ପାଇଖାନା ନ ଥାଇ ବି ମଳମୁକ୍ତ ଗାଁ! ଠାକୁରାଣୀଙ୍କ ଭୟ ଯୋଗୁ ଛାତ ପଡ଼ୁନି

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡ କନ୍ଦପଡ଼ା ପଞ୍ଚାୟତ ଅନ୍ତର୍ଗତ ବେଲାଦୁଲା ଗାଁରେ ଏକ ଅଦ୍‌ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ଧନୀ ହେଉକି ଗରିବ, ଚ‌ାଷୀ ହେଉକି ମୂଲିଆ, କାହାରି ଘରେ ସିମେଣ୍ଟ ଛାତ ନାହିଁ। ଏପରିକି ସରକାରୀ ପାଇଖାନାରେ ଛାତ ପଡ଼ିନାହିଁ। ଲୋକଙ୍କ ପାଖରେ କୋଠାବାଡ଼ି ତିଆରି କରିବାର ସାମର୍ଥ୍ୟ ରହିଛି। ଆଗ୍ରହ ବି ଅଛି। ମାତ୍ର, ଠାକୁରାଣୀଙ୍କ କୋପର ଶିକାର ହେବା ଭୟ ଯୋଗୁଁ ଲୋକେ ଛାତଘର ତିଆରି କରୁନାହାନ୍ତି। ଟିଣ ଛପର, ଆଜ୍‌ବେସ୍‌ଷ୍ଟସ୍‌ ଆଦି ଘରେ ରହୁଛନ୍ତି। ତେବେ ଲୋକମାନଙ୍କ ଏଭଳି ବିଶ୍ବାସର ଫାଇଦା ଉଠାଉଛନ୍ତି ଠିକାଦାର ଓ ସରକାରୀ ବାବୁ। ଯେଉଁ ସଚେତନ ଲୋକ ପାଇଖାନାରେ ଛାତ ପକାଇବାକୁ ଚାହୁଁଛନ୍ତି, ସେମାନଙ୍କୁ ସେତିକି ସହାୟତା ଦେଉନାହାନ୍ତି। ବେଲାଦୁଲା ଗାଁର ୩ଟି ସାହିରେ ରହନ୍ତି ୧୮୦ ପରିବାର। ସୂଚନା ଅନୁସାରେ, ଗାଁ ଲୋକେ‌ ଶୌଚ ପାଇଁ ଏବେ ବି ବାହାରକୁ ଯାଉଛନ୍ତି। ମାତ୍ର, ଜିଲ୍ଲା ଜଳ ଓ ପରିମଳ ମିଶନ କାଗଜପତ୍ରରେ ପାଇଖାନା ତିଆରି କାମ ଶେଷ କରି ବେଲାଦୁଲା ଗାଁକୁ ‘ବାହ୍ୟ ମଳମୁକ୍ତ’ ଗ୍ରାମ ଭାବେ ଘୋଷଣା କରିଛି। ଗ୍ରାମବାସୀଙ୍କ କହିବାନୁସାରେ, ସମସ୍ତଙ୍କ ପାଇଖାନା ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ। ଅଧିକାଂଶ ଲୋକଙ୍କ ପାଇଖାନାର ସେପ୍‌ଟିକ୍‌ ଟାଙ୍କି ନିର୍ମାଣ କାର୍ଯ୍ୟ ଅସଂପୂର୍ଣ୍ଣ ରହିଛି। ଯଦି ବି କାହାର ସେପ୍‌ଟିକ୍‌ ଟାଙ୍କି ନିର୍ମାଣ ହୋଇଛି, ତାହେଲେ ଢାଙ୍କୁଣି ଲଗାଯାଇ ନାହିଁ। ଛାତ ନିର୍ମାଣ କଲେ ଗ୍ରାମଦେବତୀଙ୍କ କୋପର ଶିକାର ହେବାର ଭୟ ଲୋକଙ୍କ ମନରେ ରହିଛି।

ସୂଚନା ଅନୁସାରେ, ବେଲାଦୁଲା ଗଁାରେ ଛାତଘର ତିଆରି କରିବାର ପରମ୍ପରା ନ ଥିବାରୁ ପାଇଖାନା ଟାଙ୍କିରେ ଢାଙ୍କୁଣି ଲଗାଯାଇ ନାହିଁ। ଲୋକେ ଏବେ ବି ଶୌଚ ପାଇଁ ନଦୀକୁ ଯାଉଛନ୍ତି। କିଛି ବର୍ଷ ଆଗରୁ ସ୍କୁଲର ପାଇଖାନା ତିଆରି ବେଳେ ଗାଁର ଜଣେ ବ୍ୟକ୍ତି ଗଦାଧର ଝାଙ୍କର ପରମ୍ପରା ଭାଂଗି ଥିଲେ। ଗାଁ ଲୋକେ ମନା କରିବା ସତ୍ତ୍ବେ ସେ ପାଇଖାନା ଘର ଛାତ କାମ ଏକାକି କରିଥିଲେ। ହେଲେ ଏହାର କିଛି ଦିନ ପରେ ତାଙ୍କ ମୃତ୍ୟୁ ଘଟିଥିଲା ବୋଲି ସେ କହିଛନ୍ତି।

ଏ ସଂକ୍ରାନ୍ତରେ ଜିଲ୍ଲା ଜଳ ଓ ପରିମଳ ମିସନର ଆବାହକ ତଥା ଆର୍‌ଡବ୍ଲୁଏସ୍‌ଏସ୍‌ର ନିର୍ବାହୀ ଯନ୍ତ୍ରୀ ବିକାଶ ଦାସଙ୍କୁ ପଚାରିବାରୁ ସେ ‘ଲୋକେ ସଚେତନ ନହେଲେ ଆମେ କଣ କରିବୁ ବୋଲି ପାଲଟା ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ, ଜନସାଧାରଣଙ୍କୁ ସଚେତନ କରାଇବା ଦାୟିତ୍ବ ଜିଲ୍ଲା ଜଳ ଓ ପରିମଳ ମିସନର ନୁହେଁ କି? ପାଇଖାନା ତିଆରି ଆଳରେ ସରକାରୀ ଅର୍ଥ ବରବାଦ ପାଇଁ ଦାୟୀ କିଏ ? ଏଭଳି ଅନେକ ପ୍ରଶ୍ନ ଏବେ ଅଂଚଳର ସଚେତନ ନାଗରିକ ମହଲରେ ଉଙ୍କି ମାରୁଛି।

ସମ୍ବନ୍ଧିତ ଖବର