ଶିକ୍ଷକ ନାହାନ୍ତି, ଚକାଚକ୍‌ କରା ଯାଉଛି ସ୍କୁଲକୋଠା

ରାଉରକେଲା : ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ସର୍ବଦା ତଳମୁହାଁ। ପ୍ରତ୍ୟେକ ଥର ମେଟ୍ରିକ ଫଳ ଏହା ପ୍ରମାଣିତ କରୁଛି। ଏହାର ଏକ ପ୍ରମୁଖ କାରଣ ହେଉଛି ଜିଲ୍ଲାର ଅଧିକାଂଶ ସ୍କୁଲରେ ନାହାନ୍ତି ଆବଶ୍ୟକ ସଂଖ୍ୟକ ଶିକ୍ଷକ। କେବଳ ହାଇସ୍କୁଲଗୁଡ଼ିକୁ ହିସାବକୁ ନେଲେ ଜିଲ୍ଲାରେ ପ୍ରାୟ ୪୦ ପ୍ରତିଶତ ଶିକ୍ଷକ ପଦ ଫାଙ୍କା ପଡ଼ିଛି। ବର୍ଷ ବର୍ଷ ଧରି ଜାରି ରହିଛି ଏଭଳି ସାଂଘାତିକ ସ୍ଥିତି। ଖାଲି ପଡ଼ିଥିବା ଶିକ୍ଷକ ଶିକ୍ଷୟିତ୍ରୀ ପଦବି କିପରି ପୂରଣ ହେବ, ଛାତ୍ରଛାତ୍ରୀଙ୍କୁ କେମିତି ଗୁଣାତ୍ମକ ଶିକ୍ଷା ମିଳିବ ଏଥିପ୍ରତି ଗୁରୁତ୍ବ ନ ଦେଇ ଚାଲିଛି ଭିତ୍ତିଭୂମିର ବିକାଶ। ଚକାଚକ୍‌ ହେଉଛି ଜିଲ୍ଲାର ଅନେକ ପ୍ରମୁଖ ସ୍କୁଲ। ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌)ରୁ ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଛି। ବିଡମ୍ବନା ଯେ ଯେଉଁସବୁ ସରକାରୀ ସ୍କୁଲର ଭିତ୍ତିଭୂମିର ବିକାଶ ହେଉଛି, ସେଥିରୁ ୮୦% ସ୍କୁଲରେ ଗତ ୪-୫ ବର୍ଷ ମଧ୍ୟରେ ମାଟ୍ରିକ୍‌ରେ ଜଣେହେଲେ ଛାତ୍ର ପ୍ରଥମ ଶ୍ରେଣୀରେ ପାସ୍ କରି ନାହାନ୍ତି। ଭିତ୍ତିଭୂମିର ବିକାଶ ହେବା ସ୍ବାଗତଯୋଗ୍ୟ ପଦକ୍ଷେପ। ମାତ୍ର ଶିକ୍ଷାର ଗୁଣାତ୍ମକମାନକୁ ଦୃଷ୍ଟି ନ ଦେଇ ଭିତ୍ତିଭୂମି ବିକାଶ କରିବା କେତେଦୂର ଯୁକ୍ତିଯୁକ୍ତ, ତାକୁ ନେଇ ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଓ ସୁନ୍ଦରଗଡ ସହରାଞ୍ଚଳ ସମେତ ୧୭ଟି ବ୍ଲକରେ ମୋଟ୍‌ ୫୦ ଟି ପ୍ରମୁଖ ସରକାରୀ ସ୍କୁଲର ଭିତ୍ତିଭୂମିର ବିକାଶ ହେଉଛି। ପ୍ରତ୍ୟେକ ସ୍କୁଲ ପିଛା ୧୫ ଲକ୍ଷରୁ ଆରମ୍ଭ କରି ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି। ବିଶ୍ରା ବ୍ଲକରେ ଦୁଇଟି ସ୍କୁଲକୁ ପ୍ରାୟ ୧ କୋଟି ୧୦ ଲକ୍ଷ ଟଙ୍କା, କୁଆରମୁଣ୍ଡାରେ ଦୁଇଟି ସ୍କୁଲକୁ ପ୍ରାୟ ୫୦ ଲକ୍ଷ, ନୂଆଗାଁ ବ୍ଲକର ହାତୀବାରି ଓ ଖୁଣ୍ଟଗାଁରେ ଦୁଇଟି ସ୍କୁଲ ମରାମତିରେ ୧ କୋଟିରୁ ଅଧିକ, ରାଜଗାଙ୍ଗପୁର ପୌରପାଳିକାର ୱାର୍ଡ ନଂ ୪ ୧୮ର ଦୁଇଟି ସ୍କୁଲରେ ୫୦ ଲକ୍ଷରୁ ଅଧିକ ଖର୍ଚ୍ଚ ହେଉଛି। କୁତ୍ରା ଓ ସବ୍‌ଡେଗାରେ ଚାରିଟି ସ୍କୁଲର ଭିତ୍ତିଭୂମି ବିକାଶ କରାଯାଉଛି। ପ୍ରତ୍ୟେକ ସ୍କୁଲ ପାଇଁ ୨୬ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ କରାଯାଉଛି। ବଣାଇଗଡର ଦୁଇଟି ସ୍କୁଲରେ ୯୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିଲାବେଳେ କୋଇଡାରେ ଦୁଇଟି, ଲାଠିକଟାରେ ଦୁଇଟି, ବୀରମିତ୍ରପୁରରେ ଦୁଇଟି, ଟାଙ୍ଗରପାଲିରେ ଦୁଇଟି ସ୍କୁଲର ଭିତ୍ତିଭୂମି ବିକାଶ ହେଉଛି। ଉଲ୍ଲେଖନୀୟ କଥା ହେଉଛି, ଅଧିକାଂଶ ବ୍ଲକରେ କାମ ପାଇଁ ସରକାରୀ ନୀତିନିମୟ ଅନୁଯାୟୀ ଟେଣ୍ଡର କରାଯାଇଛି। କିନ୍ତୁ ପାନପୋଷ ଆଇଟିଡିଏ ଦ୍ବାରା ହେଉଥିବା ୧୦ ସ୍କୁଲର ମରାମତି କାମରେ କିନ୍ତୁ ଟେଣ୍ଡର କରାଯାଇ ନାହିଁ। ବିନା ଟେଣ୍ଡରରେ ଏହି ୧୦ଟି ସ୍କୁଲର ମରାମତି କାମକୁ ପ୍ରାୟ ୪୦ରୁ ଅଧିକ ଠିକାଦାରଙ୍କୁ ମନଇଚ୍ଛା ବାଣ୍ଟି ଦିଆଯାଇଥିବା ଅଭିଯୋଗ ହେଉଛି। ଆଇଟିଡିଏ ଅଫିସ୍‌ର କରିତକର୍ମା ଅଧିକାରୀ ଓ ଠିକାଦାରଙ୍କ ଭିତିରି ସଲାସୁତୁରାରେ ଏସବୁ ହୋଇଥିବା କୁହାଯାଉଛି। ଏହି ୧୦ଟି ସ୍କୁଲ ବାବଦରେ ମୋଟ୍‌ ୩ କୋଟି ୭୧ ଲକ୍ଷ ୮୦ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଉଛି।

ଏସବୁରେ ପାଣି ଭଳି ଖର୍ଚ୍ଚ ହେଉଥିବାବେଳେ ସେପଟେ ଜିଲ୍ଲାର ମାଳ ମାଳ ସ୍କୁଲରେ ଉପଯୁକ୍ତ ସଂଖ୍ୟାରେ ଶିକ୍ଷକ ନାହାନ୍ତି। ଉଦାହରଣସ୍ବରୂପ ଜିଲ୍ଲାର ହାଇସ୍କୁଲଗୁଡ଼ିକରେ ୨୬୬ ଗଣିତ ଶିକ୍ଷକ ଆବଶ୍ୟକ ଥିଲାବେଳେ ଅଛନ୍ତି ମାତ୍ର ୧୬୪। ଖାଲି ପଡିଛି ୧୦୨। ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୪୩ ବିଜ୍ଞାନ ଶିକ୍ଷକ ଆବଶ୍ୟକ ଥିବାବେଳେ ଅଛନ୍ତି ମାତ୍ର ୧୩୬, ଖାଲି ପଡିଛି ୧୦୭। ଇଂରାଜୀ ପାଠ ପଢ଼ାଇବାଲାଗି ମୋଟ୍‌ ୫୧୬ ଶିକ୍ଷକଙ୍କ ଆବଶ୍ୟକତା ଥିବାବେଳେ ଅଛନ୍ତି ୩୦୧ ଜଣ, ଖାଲି ପଡ଼ିଛି ୨୦୬। ଅନୁରୂପ ଭାବେ ଟିଆଇ ଶିକ୍ଷକ ୪୨ରୁ ଅଛନ୍ତି ୨୪, ଖାଲି ପଡ଼ିଛି ୧୮। ଟିଏମ୍‌ ଶିକ୍ଷକ ୪୩ ଜଣ ଆବଶ୍ୟକତା ରହିଥିବାବେଳେ ଅଛନ୍ତି ୨୮, ଖାଲି ପଡ଼ିଛି ୧୫। ୧୯୯ କ୍ଲାସିକାଲ ଶିକ୍ଷକ ଆବଶ୍ୟକତା ରହିଥିଲାବେଳେ ଅଛନ୍ତି ୧୨୩ ଜଣ, ଖାଲି ପଡିଛି ୭୬। ୧୮୮ ହିନ୍ଦୀ ଶିକ୍ଷକଙ୍କ ସ୍ଥାନରେ ଅଛନ୍ତି ମାତ୍ର ୭୦, ଖାଲି ପଡିଛି ୧୧୮। ସେମିତି ୧୮୩ ଜଣ ପିଇଟି ଶିକ୍ଷକଙ୍କ ମଧ୍ୟରୁ ୧୨୩ଜଣ ଅଛନ୍ତି, ଖାଲି ପଡ଼ିଛି ୬୦। ସବୁଠୁ ଆଶ୍ଚର୍ଯ୍ୟ କଥା,‌ ପ୍ରତ୍ୟେକ ବ୍ଲକ ଶିକ୍ଷା ଅଧିକାରୀ ପଦ ତଥା ସରକାରୀ ଉଚ୍ଚ ବିଦ୍ୟାଳୟରେ ଓଇଏସ୍‌-୨ ପାହ୍ୟାର ଅଧିକାରୀ ବା ପ୍ରଧାନଶିକ୍ଷକ ରହିବା କଥା। ସେହି ଅନୁସାରେ ଜିଲ୍ଲାରେ ୧୭ ଜଣ ଓଇଏସ୍‌-୨ ପ୍ରଧାଶିକ୍ଷକ ବା ଶିକ୍ଷୟିତ୍ରୀ ଆବଶ୍ୟକ ଥିବାବେଳେ ଅଛନ୍ତି ମାତ୍ର ୫ ଜଣ। ୧୨ଟି ପଦବି ଖାଲି ପଡିଛି। ଅର୍ଥାତ୍‌ ବ୍ଲକ ଶିକ୍ଷା ଅଧିକାରୀ ଓ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ ଉପଯୁକ୍ତ ଯୋଗ୍ୟତା ନଥିବା ବ୍ୟକ୍ତିମାନେ କାର୍ଯ୍ୟ ତୁଲାଉଛନ୍ତି। ସେମିତି ଜିଲ୍ଲାର ମୋଟ୍‌ ୧୯୧ ଜଣ ବରିଷ୍ଠ ଏସ୍‌ଇଏସ୍‌ ପ୍ରଧାନଶିକ୍ଷକଙ୍କ ଆବଶ୍ୟକତା ରହିଥିଲାବେଳେ ଅଛନ୍ତି ମାତ୍ର ୧୧୮ ଜଣ। ଖାଲି ପଡିଛି ୭୩ ପଦବି। ଏଥିରୁ ଜିଲ୍ଲାର ସ୍କୁଲଗୁଡ଼ିକରେ କିଭଳି ପାଠ ପଢ଼ା ହେଉଥିବ, ଅନୁମାନ କରା ଯାଇପାରେ। ଏଥିପ୍ରତି ଦୃଷ୍ଟି ନନେଇ ଶିକ୍ଷା ବିଭାଗ ସ୍କୁଲ କୋଠାବାଡ଼ି ତିଆରିରେ ଅଧିକ ଗୁରୁତ୍ବ ଦେଉଥିବାର କାରଣ ଠିକାଦାରଙ୍କୁ ଉପକୃତ କରିବାର ପ୍ରୟାସ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର