ବାଲେଶ୍ବର: ବାଲେଶ୍ବର ଗସ୍ତକୁ ନେଇ ଯେତେବେଳେ ମୋଦିଜୀଙ୍କୁ ମୁଁ ଭେଟିବାକୁ ଗଲି ତାଙ୍କୁ କହିଲି ଯେ, ମୁଁ ବାଲେଶ୍ବର ଯିବାକୁ ଚାହୁଁଛି। ସେଠି ଜିଲ୍ଲାପାଳ ଥିବାବେଳେ ମୁଁ ଲୋକମାନଙ୍କ ସହ ମିଶି ଅନେକ କାମ କରିଛି। ବିଶେଷ କରି ୧୯୯୯ ମସିହା ମହାବାତ୍ୟାକୁ ସଫଳତାର ସହ ମୁକାବିଲା କରିଥିଲୁ। କିନ୍ତୁ, ଏବେ ରେଳସେବାକୁ ନେଇ ରହିଥିବା ସମସ୍ୟାର ସମାଧାନ ସେଠାରେ କରିବାକୁ ପଡ଼ିବ। ଏନେଇ ପ୍ରତାପନନା ଓ ମୁଁ ଆଲୋଚନା କରିଛୁ ଏବଂ ସେଠାକାର ଲୋକଙ୍କ ତରଫରୁ ମଧ୍ୟ ଆମକୁ ଅନେକ ପ୍ରସ୍ତାବ ଆସିଛି।
ତେବେ ସବୁଠୁ ଦୁଃଖର ବିଷୟ ହେଉଛି ପ୍ରତାପ ନନାଙ୍କ ନୀଳଗିରିକୁ ଆଜି ପର୍ଯ୍ୟନ୍ତ ପାସେଞ୍ଜର ଟ୍ରେନ୍ ସୁବିଧା ହୋଇପାରିନି, ଯାହାକୁ ନେଇ ତାଙ୍କର କ୍ଷୋଭ ମଧ୍ୟ ରହିଛି। ଏହା ଶୁଣି ମୋଦିଜୀ ଜାଣିବାକୁ ଚାହିଁଲେ ଯେ, କାହିଁକି ନୀଳଗିରିକୁ ପାସେଞ୍ଜର ଟ୍ରେନ୍ ସୁବିଧା ହୋଇପାରିନି। ମୁଁ ତାଙ୍କୁ କହିଲି ପୂର୍ବରୁ ନୀଳଗିରିକୁ ଯେଉଁ ଟ୍ରାକ୍ ଥିଲା ତାହା ଅପ୍ଗ୍ରେଡ୍ ବା ପ୍ରଶସ୍ତୀକରଣ କରାଯାଇନାହିଁ।
ପ୍ରଥମେ ତାହା କରିବାକୁ ପଡ଼ିବ। ଏହାଶୁଣି ମୋଦିଜୀ ରାଗିଯାଇ କହିଲେ, ‘ଅବତକ୍ କ୍ୟୁଁ ନେହିଁ କିୟା, ୱ କାମ୍ ଜଲଦି କରୋ’। ମୋଦିଜୀଙ୍କଠାରୁ ଏହି ନିର୍ଦେଶ ପାଇବା ପରେ ପ୍ରତାପ ନନାଙ୍କୁ ଏବାବଦରେ ଜଣାଇବା ସହ ଯେତେଶୀଘ୍ର କାମ ସାରିବା ପାଇଁ କହିଥିଲି। ବାଲେଶ୍ବର ଗସ୍ତରେ ଆସିବା ପୂର୍ବରୁ ଏଠାକାର ପ୍ରମୁଖ ଦାବି ସମ୍ପର୍କରେ ଅବଗତ ହେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିକ୍ରିୟା ଏମିତି ଥିଲା ବୋଲି ଆଜି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସାଧାରଣ ସଭାରେ ସୂଚନା ଦେଇଥିଲେ।