ଧାମନଗର/ଅସୁରାଳି: ବୈତରଣୀ ନଦୀ ମଝିରେ ଯାଜପୁର ଜିଲ୍ଲା ପାର୍ଶ୍ୱରେ ଏକ ନୂତନ ବନ୍ଧ ନିର୍ମାଣ କାର୍ଯ୍ୟ ଚାଲିଛି। ଏପରି ନିର୍ମାଣକୁ ଭଦ୍ରକ ଜିଲ୍ଲା ଧାମନଗରବାସୀ ବିରୋଧ କରିବା ସହ କାମ ବନ୍ଦ କରିଛନ୍ତି। ଏହାକୁ ନେଇ ଆଜି ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ।  ଆଗକୁ ଏହାକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାର ଆଶଙ୍କା ସୃଷ୍ଟି ହୋଇଛି।

Advertisment

ବୈତରଣୀ ନଦୀର ଯାଜପୁର ପାର୍ଶ୍ୱ ଦଶରଥପୁର ବ୍ଲକ୍‌ ଅଧୀନରେ ଥିବା ଜୟନ୍ତିରା ଗାଁ ଫୈଦାରୀ ମଠ ନିକଟରୁ ଏକ ବନ୍ଧ କାର୍ଯ୍ୟ ପ୍ରାୟ ୩ ବର୍ଷ ତଳେ ଆରମ୍ଭ ହୋଇଥିଲା। ଏବେ ନଦୀ ମଝିରେ ବନ୍ଧ ପକାଇବା କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ନଦୀପଠାରେ ଥିବା ଧାମନଗର ବ୍ଲକର ପଧାନୀ ଓ ସୋହଡ଼ା ଅଞ୍ଚଳର ବହୁ ଲୋକଙ୍କ ବ୍ୟକ୍ତିଗତ ଜାଗା ଉପରେ ଏହି ବନ୍ଧ ନିର୍ମାଣ ହେଉଛି। ଫଳରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ନିର୍ମାଣ ସ୍ଥଳରେ ପହଞ୍ଚି କାମ ବନ୍ଦ କରିବା ସହ ପ୍ରବଳ ହୋହଲ୍ଲା କରିଛନ୍ତି।

ନିର୍ମାଣ କାର୍ଯ୍ୟ ବନ୍ଦ କଲେ ନଈକୂଳବାସୀ
ଚାପା ଉତ୍ତେଜନା, ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ଆଶଙ୍କା

 ଏପରି ହେଲେ ବୈତରଣୀର ଶଯ୍ୟା ସଙ୍କୁଚିତ ହେବ ଏବଂ ଧାମନଗର, ତିହିଡ଼ି ଓ ଚାନ୍ଦବାଲି ବ୍ଲକ ପ୍ରତି ଅଧିକ ବିପଦ ସୃଷ୍ଟି ହେବ ବୋଲି କହିଛନ୍ତି। ଜୟନ୍ତିରା ଗ୍ରାମର କେତେକ ଲୋକ ସେମାନଙ୍କୁ ବିରୋଧ କରିବା ଯୋଗୁଁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ବର୍ଷ ବର୍ଷ ଧରି ବୈତରଣୀ ଡାହାଣ ପାର୍ଶ୍ୱକୁ ଜଳସମ୍ପଦ ବିଭାଗ ସୁରକ୍ଷା ଦେଇ ଆସୁଥିବା ବେଳେ ବାମ ପାର୍ଶ୍ୱକୁ କ୍ରମାଗତ ଅବହେଳା କରୁଛି। ଏବେ ନଦୀ ମଝିରେ ବନ୍ଧ ତିଆରି କରି ଅଧିକ ବିପଦ ସୃଷ୍ଟି କରାଯାଉଛି ବୋଲି ପଧାନୀ ଓ ସୋହଡ଼ା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ବେଆଇନ ନିର୍ମାଣ ବନ୍ଦ ପାଇଁ ଦାବି କରାଯାଇଛି। ଧନଜୀବନର ସୁରକ୍ଷା ପାଇଁ ଚରମ ପଦକ୍ଷେପ ନେବାକୁ ପଛାଇବେ ନାହିଁ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ପ୍ରବାହିତ ବୈତରଣୀ ନଦୀର ଡାହାଣ ପାର୍ଶ୍ୱ ଆଡ଼ିବନ୍ଧକୁ ରାଜ୍ୟ ସରକାର ବୃହତ୍‌ ଆଡ଼ିବନ୍ଧ ମାନ୍ୟତା ଦେଇଛନ୍ତି। ଅପରପକ୍ଷରେ ବାମ ପାର୍ଶ୍ୱ ଭଦ୍ରକ ଜିଲ୍ଲାର ଆଡ଼ିବନ୍ଧକୁ କୃଷି ଆଡ଼ିବନ୍ଧ ମାନ୍ୟତା ମିଳିଛି। ଯାଜପୁର ପାର୍ଶ୍ୱ ବନ୍ଧ ମାନ୍ୟତା ଦୃଷ୍ଟିରୁ ଦୃଢ଼ ଓ ପ୍ରଶସ୍ତ ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବୈତରଣୀ ନଦୀଠାରୁ ଡାହାଣପଟ ବନ୍ଧର ଦୂରତା ୫ଶହ ମିଟରରୁ ୮ଶହ ମିଟର ଯାଏଁ ରହିଛି। କିନ୍ତୁ ବାମପଟ ବନ୍ଧଠାରୁ ନଦୀର ଅବସ୍ଥିତି ମାତ୍ର ୫୦ରୁ ଶହେ ମିଟର ମଧ୍ୟରେ ରହିଛି। ଦୁର୍ବଳ ନଦୀବନ୍ଧ ଯୋଗୁ ପ୍ରାୟ ପ୍ରତିବର୍ଷ ବନ୍ୟାରେ ଭଦ୍ରକ ଜିଲ୍ଲା ବିଶେଷ କରି ଧାମନଗରରେ ବ୍ୟାପକ କ୍ଷୟକ୍ଷତି ଘଟୁଛି। ଏହାସହ ବନ୍ୟା ଯୋଗୁ ତିହିଡ଼ି ଓ ଚାନ୍ଦବାଲି ମଧ୍ୟ କ୍ଷତିଗ୍ରସ୍ତ ହେଉଛି।