ପାଇଖାନା ନ ଥିବା ସହର ଚମ୍ପାଗୁଡା, ୧୦ ବର୍ଷ ହେଲା ପଡିନି ମୁଠାଏ  ବି ନାଲି ଗୋଡି

କୋରାପୁଟ: ନାଁକୁ ଖାଲି ସହର । ପ୍ରଥମେ ବିଜ୍ଞାପିତ ପରିଷଦ ଏହାପରେ ପୌରପାଳିକା ବୋଲି ଘୋଷଣା ହେଲା । ସହରର ପରିଧି ବଢାଇବାକୁ ପୌରପାଳିକା ବୋଲି ଘୋଷଣା କରିଦେଲେ । ହେଲେ ସୁବିଧା କାଣିଚାଏ ମଧ୍ୟ ପହଞ୍ଚି ପାରିନି । ଅଭିଯୋଗ କହି କହି ଥକିଲେ ବି ଶୁଣିବାକୁ କେହି ନାହିଁ । ଏବେ ସହରବାସୀ ଅଭିମାନ କରି ଆଉ ଅଭିଯୋଗ କରିବାକୁ ଯାଉ ନାହାନ୍ତି । ଭୋଟ ଆସିଲେ ନେତା, ଜନତା ଓ ପ୍ରଶାସନ ସହ କଥା ହେବାକୁ ମନସ୍ତ କରିଛନ୍ତି କୋରାପୁଟ ପୌରପାଳିକା ଅନ୍ତର୍ଗତ ୧୭ ନମ୍ବର ୱାର୍ଡରେ ରହିଥିବା ଚମ୍ପାଗୁଡା ଗାଁ ।
କେଉଁ କାଳରୁ ଏହି ଗାଁରେ ୧୦୦ରୁ ଅଧିକ ପରିବାର ରହି ଆସୁଛନ୍ତି । ପ୍ରଥମେ ଏହି ଗାଁର ଲୋକେ ଲଙ୍କାପୁଟ ପଞ୍ଚାୟତ ଅଧିନରେ ଥିଲେ । ଏହାପରେ କୋରାପୁଟ ବିଜ୍ଞାପିତ ପରିଷଦର ୧୨ ନମ୍ବର ୱାଡରେ ଦୀର୍ଘ ବର୍ଷ ରହିଥିଲେ । ପରେ ୨୦୧୪ରେ ଏହି ଏନଏସିକୁ ସରକାର ପୌରପାଳିକାର ୧୭ ନମ୍ବର ୱାଡର ଅଧିବାସୀଭାବେ ମାନ୍ୟତା ଦେଲେ । ଫଳରେ ଚମ୍ପାଗୁଡା ଗାଁ(ଏନଏସିରେ ଥିବାବେଳେ ୧୨ ନମ୍ବର ୱାଡ)ରେ ପରିଣତ ହୋଇଥିଲା । ହେଲେ ଯେଉଁ ସବୁ ସୁବିଧା ପାଇବା କତା ତାହା ଏବେ ଯାଏ ପହଞ୍ଚିପାରିନି ।  ନିର୍ବାଚନ ପରେ ନିର୍ବାଚନ ଯାଉଛି । ଧୋବ ଫରଫର ନେତାଏ ଆସି ପ୍ରତିଶ୍ରୁତିରେ ପାହାଡରେ ପୋତି ଦେଉଛନ୍ତି । ହେଲେ ଭୋଟ ଶେଷ ହେବା ପରେ ଆଉ ଚମ୍ପାଗୁଡା ଗାଁର ଭୋଟରଙ୍କୁ ଚିହ୍ନୁ ନାହାନ୍ତି ନେତାଏ । ଏବେ ଗାଁରେ ତିନିଟି ସାହିରେ ୩୦୦ରୁ ଅଧିକ ଲୋକ ବସବାସ କରୁଛନ୍ତି । ହେଲେ ସର୍ବନିମ୍ନ ସୁବିଧା ପହଞ୍ଚିପାରିନାହିଁ । ସବୁଠୁ ବଡ କଥା ୨୦୧୪ରୁ କେନ୍ଦ୍ର ସରକାର ସ୍ୱଚ୍ଛ ଭାରତ ମିଶନ ଆରମ୍ଭ କରିଥିବାବେଳେ ଏବେଯାଏ ଗାଁରେ ପାଇଖାନାଟିଏ ନାହିଁ । କାଁ ଭାଁ କେଉଁ ପରିବାର ନିଜ ପ୍ରଚେଷ୍ଠାରେ ପାଇଖାନା ତିଆରି କରିଥିବାବେଳେ ଅଧେ ପରିବାର ନିକଟରେ ରହିଥିବା ପାହାଡିଆ ନଦୀ ଓ ଜଙ୍ଘଲ ଫରେ ନିର୍ଭର କରନ୍ତି । ଏନେଇ ବହୁବାର ଗାଁ ଲୋକେ ଅଭିଯୋଗ  ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନି ।
ଗାଁରେ ସବୁ ପରିବାରଙ୍କୁ ଘରବାଡି ପଟ୍ଟା ପ୍ରଦାନ କରାଯାଇନାହିଁ । ପୌର ପ୍ରଶାସନକୁ ଏନେଇ ଅଭିଯୋଗ କରିଥିଲେ ମଧ୍ୟ ବିନା ଟଙ୍କାରେ କିଛି ହେବ ନାହିଁ କୁହାଯାଇଥିଲା । ଫଳରେ ଲୋକେ ତାତିବା ସହ ପୌରପାଳିକା କାର୍ଯ୍ୟଳୟ ଘେରାଉ କରିଥିଲେ । ଏବେ କାହାର ବି ପଟ୍ଟା ନ ଥିବାରୁ ସବୁକ୍ଷେତ୍ରରେ ନାହିଁ ନ ଥିବା ହଇରାଣ ହେଉଛନ୍ତି ଚମ୍ପାଗୁଡାବାସୀ ।
ଖାଲି ସେତିକି ନୁହେଁ ଗାଁର ୧୦୦ରୁ ଅଧିକ ପରିବାର ରହୁଥିବାବେଳେ ମାତ୍ର ଦୁଇଟି ନଳକୂପ ଓ ଗୋଟିଏ କୂଅ ରହିଛି । ଅଧେବଳେ କୂଅ ଶିଖିଲା ପଡୁଥିବାବେଳେ ନଳକୂପରେ ପାଣି ଆସୁନି । ଫଳରେ ଗାଁକୁ ପାଇପ ପାଣି ଯୋଗାଣ ଦାବି ହୋଇଛି । ଗାଁଟି ପାହାଡ ତଳରେ ରହିଥବାରୁ ବର୍ଷା ହେଲେ ଗାଁକୁ ପାଣି ପଶୁଛି । ପାଣି ଯିବାକୁ ନିଷ୍କଷନ ବ୍ୟବସ୍ତା ନଥିବାରୁ ଘରେ ପାଣି ପଶୁଥିବା ଜଣାପଡିଛି । ଏବେ ଗାଁର ଶେଷ ମୁଣ୍ଡରେ ଡ୍ରେନ କାମ ଚାଲିଥିବାବେଳେ ଗାଁ ରେ ଡ୍ରେନ କାମ ଆରମ୍ଭ ହୋଇପାରିନି । ଏବେ ବର୍ଷାଦିନ ହୋଉଥିବାରୁ ପାଣି ଘରେ ପଶି ଜାବତୀୟ ରୋଗ ହେଉଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ଏହାସହ ଗାଁକୁ ଯୋଡୁଥିବା ମୁଖ୍ୟ ରାସ୍ତାରେ ୧୦ ହେବ ନାଲି ମାଟି ମୁଠାଏ ପଡିନି । ଫଳରେ ଗମନାଗମନାରେ ନାହିଁ ଥିବା ଅସୁବିଧା ହେଉଛି । ରାତିବିକାଳିରେ ଗର୍ଭବତୀଟିଏକୁ ନେବା ଆଣିବାକୁ ବଡ ସମସ୍ୟା ହେଉଛି । ଗାଁର ଅନନ୍ତ ମାଳି କହିଛନ୍ତି ଯେ ଆମେ ପ୍ରଥମେ ଗାଁରେ ଥିଲୁ ଭଲ ଥିଲୁ । ସେହି ସମୟରେ ହେଲେ ବର୍ଷକୁ ଥରେ ନାଲି ଗୋଡି ମୁଠାଏ ପଡି ରାସ୍ତାଟିଏ ହେଉଥିଲା । ଏବେ ସହର ଭାବେ ମାନ୍ୟତା ପାଇ କେବଳ ଖୁସି ଲାଗୁଛି ସିନା କୌଣସି ମୌଳିକ ସୁବିଧା ମକ୍ଟଳରନି ବୋଲି ସେ ଅଭିଯୋଗ କରିଛନ୍ତି ।
ଏନେଇ ପୌରନିର୍ବାହୀ ଅଧିକାରୀ ଆଲୋକ ସମାନ୍ତରାୟ କହିଛନ୍ତି ଯେ ପୌରପାଳିକ ପକ୍ଷରୁ ଏହି ଗାଁକୁ ବିଦ୍ୟୁତ ମାଧ୍ୟମରେ ଲାଇଟ ଯୋଗାଇ ଦିଆଯାଇଛି । ଖୁବଶୀଘ୍ର ରାସ୍ତା, ପାଣି ଓ ଅନ୍ୟନ୍ୟା ସୁବିଧା ପ୍ରଧାନ କରାଯିବ ବୋଲି ସେ କହିଛନ୍ତି ।
ସମ୍ବନ୍ଧିତ ଖବର