ମାଲକାନଗିରି: ପ୍ରାକୃତିକ ପରିବେଶ ଭରା ମାଲକାନଗିରି ଜିଲ୍ଲାରେ ପର୍ଯ୍ୟଟନ ସୁଯୋଗ ଭରପୂର ରହିଛି। କିନ୍ତୁ ପର୍ଯ୍ୟଟନ କେନ୍ଦ୍ରର ବିକାଶରେ ପଛରେ ପଡି ଯାଇଛି। ଜିଲ୍ଲାର ବିଭିନ୍ନ ଐତିହାସିକ ପୀଠ ଠାରୁ ଆରମ୍ଭ କରି ପାହାଡ, ନଦୀ ଓ ଝରଣା ପର୍ଯ୍ୟନ୍ତ ପର୍ଯ୍ୟଟନ ବିଭାଗରେ ସ୍ଥାନିତ ହୋଇପାରି ନାହିଁ। ଯାହାଫଳରେ ସେହି ସ୍ଥାନଗୁଡିକ ପର୍ଯ୍ୟଟକଙ୍କ ଠାରୁ ବହୁ ଦୂରରେ ରହିଛି। ପର୍ଯ୍ୟଟନର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ସହ ପ୍ରଚାର ପ୍ରସାର କରୁଛନ୍ତି। କିନ୍ତୁ ଜିଲ୍ଲାରେ ଥିବା ସମସ୍ତ ପର୍ଯ୍ୟଟନସ୍ଥଳୀର ବିକାଶ ହୋଇପାରୁ ନାହିଁ। ମାଲକାନଗିରି ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ପର୍ଯ୍ୟଟନ ବିଭାଗର ନିଜସ୍ବ କାର୍ଯ୍ୟାଳୟ ଖୋଲାଯାଇପାରି ନାହିଁ। ଏଭଳି ସ୍ଥିତିରେ ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରରେ କିଭଳି ବିକାଶ ଘଟିବ ତାହା ଏଥିରୁ ସ୍ପଷ୍ଟ ଜଣାପଡୁଛି।
ଅବିଭକ୍ତ କୋରପୁଟ ଜିଲ୍ଲାରୁ ବିଭକ୍ତ ହୋଇ ୧୯୯୨ ମସିହାରେ ମାଲକାନଗିରି ସ୍ବତନ୍ତ୍ର ଜିଲ୍ଲା ଭାବେ ଗଠନ ହୋଇଛି। ଜିଲ୍ଲାର ମାନ୍ୟତା ପାଇବା ପରେ ଜିଲ୍ଲା ସ୍ତରୀୟ ବିଭିନ୍ନ କାର୍ଯ୍ୟାଳୟ ଖେଲାଯାଇଛି। କିନ୍ତୁ ୩୦ ବର୍ଷ ବିତିଯାଇଥିଲେ ମଧ୍ୟ ସରକାର ମାଲକାନଗିରି ଜିଲ୍ଲାରେ ପର୍ଯ୍ୟଟନ ବିଭାଗର ସ୍ବତନ୍ତ୍ର କାର୍ଯ୍ୟାଳୟଟିଏ ଖୋଲିପାରି ନାହାନ୍ତି। କୋରାପୁଟ ପର୍ଯଟନ ବିଭାଗରେ ଯେଉଁ ଅଧିକାରୀ ରହୁଛନ୍ତି ତାଙ୍କୁ ମାଲକାନଗିରି ଜିଲ୍ଲାର ପର୍ଯ୍ୟଟନ ଦାୟିତ୍ବ ଲଦି ଦେଉଛନ୍ତି। ନିଜସ୍ବ କାର୍ଯ୍ୟାଳୟ ନଥିବା ବେଳେ ମାଲକାନଗିରି ଜିଲ୍ଲାକୁ ଆସି ପର୍ଯ୍ୟଟନ ଅଧିକାରୀଜଣଙ୍କ କାର୍ଯ୍ୟ କରିବା ସମ୍ଭବପର ହୋଇପାରୁନାହିଁ। ଏଥିଯୋଗୁଁ ସାରା ରାଜ୍ୟରେ ପର୍ଯ୍ୟଟନ ବିଭାଗର ଦୌଡରେ ମାଲକାନଗିରି ଜିଲ୍ଲା ପଛରେ ପଡିଯାଉଛି। ମାଲକାନଗିରି ଜିଲ୍ଲାରେ ମଲ୍ଲିକେଶ୍ବର ମନ୍ଦିର, ସତୀଗୁଡା ଡ୍ୟାମ, ବାଲିମେଳା ପାୱାର ହାଉସ, ବାଲିମେଳା ଜଳଭଣ୍ଡାର, ଚିତ୍ରକେଣ୍ଡା ଝୁଲା ବ୍ରିଜ, ଗୁରୁପ୍ରିୟା ସେତୁ, ଗୋବିନ୍ଦପାଲ୍ଲୀ ଗୁମ୍ମା ଝରନ, ମହୁଲି ଡୁଡୁମା, ଖଇରପୁଟ ଆମ୍ମାକୁଣ୍ଡ, ବଣ୍ଡାଘାଟିରେ ସୀତାକୁଣ୍ଡ, ମାନ୍ୟମକୋଣ୍ଡା ବଡ ଠାକୁର ଗୁମ୍ପା, ପଦ୍ମଗିରି ଜଉପାହାଡ, ସପ୍ତାଧାରା ନଦୀ, ମୋଟୁ ସାବେରୀ ଓ ସିଲେରୁ ସଙ୍ଗମସ୍ଥଳ, ସାଲିମି ଏକାଗୁଡି ଝରଣା, ଭେଜାଙ୍ଗିୱାଡା ଡେକରାଯୋଡି ଝରଣା ଭଳି ବିଭିନ୍ନ ପର୍ଯ୍ୟଟନସ୍ଥଳୀ ରହିଛି। କିନ୍ତୁ ଜିଲ୍ଲାରେ ମୋଟ ୬ଟି ସ୍ଥାନକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ମାନ୍ୟତା ମିଳିଥିବା ବେଳେ ଅନ୍ୟ ସ୍ଥାନକୁ ପର୍ଯ୍ୟଟନକେନ୍ଦ୍ରର ମାନ୍ୟତା ମିଳିପାରୁ ନାହିଁ।
ପର୍ଯ୍ୟଟନ ବିଭାଗର ସୂଚନା ଅନୁଯାୟୀ, ୨୦୧୯ ମସିହାରୁ ୧୦୨୧ ମସିହା ମଧ୍ୟରେ ବାଲିମେଳାକୁ ୫୫,୪୭୩ ଜଣ ପର୍ଯଟକ, ଚିତ୍ରକୋଣ୍ଡାକୁ ୬୮,୬୨୫ ଜଣ, ମାଲକାନଗିରିକୁ ୧,୫୪,୨୭୯ ଜଣ, ମୋଟୁକୁ ୬୧,୯୫୨ ଜଣ, ସତୀଗୁଡାକୁ ୧,୭୯,୭୭୮ ଜଣ ଓ ରାଜରାଣୀ ବନ୍ଧକୁ ୯,୯୨୪ ଜଣ ପର୍ଯ୍ୟଟକ ଆସିଛନ୍ତି। ଏଥିମଧ୍ୟରେ ମାଲକାନଗିରିକୁ ୭ ଜଣ ବିଦେଶୀ ପର୍ଯ୍ୟଟକ ଆସିଥିବା ନେଇ ସୂଚନା ମିଳିଛି। ପ୍ରତିବର୍ଷ ମାଲକାନଗିରି ଜିଲ୍ଲାକୁ ଲକ୍ଷାଧିକ ପର୍ଯ୍ୟଟକ ଆସୁଥିଲେ ମଧ୍ୟ ସରକାର ଏହି ଜିଲ୍ଲାରେ କାର୍ଯ୍ୟାଳୟଟିଏ ଖୋଲିବା ପାଇଁ ଆନ୍ତରିକତା ନାହିଁ। ରାଜ୍ୟ ସରକାର ବିଭିନ୍ନ ସମୟରେ କିଛି ପର୍ଯ୍ୟଟନ କେନ୍ଦ୍ରର ବିକାଶ ପାଇଁ ଟଙ୍କା ଖର୍ଚ୍ଚ କରୁଛନ୍ତି ସତ କିନ୍ତୁ ଆହୁରି ଅନେକ ପର୍ଯ୍ୟଟନ କେନ୍ଦ୍ର ଲୋକଲୋଚନକୁ ଆସିପାରୁନାହିଁ। ଜିଲ୍ଲାର ବହୁତ ପର୍ଯ୍ୟଟନସ୍ଥଳୀ ପର୍ଯ୍ୟଟନ ବିଭାଗର ସ୍ବିକୃତୀ ପାଇବା ପାଇଁ ଅପେକ୍ଷା କରିଥିବା ବେଳେ ତାହାକୁ ଆଜି ପର୍ଯ୍ୟନ୍ତ ମାନ୍ୟତା ମିଳିପାରୁନାହିଁ। ଏଥିସହ ପର୍ଯ୍ୟଟନ କ୍ଷେତ୍ରରୁ ସରକାର ରାଜସ୍ବ ବୃଦ୍ଧି ଘଟିବାରେ ମଧ୍ୟ ବାଧା ଉପୁଜୁଛି।