ଭୁବନେଶ୍ୱର : ମହାନଦୀ ପ୍ରସଙ୍ଗ ସରଗରମ ଥିଲା ବେଳେ ପୋଲାଭରମ୍ ପ୍ରସଙ୍ଗ ପଛକୁ ଠେଲି ହୋଇଯାଇଥିଲା। କିନ୍ତୁ କେନ୍ଦ୍ର ଆଦିବାସୀ ବ୍ୟପାର ମନ୍ତ୍ରୀ ଜୁଏଲ୍ ଓରାମ ପୋଲାଭରମ୍ ନିଆଁକୁ ତେଜିଛନ୍ତି। ପୋଲାଭରମ୍ ପ୍ରକଳ୍ପ ଯୋଗୁଁ ଓଡ଼ିଶାର କୌଣସି ଆଦିବାସୀ ପରିବାର ପ୍ରଭାବିତ ହେବେ ନାହିଁ ବୋଲି ଗତକାଲି କେନ୍ଦ୍ର ମନ୍ତ୍ରୀ ସଂସଦରେ ବିବୃତି ଦେଇଛନ୍ତି। ଏହାକୁ ନେଇ ମନ୍ତ୍ରୀଙ୍କୁ ତୀବ୍ର ଭର୍ତ୍ସନା କରିଛି ବିଜେଡି। ପାଖାପାଖି ୬ ହଜାର ଆଦିବାସୀ ପ୍ରଭାବିତ ହେବେ ବୋଲି ତଥ୍ୟ ଦେଇ ମନ୍ତ୍ରୀଙ୍କୁ ଘେରିଛି ବିଜେଡି।
ବିଜେଡି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି, କେନ୍ଦ୍ର ସରକାର ଏକତରଫା ଭାବେ ଆନ୍ଧ୍ର ସରକାରଙ୍କ ସ୍ୱାର୍ଥ ରକ୍ଷା କରୁଛନ୍ତି। ଓଡ଼ିଶା ପ୍ରତି ଅବିଚାର କରୁଛନ୍ତି। ପୋଲାଭରମ୍ ପ୍ରକଳ୍ପ ଯୋଗୁଁ ଦକ୍ଷିଣ ଓଡ଼ିଶାରେ ମାଲକାନଗିରି ଜିଲ୍ଲାରେ ମୋଟୁ ତହସିଲ୍ର ୧୫ଟି ରାଜସ୍ୱ ଗ୍ରାମ ଓ ୧୦ଟି ପଡ଼ା ଗାଁ ଜଳମଗ୍ନ ହେବାକୁ ଯାଉଛି। ସମୁଦାୟ ୨୫ଟି ଗାଁର ୬୮୧୮ ଲୋକ ବିସ୍ଥାପିତ ହେବେ। ଏହି ବିସ୍ଥାପନ ଯୋଗୁଁ ୫୯୧୬ ଜଣ ଆଦିବାସୀ ଭିଟାମାଟି ହରାଇବେ। ଏଥିରେ ୭୬୫୬ ହେକ୍ଟର ଚାଷ ଓ ଜଙ୍ଗଲ ଜମି ବୁଡ଼ିଯିବ। ତେଣୁ କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମ ଦେଇଥିବା ମନ୍ତବ୍ୟ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପ୍ରତି କେବଳ ଉପେକ୍ଷା ନୁହେଁ, ସେମାନଙ୍କ ବିଶ୍ୱାସ ପ୍ରତି ବି କୁଠାରଘାତ। ଏହା ବିଜେପିର ଅସଲ ମୁଖା ଖୋଲିଦେଇଛି।
କେନ୍ଦ୍ର ମନ୍ତ୍ରୀ ଓଡ଼ିଶାରୁ ପ୍ରତିନିଧିତ୍ୱ କରି ଓଡ଼ିଶା ଆଦିବାସୀଙ୍କ ସ୍ୱାର୍ଥ ବିରୋଧରେ ବିବୃତି ଦେବା ଦୁର୍ଭାଗ୍ୟଜନକ। ଜୁଏଲ୍ ନିଜେ ଆଦିବାସୀ ହୋଇଥିଲେ ବି ସେମାନଙ୍କ ସୁରକ୍ଷା ପ୍ରତି ଆଖି ବୁଜି ଦେବା ନିନ୍ଦନୀୟ ବୋଲି ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା, ମୁଖପାତ୍ର ସସ୍ମିତ ପାତ୍ର ଓ ରାଜ୍ୟ ସମ୍ପାଦକ ବିଜୟ ନାୟକ ଉପସ୍ଥିତ ଥିଲେ।
ଅପରପକ୍ଷରେ ବିଜେଡିର ବିରୋଧ ନେଇ ଜୁଏଲ୍ ନୂଆଦିଲ୍ଲୀରେ କହିଛନ୍ତି, ମୁଁ ଯେଉଁ ତଥ୍ୟ ଦେଇଛି ତାହା ପୋଲାଭରମ୍ ପ୍ରକଳ୍ପ ଅଥରିଟି ଦ୍ୱାରା ଦିଆଯାଇଥିଲା। ଯଦି ଓଡ଼ିଶା ସରକାର ଆଡ଼ି ବନ୍ଧ କରିବେ, ତାହା ହେଲେ କୌଣସି ଲୋକ ବାସହରା ହେବେ ନାହିଁ। ୨୦୦୪-୦୫ ମସିହାରେ ଏହି ସର୍ଭେ ହୋଇଥିଲା। ଓଡ଼ିଶା ସରକାର କି ତଥ୍ୟ ରଖିଛନ୍ତି, ମୁଁ ଜାଣେ ନାହିଁ। ରାଜନୈତିକ ଉଦ୍ଦେଶ୍ୟରେ ଏମିତି କୁହାଯାଉଛି। କେନ୍ଦ୍ର ସରକାର ରାଜ୍ୟର ଆଦିବାସୀମାନଙ୍କ ପାଇଁ କାମ କରୁଛନ୍ତି।
ପ୍ରକଳ୍ପ ତ୍ୱରାନ୍ଵିତ ପାଇଁ କେନ୍ଦ୍ର ତରବର
ନୂଆଦିଲ୍ଲୀ : ପୋଲାଭରମ୍ ପ୍ରକଳ୍ପକୁ ନେଇ ଓଡ଼ିଶାରେ ବିରୋଧ ଲାଗି ରହିଥିଲା ବେଳେ କେନ୍ଦ୍ର ସରକାର ପ୍ରକଳ୍ପକୁ ତ୍ୱରାନ୍ଵିତ କରିବାକୁ ପଦକ୍ଷେପ ନେବା ଜାରି ରଖିଛନ୍ତି। ଆର୍ଥିକ ଅନୁଦାନ ପ୍ରଦାନ କରାଯିବା ସହ ପ୍ରକଳ୍ପ ପାଇଁ ବିଭିନ୍ନ ପ୍ରକାର ଅନୁମତି ମଧ୍ୟ ପ୍ରଦାନ କରାଯାଉଛି। ପୋଲାଭରମ୍ ପ୍ରକଳ୍ପର କଫର୍ଡ୍ୟାମ୍ ନିର୍ମାଣ କରାଯିବା ପାଇଁ ଆଜି କେନ୍ଦ୍ରୀୟ ଜଳ ଆୟୋଗ, ପୋଲାଭରମ୍ ପ୍ରକଳ୍ପ ପ୍ରାଧିକରଣ ତଥା ପ୍ରକଳ୍ପ ପାଇଁ ନିୟୋଜିତ ମୁଖ୍ୟ ଇଞ୍ଜିନିୟରମାନଙ୍କର ଏକ ବୈଠକ ହୋଇଥିଲା। ଏଥିରେ କେନ୍ଦ୍ର ଜଳ ଆୟୋଗର ଡ୍ୟାମ୍ ଡିଜାଇନ୍ କମିଟି ଦ୍ୱାରା ପୋଲାଭରମ୍ ପ୍ରକଳ୍ପର କଫର୍ଡ୍ୟାମ୍ ନିର୍ମାଣ ପାଇଁ ବିଧିବଦ୍ଧ ଅନୁମତି ପ୍ରଦାନ କରାଯାଇଥିଲା ଓ ଜୁନ୍ ମାସ ସୁଦ୍ଧା ଏହାକୁ ଶେଷ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ଅପର ପକ୍ଷରେ ଆଜି ସଂସଦର ଶୀତକାଳୀନ ଅଧିବେଶନ ଶେଷ ହେଲା ପରେ ତେଲୁଗୁ ଦେଶମ୍ ପାର୍ଟି ଓ ବିଜେପିର ସାଂସଦମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ସହ ପୋଲାଭରମ୍ କାର୍ଯ୍ୟ ତ୍ୱରାନ୍ଵିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/jual.jpg)