେଟ୍‌କୁ ପ୍ରାଧାନ୍ୟ ଦେଇଛନ୍ତି। ଚଳିତ ଆର୍ଥିକ ବର୍ଷରେ ୫୧ହଜାର ଶିକ୍ଷକ ପଦବି ପୂରଣ ହେବ। କୌଣସି ସ୍କୁଲରେ ୨ଜଣରୁ କମ୍‌ ଶିକ୍ଷକ ରହିବେନି। ୩ଟି ପର୍ଯ୍ୟାୟରେ ସ୍କୁଲ ରୂପାନ୍ତରଣ ହୋଇଥିବାବେଳେ ୩୪୧୧କୋଟି ଖର୍ଚ୍ଚ ହୋଇଛି। ମୋ ସ୍କୁଲ ଅଭିଯାନକୁ ୩୮୨କୋଟି ଦିଆଯାଇଛି। ଯାହା ସାରା ଦେଶରେ ଏକ ସ୍ବତନ୍ତ୍ର ପଦକ୍ଷେପ। ଏହାସହ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ କହିଥିଲେ। ଏହି ଆଲୋଚନାରେ ପ୍ରଣବ ବଳବନ୍ତରାୟ, ଅମରପ୍ରସାଦ ଶତପଥୀ, କିଶୋର ଚନ୍ଦ୍ର ନାୟକ, ଧ୍ରୁବଚରଣ ସାହୁ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଚନ୍ଦ୍ରସାରଥୀ ବେହେରା, ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ପ୍ରମୁଖ ଏହାକୁ ସମର୍ଥନ କରିଥିଲେ। ଶେଷରେ ଦୁଇ ବିଭାଗର ଖର୍ଚ୍ଚ ଦାବି ପାରିତ ହୋଇଥିଲା।

ସମ୍ବନ୍ଧିତ ଖବର