ଏଚ୍‌ଆଇଭି ଆକ୍ରାନ୍ତ ବୋଲି ମିଳୁନି ଚିକିତ୍ସା! କ୍ୟାପିଟାଲ ହସ୍ପିଟାଲ, ଏମ୍‌ସ, ଏସ୍‌ସିବି ବୁଲୁଛନ୍ତି ଆକ୍ରାନ୍ତ

ସ୍ବାସ୍ଥ୍ୟ ବିଭାଗର ମାନସମନ୍ଥନ, ଫଳ ଶୂନ

ଭୁବନେଶ୍ବର : ରାଜ୍ୟରେ ଏଚ୍‌ଆଇଭି ଆକ୍ରାନ୍ତଙ୍କୁ ମିଳୁନି ଚିକିତ୍ସା। ରାଜଧାନୀର କ୍ୟାପିଟାଲ ହସ୍ପିଟାଲ, ଏମ୍‌ସ ଓ ଏସ୍‌ସିବି ପର୍ଯ୍ୟନ୍ତ ଚିକିତ୍ସା ପାଇଁ ଦୌଡ଼ିଲେଣି ହେଲେ କେଉଁଠି ଆଡମିସନ୍ ହୋଇପାରୁନି। ହସ୍ପିଟାଲରେ ଚିକିତ୍ସା ନ କରି ଘରକୁ ଫେରୁଛନ୍ତି। ସବୁଠାରେ ବାଛବିଚାରର ଶିକାର ହେଉଥିବା ଅଭିଯୋଗ ହେଉଛି। ଆଗକୁ ତାଙ୍କର ଚିକିତ୍ସା ହୋଇପାରିବ କି ନାହିଁ ତାହା ସନ୍ଦେହ ଭିତରେ ରହିଛି।

ଗତ କିଛିମାସ ଭିତରେ ଏକାଧିକ ଏଚ୍‌ଆଇଭି ଆକ୍ରାନ୍ତ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥିବା ନଜରକୁ ଆସିଛି। କେବଳ ଭୁବନେଶ୍ବରରେ ନୁହେଁ, ପୁରୀ ଓ ଅନ୍ୟାନ୍ୟ ଜାଗାରେ ଆକ୍ରାନ୍ତଙ୍କୁ ଚିକିତ୍ସାରୁ ଏକପ୍ରକାର ବାରଣ କରାଯାଉଛି। ଚାରିଆଡ଼ୁ ଏଭଳି ଅଭିଯୋଗ ଆସିବା ପରେ ଗତମାସରେ ସ୍ବାସ୍ଥ୍ୟ ବିଭାଗରୁ ଏଥିପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା।

ଖୋର୍ଧା ଜିଲ୍ଲାର ଜଣେ ଏହି ଏଚ୍‌ଆଇଭି ଆକ୍ରାନ୍ତ ଜଣକ ହେଉଛନ୍ତି ଦିନ ମଜୁରିଆ। ନିକଟରେ ତାଙ୍କର ପେଟରେ ଯନ୍ତ୍ରଣା ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିଲେ। ସେଠାରେ ଡାକ୍ତରଙ୍କ ପରାମର୍ଶରେ ପରୀକ୍ଷା କରିବା ପରେ ତାଙ୍କର କର୍କଟ ରୋଗ ଥିବା ଜଣାପଡ଼ିଥିଲା। ଫଳରେ ହସ୍ପିଟାଲ କର୍ତୃପକ୍ଷ ତାଙ୍କୁ ଏମ୍‌ସକୁ ରେଫର କରିଦେଇଥିଲେ। ଏମ୍‌ସରେ ପହଞ୍ଚିବା ପରେ ତାଙ୍କୁ ଶଯ୍ୟାର ଅଭାବ ଦର୍ଶାଇ କଟକସ୍ଥିତ ଏସ୍‌ସିବକୁ ରେଫର କରି ଦିଆଗଲା। ହେଲେ ବିଳମ୍ବିତ ରାତି ପାଇଁ ସେ କଟକ ଯାଇପାରି ନ ଥିଲେ। ପରବର୍ତୀ ସମୟରେ ଆକ୍ରାନ୍ତଙ୍କ ପତ୍ନୀ ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି ବା ଓସାକ୍ସର ପ୍ରକଳ୍ପ ନିର୍ଦେଶିକାଙ୍କୁ ଚିଠି ଲେଖିବା ସହିତ ତାଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିବେଦନ କରିଥିଲେ। ପରବର୍ତୀ ସମୟରେ ଆକ୍ରାନ୍ତ ଏସ୍‌ସିବି ଯାଇଥିଲେ ଓ ତାଙ୍କର ସେଠାରେ କିଛି ପରୀକ୍ଷା କରାଯାଇଥିଲା। ମାତ୍ର ହସ୍ପିଟାଲ କର୍ତୃପକ୍ଷ ତାଙ୍କର ଆଡମିସନ୍ କରି ନଥିଲେ। ଫଳରେ ବାଧ୍ୟ ହୋଇ ଘରକୁ ଫେରି ଆସିଥିଲେ। ଦିନକୁ ଦିନ ତାଙ୍କ ସ୍ବାସ୍ଥ୍ୟା ବିଗିଡ଼ିବାରେ ଲାଗିଛି।

The Pulse

ଗତ ୧ମାସ ପୂର୍ବରୁ ସମାନ ଢଙ୍ଗରେ କ୍ୟାପିଟାଲ ହସ୍ପିଟାଲରେ ଜଣେ ଏଚ୍‌ଆଇଭି ଆକ୍ରାନ୍ତଙ୍କ ହାଇଡ୍ରେ‌ସିଲ ଅସ୍ତ୍ରୋପଚାର ପାଇଁ ବାରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଚ୍‌ଆଇଭି ଆକ୍ରାନ୍ତ ଗର୍ଭବତୀ ମହିଳାଙ୍କ ଅସ୍ତ୍ରୋପଚାର କରାଯାଉ ନ ଥିବା ଏଚ୍‌ଆଇଭି ଆକ୍ରାନ୍ତଙ୍କ ଉପରେ କାର୍ଯ୍ୟ କରୁଥିବା ସଂସ୍ଥା ଅଭିଯୋଗ କରିଛନ୍ତି। ରାଜ୍ୟରେ ଲଗାତାର ଭାବେ ଏଚ୍‌ଆଇଭି ଆକ୍ରାନ୍ତମାନଙ୍କୁ ଚିକିତ୍ସା ସେବାରୁ ଏଭଳି ବଞ୍ଚିତ କରାଯାଉଥିବା ଅଭିଯୋଗ ପରେ ଗତମାସ ୧୭ତାରିଖରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏଥିରେ ପ୍ରତ୍ୟେକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ/ମେଡିକାଲ କଲେଜ/ସିଏଚ୍‌ସି,ପିଏଚ୍‌ସି ସ୍ତରରେ ଏକ ଅଭିଯୋଗ ସମାଧାନ କମିଟି ଗଠନ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହାସହ ସରକାରୀ ଡାକ୍ତରଖାନାରେ ଯଦି ଡାକ୍ତର କୌଣସି ପ୍ରକାର ଅସ୍ତ୍ରୋପଚାର/ପ୍ରସବ ଅସ୍ତ୍ରୋପଚାର ନ କରନ୍ତି ତାହାଲେ ଜରିମାନା ବ୍ୟବସ୍ଥା, ଡାକ୍ତର, ପାରା ମେଡିକାଲ ଷ୍ଟାଫମାନଙ୍କୁ ଏଚ୍‌ଆଇଭି ଓ ଏଡ୍‌ସ ଆଇନ ୨୦୧୭ ଅନୁସାରେ ସଚେତନତା, ଏଚ୍‌ଆଇଭି ଆକ୍ରାନ୍ତମାନଙ୍କ କୌଣସି ପ୍ରକାର ଅଭିଯୋଗର ସମାଧାନ ପାଇଁ ଡାକ୍ତରଖାନାରେ ଜଣେ ଅଧିକାରୀଙ୍କୁ ନିଯୁକ୍ତ କରାଯିବ। ଯଦି କୌଣସି ଏଚ୍‌ଆଇଭି ଆକ୍ରାନ୍ତଙ୍କ ଡାଏଲିସିସର ଆବଶ୍ୟକତା ପଡ଼‌େ ତାହାଲେ ଡାଏଲିସିସ୍ କେନ୍ଦ୍ରର ଠିକଣା ଆକ୍ରାନ୍ତମାନଙ୍କୁ ଜଣାଇ ଦିଆଯିବ ପ୍ରସ୍ତାବ ପାରିତ ହୋଇଥିଲା।

ଓସାକ୍ସର ପ୍ରକଳ୍ପ ନିର୍ଦେଶିକା ଡା.ଉର୍ମିଳା ମିଶ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ସୂଚନା ମିଳିନାହିଁ। ଅପରପକ୍ଷରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ବୈଠକରେ ହୋଇଥିବା ବିଭିନ୍ନ ପ୍ରସ୍ତାବ ଉପରେ ଏ ଯାଏ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।

ସମ୍ବନ୍ଧିତ ଖବର