ଯାଜପୁର/ସଦର/କବାଟବନ୍ଧ: ରାଜ୍ୟ ରାଜନୀତି ଓ ପ୍ରଶାସନିକ ବ୍ୟବସ୍ଥାକୁ ୫-ଟି କବଳିତ କରିଛି। ସେପଟେ ୫-ଟିରେ ବିଦ୍ୟାଳୟ ରୂପାନ୍ତରୀକରଣ ନାମରେ ହରିଲୁଟ୍ ଚାଲିଛି। ଦୁର୍ନୀତିର ଚେର ତଳୁ ଉପର ପର୍ଯ୍ୟନ୍ତ ମାଡ଼ି ଯାଇଥିବାରୁ ନିମ୍ନମାନର କାମ ପାଇଁ ପାଚେରି ଭୁଶୁଡ଼ିଲେ ବି ସମସ୍ତଙ୍କ ମୁହଁ ବନ୍ଦ। ଏଠାରେ ୫-ଟିର ପ୍ରଥମ-ଟି ଟ୍ରାନ୍ସପରେନ୍ସି ବା ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠିଛି। ରୂପାନ୍ତରୀକରଣ ପାଇଁ ବିଦ୍ୟାଳୟ ପିଛା ୬୦ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଖୋଲା ଟେଣ୍ଡର ହେଉନି। ବିଭାଗ ନାମ ଦର୍ଶାଇ କନିଷ୍ଠ ଯନ୍ତ୍ରୀମାନଙ୍କ ଜରିଆରେ ଠିକାଦାରଙ୍କୁ ଦିଆଯାଉଛି। ଏଭଳି ଗୁପ୍ତଟେଣ୍ଡର କାରବାର ଖୋଲାଖୋଲି ଚାଲିଛି। ଯାଜପୁର ଜିଲ୍ଲାରେ ୩୪୮ ଉଚ୍ଚବିଦ୍ୟାଳୟରେ ୫-ଟି ଜରିଆରେ ୨୦୮କୋଟି ୮୦ଲକ୍ଷ ଟଙ୍କା ବ୍ୟୟ ହୋଇଛି। ଖୋଲାଟେଣ୍ଡର କରାନଯାଇ କନିଷ୍ଠ ଯନ୍ତ୍ରୀଙ୍କ ନାମରେ ଠିକାଦାରଙ୍କୁ ଦେଇ ଗୁପ୍ତଟେଣ୍ଡର କରାଯିବାରୁ ସରକାର ୧୪.୯୯% ଲେସ୍ ବାବଦରେ ସରକାରୀ ତହବିଲରୁ ୨୬କୋଟିରୁ ଅଧିକ ଟଙ୍କା ହରାଇଛନ୍ତି। ୫-ଟି ନାମରେ କୋଟି କୋଟି ଟଙ୍କା ଦୁର୍ନୀତି କାରବାର ପଦାକୁ ଆସିବା ପରେ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି।
୨୦୮କୋଟି ଟଙ୍କାର ଗୁପ୍ତ ଟେଣ୍ଡର କାରବାର
ସରକାରଙ୍କୁ ୨୬କୋଟିର ଚୂନ, କାମ ନିମ୍ନମାନର
ଗୋଟିଏ ପରେ ଗୋଟିଏ ବିଦ୍ୟାଳୟର ପାଚେରି ଭୁଶୁଡୁଛି
ସରକାରୀ ତଥ୍ୟ ମୁତାବକ ଯାଜପୁର ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୬୫ଟି ବିଦ୍ୟାଳୟକୁ ରୂପାନ୍ତରୀକରଣ କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ୧୯୫ଟି ସ୍କୁଲ, ତୃତୀୟ ପର୍ଯ୍ୟାୟରେ ୮୬ଟି ସ୍କୁଲ ଏବଂ ଚତୁର୍ଥ ପର୍ଯ୍ୟାୟରେ ୮୬ ସ୍କୁଲ କାର୍ଯ୍ୟ ଚାଲିଛି। ଜିଲ୍ଲାର ୪୪୬ଟି ଉଚ୍ଚବିଦ୍ୟାଳୟ ମଧ୍ୟରୁ ୩୪୮ଟି ବିଦ୍ୟାଳୟରେ ୫-ଟି ରୂପାନ୍ତରୀକରଣ କାମ ହୋଇଛି। ଏଥି ମଧ୍ୟରେ ସ୍ମାର୍ଟ କ୍ଲାସରୁମ୍, ଲାଇବ୍ରେରି, ଲାବ୍ରୋଟୋରି, ପରିସ୍ରାଗାର, ବହି, ଲାଇଟ୍ ଓ ଅନ୍ୟାନ୍ୟ ଖର୍ଚ୍ଚ ହେଉଛି।
ସୂଚନାଯୋଗ୍ୟ ୫ଦିନ ପୂର୍ବେ ସାମନ୍ୟ ବର୍ଷାରେ ଧର୍ମଶାଳା ବ୍ଲକ ଅନ୍ତର୍ଗତ କବାଟବନ୍ଧ ସରକାରୀ ଉଚ୍ଚବିଦ୍ୟାଳୟର ୧୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପାଚେରି ଭୁଶୁଡ଼ି ପଡିଲା। ୧୫ ବର୍ଷ ପୂର୍ବର ପୁରୁଣା ପାଚେରିରେ ପ୍ଲାଷ୍ଟର ଓ ଚୂନ ବୋଳି ଅନୁଦାନ ଲୁଟ୍ କରାଯାଇଥିଲା। ଯାହାଫଳରେ ଶହେ ଫୁଟ୍ ପାଚେରି ଭାଙ୍ଗିଗଲା ବୋଲି ଅଭିଯୋଗ ହେଲା। ଏବେ ଠିକାଦାର ଭଙ୍ଗା ପାଚେରିକୁ ଟିଣ ଘୋଡ଼ାଇ ଲୁଚାଇବାକୁ ଉଦ୍ୟମ କରିଛନ୍ତି। ୧୯୬୭ ମସିହାରୁ ପ୍ରତିଷ୍ଠିତ କବାଟବନ୍ଧ ଉଚ୍ଚବିଦ୍ୟାଳୟର ଅନେକ ସୁନାମ ରହିଛି। ଆଉ ଦୁଇମାସ ପରେ ସଂପୃକ୍ତ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ହେବ। ପାଚେରି ଭାଙ୍ଗିବା ଘଟଣାକୁ ନେଇ ପୁରାତନ ଛାତ୍ରଛାତ୍ରୀଙ୍କ ସମେତ ଗ୍ରାମବାସୀ ଓ ଶିକ୍ଷାବିତ୍ ମହଲରେ ଘୋର ଉଦ୍ବେଗ ପ୍ରକାଶ ପାଇଛି।
ଗତବର୍ଷ ବଡ଼ଚଣା ବ୍ଲକ୍ ଅଧୀନ ଧାନମଣ୍ଡଳ ସରକାରୀ ଉଚ୍ଚବିଦ୍ୟାଳୟ ପାଚେରି ମଧ୍ୟ ଭୁଶୁଡ଼ି ପଡ଼ିଥିଲା। ସେହିପରି କୋରେଇ ବ୍ଲକ୍ ଶଙ୍ଖଚିଲା ହାଇସ୍କୁଲର ଆଜବେଷ୍ଟସ ଭାଙ୍ଗିଯାଇଥିବାରୁ ବର୍ଷାରେ ପିଲାମାନେ ଭିଜୁଛନ୍ତି ଓ ଖରାରେ ସିଝୁଛନ୍ତି। ବ୍ୟାସନଗର ସରକାରୀ ଉଚ୍ଚବିଦ୍ୟାଳୟର କମ୍ପ୍ୟୁଟରଗୁଡ଼ିକ ଅଚଳ। ବିଦ୍ୟାଳୟ ରୂପାନ୍ତରୀକରଣ ନାମରେ ଠିକାଦାର ଓ ଅସାଧୁମେଣ୍ଟ ମାଲାମାଲ ହେଉଛନ୍ତି। ସରକାରଙ୍କ ତହବିଲରୁ କୋଟି କୋଟି ଟଙ୍କା ଲୁଟ୍ ଚାଲିଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହେଉଥିଲେ ମଧ୍ୟ ସରକାରୀ କଳ ନିରବ।