ଟୋସିଲିଜୁମା ବି ନାହିଁ, ଓଡ଼ିଶାକୁ ଆବଣ୍ଟିତ ହୋଇଛି ୨୫ ଭାଏଲର ଟୋସିଲିଜୁମା

ଭୁବନେଶ୍ବର : କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ପଡ଼ୁଥିବା କେବଳ ରେମଡେସିଭିରର ଅଭାବ ନୁହେଁ, ଟୋସିଲିଜୁମାର ମଧ୍ୟ ଘୋର ଅଭାବ ଦେଖା ଦେଇଛି। ରାଜ୍ୟର ସି ଏଣ୍ଡ ଏଫ୍‌ରେ ଏହି ଇଞ୍ଜେକସନ୍ ଉପଲବ୍ଧ ନାହିଁ। ଦେଶବ୍ୟାପୀ ଏହାର ଅଭାବ ଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାକୁ ୨୫ ଭାଏଲର ଟୋସିଲିଜୁମା ଇଞ୍ଜେକସନ୍‌ ଆବଣ୍ଟିତ କରାଯାଇଥିବା ସୂଚନା ମିଳିଛି। ହେଲେ ଇଞ୍ଜେକସନ୍ କେବେ ଆସିବ ତାହା ସ୍ପଷ୍ଟ ହୋଇପାରି ନାହିଁ। ରାଜ୍ୟରେ ଏବେ କୋଭିଡ୍‌ ରୋଗୀଙ୍କ ସଂଖ୍ୟା ବଢ଼ିଥିବା ବେଳେ ଅନେକ ରୋଗୀ ହସ୍ପିଟାଲରେ ଭର୍ତି ହେଉଥିବା ନଜରକୁ ଆସିଛି। ବିଶେଷକରି ଘରୋଇ ହସ୍ପିଟାଲରେ ବି କୋଭିଡ୍‌ ରୋଗୀ ଚିକିତ୍ସିତ ହେଉଛନ୍ତି। ମାତ୍ର କୋଭିଡ୍‌ ରୋଗୀଙ୍କ ପାଇଁ ଦରକାର ପଡ଼ୁଥିବା ରେମଡେସିଭିର ଇଞ୍ଜେକସନ୍‌ର ଘୋର ଅଭାବ ଦେଖାଦେଇଛି। ସରକାରଙ୍କ ସହ ଅନୁବନ୍ଧିତ ହୋଇ ନ ଥିବା ଘରୋଇ ହସ୍ପିଟାଲଗୁଡ଼ିକରେ ଏହାର ଅଭାବକୁ ନେଇ ଜୋରଦାର ଚର୍ଚା ହୋଇଥିଲା। ପରବର୍ତୀ ସମୟରେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ରାଜ୍ୟ ଔଷଧ ନିଗମ ଘରୋଇ ହସ୍ପିଟାଲକୁ ଆବଶ୍ୟକତା ଅନୁଯାୟୀ ରେମଡେସିଭିର ଯୋଗାଇ ଦେବ ବୋଲି କୁହାଯାଇଛି। ଯାହାଫଳରେ ରାଜଧାନୀର ଘରୋଇ ହସ୍ପିଟାଲରେ କିଛି ମାତ୍ରାରେ ରେମଡେସିଭର ପହଞ୍ଚିଥିବା ଜଣାପଡ଼ିଛି।

ହେଲେ ସି ଏଣ୍ଡ ଏଫ୍‌ଙ୍କ ନିକଟରେ ରେମଡେସିଭିର ଉପଲବ୍ଧ ନାହିଁ। କେନ୍ଦ୍ର ସରକାର ଏହାକୁ ସିଧାସଳଖ ପରିଚାଳନା କରୁଥିବାରୁ ରାଜ୍ୟକୁ ଆସୁଥିବା ରେମଡେସିଭିରର ୭୦ଭାଗ ରାଜ୍ୟ ସରକାର ଓ ୩୦ ଭାଗ ସି ଏଣ୍ଡ ଏଫ୍‌ଙ୍କୁ ଦିଆଯିବ। ଓଡ଼ିଶା ପାଇଁ ସମୁଦାୟ ୨୧ହଜାର ଭାଏଲର ରେମଡେସିଭିର ଆବଣ୍ଟିତ ହୋଇଥିବା ବେଳେ ଚଳିତମାସରୁ ଏ ପର୍ଯ୍ୟନ୍ତ ୧୧ହଜାର ଭାଏଲ ଆସି ସାରିଛି। ପରବର୍ତୀ ଭାଏଲ କେବେ ଆସିବ ତାହା ଜଣାପଡ଼ିନାହିଁ। ସେହିପରି ଗୁରୁତର କୋଭିଡ ରୋଗୀଙ୍କ ପାଇଁ ଆବଶ୍ୟକ ଟୋସିଲିଜୁମା ମଧ୍ୟ ଓଡ଼ିଶାର ସି ଏଣ୍ଡ ଏଫ୍‌ଙ୍କ ନିକଟରେ ନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାକୁ ମାତ୍ର ୨୫ ଭାଏଲର ଟୋସିଲିଜୁମା ଇଞ୍ଜେକସନ୍ ଆବଣ୍ଟିତ ହୋଇଥିବା ଡ୍ରଗସ୍‌ କଣ୍ଟ୍ରୋଲର କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ହେଲେ ଇଞ୍ଜେକସନକୁ ନେଇ ମଧ୍ୟ ଦ୍ବନ୍ଦ୍ବ ରହିଛି। ରାଜ୍ୟକୁ ଆବଣ୍ଟିତ ହୋଇଥିବା ଟୋସିଲିଜୁମାର ସିଧାସଳଖ ରାଜ୍ୟ ସରକାର ନିଜର ‌ପରିଚାଳିତ କୋଭିଡ୍‌ ହସ୍ପିଟାଲ ପାଇଁ ମହଜୁଦ ରଖିବେ ନା ଏହା ମଧ୍ୟ ସି ଏଣ୍ଡ ଏଫ୍‌ ପାଇଁ ଉପଲବ୍ଧ ହେବ ତାହା ଉପରେ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ବରିଷ୍ଠ ଚିକିତ୍ସକ ଡା. ନିରଜ ମିଶ୍ରଙ୍କ କହିବାନୁଯାୟୀ, ଟୋସିଲିଜୁମା ଅତ୍ୟନ୍ତ ଗୁରୁତର ଅବସ୍ଥାରେ ରହିଥିବା ରୋଗୀମାନଙ୍କୁ ଦିଆଯାଏ। ବିଶେଷକରି ଯେତେ‌ବେଳେ ରୋଗୀଙ୍କ ଶରୀରରେ ସାଇଟୋକାଇନ୍ ଷ୍ଟର୍ମ ହୋଇଥାଏ ସେ ସମୟରେ ଏହାକୁ ଦିଆଯିବା ଉଚିତ୍। ଏହାର ଦାମ୍ ଅଧିକ। ଏହାସହ ଅନେକ ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ରହିଛି। ଜଣେ ରୋଗୀଙ୍କ ପାଇଁ କେବଳ ଗୋଟିଏ ସଟ୍‌ ଇଞ୍ଜେକସନ୍‌ର ଆବଶ୍ୟକତା ରହିଛି। ଏହି ଇଞ୍ଜେକସନ୍ ଦେବା ସମୟରେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ ବୋଲି ଡା. ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର