ସମ୍ବଲପୁର: ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଏଥର ବି ଚାଷୀମାନଙ୍କୁ ହଇରାଣ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଟୋକନ୍ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଆଜି ଜିଲ୍ଲା କୃଷକ ସୁରକ୍ଷା ସଂଗଠନ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛି।
ଗତ ବର୍ଷ ରବି ଧାନ ସଂଗ୍ରହ ସମୟରେ ଚାଷୀମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଧାନ ବିକ୍ରି ପାଇଁ ଦିଆଯାଉଥିବା ଟୋକନ୍ର ଅବଧି ମାତ୍ର ୧୫ ଦିନ ରହିଥିବାରୁ ବହୁ ଚାଷୀ ଧାନ ବିକିପାରିନଥିଲେ। ଅନେକ ଚାଷୀ ନିର୍ଦ୍ଧାରିତ ଅବଧି ମଧ୍ୟରେ ସେମାନଙ୍କ ଅବଧି ଶେଷ ହୋଇଯାଇଥିବାରୁ ଧାନ ବିକିନପାରିନଥିଲେ। ବର୍ଷା ଯୋଗୁ ବହୁ ଚାଷୀଙ୍କ ଧାନ ଭିଜି ନଷ୍ଟ ହୋଇଯାଇଥିଲା। ଏହାକୁ ଦୃଷ୍ଟିରେ ରଖି କୃଷକ ସଂଗଠନ ପକ୍ଷରୁ ଟୋକନ୍ ଅବଧି ୩୦ ଦିନ କରିବା ପାଇଁ ଦାବି କରାଯାଇଥିଲା। କୃଷକ ସଂଗଠନ ଦାବିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ଉଦ୍ୟମକ୍ରମେ ଏଥର ରବିରେ ଟୋକନ୍ ଅବଧି ୧୫ ଦିନରୁ ୨୫ ଦିନକୁ ବୃଦ୍ଧି କରାଯାଇଛି। ତେବେ, ବର୍ତ୍ତମାନ ଚାଷୀମାନଙ୍କୁ ଯେଉଁ ଟୋକନ୍ ଦିଆଯାଇଛି, ସେଥିରେ ସେମାନେ ସବୁ ଜମିରୁ ଉତ୍ପାଦିତ ଧାନ ବିକିପାରିବେ ନାହିଁ। କମ୍ ପରିମାଣ ଧାନ ବିକିବା ନିମନ୍ତେ ଟୋକନ୍ ମିଳିଛି। ଏହା ଦ୍ବାରା ଚାଷୀମାନଙ୍କୁ ଅସୁବିଧା ଭୋଗିବାକୁ ପଡ଼ିବ। ବାରଂବାର ଦାବି କରିବା ପରେ ବି ବକେୟା ଧାନ ବିକିବା ପାଇଁ ଟୋକନ ଆସିନାହିଁ। ଏଭଳି ସ୍ଥିତିରେ ଝଡ଼ବର୍ଷା ହେଲା ଚାଷୀମାନଙ୍କୁ ପୁଣି ଅସୁବିଧା ଭୋଗିବାକୁ ପଡ଼ିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।