ତତ୍କାଳ ନାଁରେ ଲୁଟୁଛନ୍ତି ଦଲାଲ୍‌: ସୁରତକୁ ୨ ସପ୍ତାହ ପର୍ଯ୍ୟନ୍ତ ଟିକଟ ନାହିଁ

ବ୍ରହ୍ମପୁର : କରୋନା ପାଇଁ ବିଭିନ୍ନ ରାଜ୍ୟରେ କାମ କରୁଥିବା ପ୍ରବାସୀ ଶ୍ରମିକ ଗଞ୍ଜାମ ଫେରିଥିଲେ। ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ବିଭିନ୍ନ ରାଜ୍ୟରେ କଳାକାରଖାନା ଖୋଲିଛି। ଏଣୁ ଗଞ୍ଜାମ ଜିଲ୍ଲାରୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଦାଦନ ଖଟିବାକୁ ଫେରୁଛନ୍ତି। ଏଥିପାଇଁ ବ୍ରହ୍ମପୁର ରେଳ ଷ୍ଟେସନ୍‌ରେ ଜମୁଛି ପ୍ରବଳ ଭିଡ଼। ଅଧିକାଂଶ ପ୍ରବାସୀ ସୁରତ ଅଭିମୁଖେ ଯାଉଥିବା ଦେଖିବାକୁ ମିଳିଛି। କେବଳ ସୁରତକୁ ଦୈନିକ ପ୍ରାୟ ଏକ ହଜାର ଶ୍ରମିକ ଯାଉଛନ୍ତି। ପରିସ୍ଥିତି ଏମିତି ହୋଇଛି ଯେ ଆସନ୍ତା ଦୁଇସପ୍ତାହ ପର୍ଯ୍ୟନ୍ତ ସୁରତ ଯିବା ପାଇଁ ଆଉ ଟିକଟ ନାହିଁ। ଯାହାର ଫାଇଦା ଉଠାଉଛନ୍ତି ଦଲାଲ୍‌।

ଦଲାଲ୍‌ମାନେ ଏହି ପ୍ରବାସୀ ଶ୍ରମିକଙ୍କ ଠାରୁ ପ୍ରାୟ ୩ ଗୁଣ ଅଧିକ ଟଙ୍କା ନେଇ ତତ୍କାଳ ଟିକଟ ଦେଉଥିବା ଅଭିଯୋଗ ହୋଇଛି। ଟ୍ରେନ୍‌ ଟିକଟ ବ୍ଲାକ୍‌ କରିବା ଦଲାଲ୍‌ଙ୍କ ପାଇଁ କିଛି ନୂଆ କଥା ନୁହେଁ। ଯାତ୍ରୀଙ୍କ ଭିଡ଼ ବଢ଼ିଲେ ଦଲାଲ୍‌ମାନେ ସକ୍ରିୟ ହୋଇ ଆଇଆର୍‌ସିଟିସିର ‌ବ୍ୟକ୍ତିଗତ ଆଇଡିରେ ତତ୍କାଳ ଟିକଟ କରି ତାହା ଦୁଇରୁ ତିନିଗୁଣ ଅଧିକ ଦରରେ ବିକ୍ରି କରିଥାନ୍ତି। ବ୍ରହ୍ମପୁର ଆର୍‌ପିଏଫ୍‌ ବିଗତ ଦିନରେ ଏଭଳି ବହୁ ରାକେଟ୍‌ର ପର୍ଦ୍ଦାଫାସ୍‌ କରିଛି।

ବ୍ରହ୍ମପୁର ରେଳ ଷ୍ଟେସନ୍‌ ଦେଇ ସପ୍ତାହକୁ ୫ ଦିନ ସୁରତକୁ ଟ୍ରେନ୍‌ ଯିବାଆସିବା କରୁଛି। ପୁରୀ-ଅହମ୍ମଦାବାଦ ମଙ୍ଗଳବାର, ଗୁରୁବାର, ଶୁକ୍ରବାର ଓ ଶନିବାର ଦିନ ଯାଉଥିବା ବେଳେ ପୁରୀ-ଗାନ୍ଧୀଧାମ ଶନିବାର ଓ ପୁରୀ-ଓଖା ରବିବାର ଦିନ ଯାଉଥିବା ବ୍ରହ୍ମପୁର ରେଳ ଷ୍ଟେସନ୍‌ ସୂତ୍ରରୁ ପ୍ରକାଶ। ଏହି ସମସ୍ତ ଟ୍ରେନ୍‌ରେ ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ କୌଣସି ଟିକଟ ନାହିଁ। ସାଧାରଣ ଓ ସ୍ଲିପର୍‌ରେ ୱେଟିଙ୍ଗ୍‌ ଲିଷ୍ଟ୍‌ ରହିଥିବା ବେଳେ ଏସିରେ କିଛି ନିର୍ଦ୍ଦିଷ୍ଟ ଦିନ ଆର୍‌ଏସି ଦେଖାଉଛି। ଆସନ୍ତା ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ସାଧାରଣ ଓ ସ୍ଲିପର୍‌ ଟିକଟ୍‌ ୱେଟିଂ ରହିଥିବା ବେଳେ ଏସି ବଗିରେ ଟିକଟ ରହିଛି। କରୋନା କଟକଣା ଯୋଗୁଁ ସାଧାରଣ ଟିକଟ ଦିଆଯାଉ ନାହିଁ। ଯେତିକି ସିଟ୍‌କୁ ସେତିକି ଯାତ୍ରୀଙ୍କୁ ଯାତ୍ରା ପାଇଁ ଅନୁମତି ଦିଆଯାଇଛି। ଅଧିକାଂଶ ପ୍ରବାସୀ ସ୍ଲିପର୍‌ ଟିକଟରେ ଯିବା ଆସିବା କରିଥାନ୍ତି। ଏବେ ସ୍ଲିପର୍‌ ଟିକଟ ମିଳୁ ନାହିଁ। ଯାହା ଫଳରେ ସେମାନେ ବାଧ୍ୟ ହୋଇ ଦଲାଲ୍‌ଙ୍କ କବ୍‌ଜାରେ ପଡ଼ି ଶୋଷିତ ହେଉଛନ୍ତି। ବିଭିନ୍ନ ଟ୍ରେନ୍‌ରେ ତତ୍କାଳ ଟିକଟ କରିବା ପାଇଁ ଦଲାଲ୍‌ଙ୍କ ପାଖରେ ଜମୁଛି ଭିଡ଼। ବ୍ରହ୍ମପୁର ସହରର କିଛି ଦଲାଲ୍‌ ବିଭିନ୍ନ ବ୍ଲକ୍‌ରେ ଏଜେଣ୍ଟ୍‌ ରଖିଛନ୍ତି। ସେହି ଏଜେଣ୍ଟ୍‌ଙ୍କ ଜରିଆରେ ଶ୍ରମିକଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରାଯାଇ ସେମାନଙ୍କୁ ତତ୍କାଳ ଟିକଟ ଦିଆଯାଉଛି।

ବିଶେଷ କରି ଆଇଆର୍‌ସିଟିସିର ବ୍ୟକ୍ତିଗତ ବ୍ୟବହାର ପାଇଁ ରହିଥିବା ଆଇଡିରେ ଏଭଳି ଟିକଟ ବୁକିଂ କରାଯାଇଥାଏ। କାରଣ ବ୍ୟକ୍ତିଗତ ତତ୍କାଳ ଟିକଟ ବୁକିଂ ଶୀଘ୍ର ଆରମ୍ଭ ହୋଇଥାଏ। ଏହାର କିଛି ସମୟ ପରେ ଆଇଆର୍‌ସିଟିସିର ଅଥରାଇଜଡ୍‌ ଏଜେଣ୍ଟ୍‌ମାନେ ତତ୍କାଳ ଟିକଟ ବୁକିଂ କରିଥାନ୍ତି। କିନ୍ତୁ ସେହି ସମୟ ପର୍ଯ୍ୟନ୍ତ ଆଉ ଟିକଟ ରହେ ନାହିଁ। ଏଣୁ ଦଲାଲ୍‌ମାନେ ବ୍ୟକ୍ତିଗତ ଫେକ୍‌ ଆଇଡି ତିଆରି କରି ଟିକଟ ବୁକିଂ କରିଥାନ୍ତି। ଯାହାକି ବିଗତ ଦିନରେ ହୋଇଥିବା ଚଢ଼ଉରେ ସ୍ପଷ୍ଟ ହୋଇଛି। ଏବେ ସୁରତକୁ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଯାଉଥିବା ବେଳେ ଏହି ଦଲାଲମାନେ ବର୍ତ୍ତମାନ ମୋଟା ଅଙ୍କର ଟଙ୍କା ରୋଜଗାର କରୁଛନ୍ତି।

ସମ୍ବନ୍ଧିତ ଖବର