କେନ୍ଦୁଝର : ଗତ ୧୩ ତାରିଖ କେନ୍ଦୁଝର ସଦର ରେଞ୍ଜ ସେଣ୍ଡକାପ ଶାଳ ଜଙ୍ଗଲ ନିକଟସ୍ଥ କାଜୁ ପଡ଼ିଆରୁ ଉଦ୍ଧାର ହୋଇଥିବା ଏକ ମାଈ ହରିଣର ମୃତ୍ୟୁ ଘଟିଥିଲା। ହରିଣଟି ଖାଦ୍ୟ ଅନ୍ବେଷଣରେ ଜନବସତି ମୁହାଁ ହୋଇ ପ୍ରାଣ ହରାଇଥିବା କୁହାଯାଉଛି। କେବଳ ଏହି ଘଟଣା ନୁହେଁ, ଏବେ ଖାଦ୍ୟ ଓ ପାଣି ପାଇଁ ବହୁ ବନ୍ୟଜନ୍ତୁ ଏବେ ଜନବସତି ମୁହଁା ହେଉଥିବା ଦେଖିବାକୁ ମିଳୁଛି। ‌ତେବେ, ଅନିୟନ୍ତ୍ରିତ ଖଣି ଖନନ ଓ ଶିଳ୍ପ ପ୍ରତିଷ୍ଠା ଯୋଗୁ ପ୍ରାକୃତିକ ଜଙ୍ଗଲ ଧ୍ୱଂସ ହେବାରେ ଲାଗିଛି। ଖଣି ସଂପ୍ରସାରଣ ପାଇଁ ହଜାର ହଜାର ବହୁ ପୁରାତନ ଜଙ୍ଗଲ କାଟିବାକୁ ଅନୁମତି ଦିଆଯାଉଛି। ପରିମାଣସ୍ବରୂପ ଏହିଭଳି ଦୃଶ୍ୟ ଦେଖିବାକୁ ମିଳୁଥିବା ବେଳେ କେନ୍ଦୁଝର ଜିଲ୍ଲାରେ କାମ୍ପା ଅର୍ଥରେ ପ୍ରତ୍ୟେକବର୍ଷ ଯେତିକି ନୂତନ ବନୀକରଣ କରାଯାଉଛି, ତାହାର ସଠିକ୍ ସମୀକ୍ଷା କରାଯାଉନାହିଁ।

Advertisment

ଜାତୀୟ ରାଜପଥ -୨୦ ଏବଂ ଜାତୀୟ ରାଜପଥ -୪୯ର ସଂପ୍ରସାରଣ ପାଇଁ ଯେଉଁ ପରିମାଣର ଗଛ କଟାଯାଇଥିଲା ସେହି ଅନୁପାତରେ ବନୀକରଣ କରାଯାଇ ନାହିଁ। ବରଂ, ଜିଲ୍ଲାରେ ସ୍ଲରି ପାଇପ୍‌ଲାଇନ ପାଇଁ ବନ ବିଭାଗ ଗଛକଟା ଅନୁମତି ଦେଇଛି। କିଛିମାସ ତଳେ ଏଥିପାଇଁ ବହୁ ପରିମାଣର ଗଛ କଟାଯାଇଛି। ସୂକ୍ଷ୍ମ ଜୈବ ବିବିଧତାରେ ପରିପୂର୍ଣ୍ଣ ଜିଲ୍ଲାରେ ଅନେକ ପ୍ରଜାତିର ଜୀବଜନ୍ତୁ, ପକ୍ଷୀ, କୀଟପତଙ୍ଗ ବସବାସ କରୁଛନ୍ତି। ଗଛ କାଟିବା ଫଳରେ ସେମାନଙ୍କ ଉପରେ ଗୁରୁତର ପ୍ରଭାବ ପଡ଼ୁଛି। ବହୁ ପ୍ରଜାତିର କୀଟପତଙ୍ଗ ବଂଶ ଲୋପ ପାଇଯାଉଥିବା ବେଳେ ପକ୍ଷୀବଂଶ ବିପଦରେ। ଜୀବଜନ୍ତୁ ମଧ୍ୟ ବଡ଼ ସଂକଟରେ ଅଛନ୍ତି।

ଅନ୍ୟପକ୍ଷରେ, ବନ ବିଭାଗ ଗତ କିଛିବର୍ଷ ହେବ ଜଙ୍ଗଲ ସୁରକ୍ଷା ପାଇଁ ଯେପରି ପଦକ୍ଷେପ ନେବା କଥା ସେପରି ନେବାରେ ଆପାତତଃ ବିଫଳ ହୋଇଛି। ଜଙ୍ଗଲରେ କାଠ ମାଫିଆ ସକ୍ରିୟ ହୋଇ ଜଙ୍ଗଲ ସଫା କରୁଛନ୍ତି। ସରକାରୀ ହିସାବରେ କେନ୍ଦୁଝରରେ ଜଙ୍ଗଲ ଅଞ୍ଚଳ ବୃଦ୍ଧି ପାଉଥିବା ଦର୍ଶାଯାଉଥିବାବେଳେ ବାସ୍ତବରେ ଦିନକୁ ଦିନ ସଂକୁଚିତ ହେଉଛି। ସେହିପରି, କେନ୍ଦୁଝର ସଦର ରେଞ୍ଜର କିଛି ଜଙ୍ଗଲ, ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଏବଂ ତେଲକୋଇ ରେଞ୍ଜରେ ପ୍ରତ୍ୟେକ ବର୍ଷ ପୋଡୁ ଚାଷ ପାଇଁ ଜଙ୍ଗଲ କଟାଯାଇ ନିଆଁ ଲଗାଇ ଦିଆଯାଉଛି। ଏହାକୁ ରୋକିବାରେ ବନ ବିଭାଗ ଏବଂ ସରକାର ବିଫଳ ହେଉଥିବା ଅଭିଯୋଗ ହେଉଛି।

ଏହିସବୁ କାରଣରୁ ବନ୍ୟଜନ୍ତୁ ଏବେ ଜନବସତି ମୁହଁା ହୋଇଛନ୍ତି ବୋଲି କୁହାଯାଉଛି।