ଶାଳ ଠୁଙ୍ଗା ଓ ଖଲିକୁ ପ୍ରୋତ୍ସାହନ, କର୍ମଶାଳାରେ ବ୍ୟବହାର ହେବନି ପ୍ଲାଷ୍ଟିକ ପ୍ଲେଟ

କେନ୍ଦୁଝର: ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ଏବେ ପ୍ରୟାସ ଆରମ୍ଭ କରିଛି କେନ୍ଦୁଝର ଜିଲ୍ଲା ପ୍ରଶାସନ | କେବଳ ପ୍ଲାଷ୍ଟିକ ମୁକ୍ତ ପାଇଁ ପ୍ରୟାସ କରିନି ବରଂ ପ୍ଲାଷ୍ଟିକ ପ୍ଲେଟ ବଦଳରେ ଶାଳ ପତ୍ରରେ ପ୍ରସ୍ତୁତ ଖଲି ଓ ଠୁଙ୍ଗାକୁ ପ୍ରୋତ୍ସାହନ ଦେବାକୁ ନୂଆ ନିଷ୍ପତ୍ତି ନିଆଯାଇଛି | ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଯେ ଯେ କୌଣସି କର୍ମଶାଳା ବା ବୈଠକ ହେଲେ ଏଥିରେ ଖାଦ୍ୟ ପରଷିବା ପାଇଁ କୌଣସି ପ୍ଲାଷ୍ଟିକ ପ୍ଲେଟ ବ୍ୟବହାର କରାଯିବ ନାହିଁ ବରଂ ଶାଳ ପାତ୍ରରେ ପ୍ରସ୍ତୁତ ଠୁଙ୍ଗା ହିଁ ବ୍ୟବହାର କରାଯିବ | ସେହିପରି ଜିଲ୍ଲାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କୁ ଖଲି ଓ ଠୁଙ୍ଗା ନିର୍ମାଣ ପାଇଁ ପ୍ରୋତ୍ସାହନ ଦିଆଯିବ |

ଏହି କ୍ରମରେ ଏବେ ଏସଏଚଜି ସଦସ୍ୟାମାନେ ଏବେ ଶାଳ ପତ୍ରରେ ଖଲି ଓ ଠୁଙ୍ଗା ପ୍ରସ୍ତୁତ କରିବାର ପ୍ରୟାସରେ ଲାଗିପଡିଛନ୍ତି | ବଡ କଥା ହେଉଛି ଯେ ଏହା ଦ୍ୱାରା କେବଳ ପରିବେଶ ପ୍ରଦୂଷଣ ହେବାରୁ ରୋକାଯିବନି ବରଂ ନିଯୁକ୍ତି ଓ ରୋଜଗାର ମଧ୍ୟ ସୃଷ୍ଟି କରାଯାଇପାରିବ |

ଏଠାରେ ସୂଚନା ଥାଉ କି ପୂର୍ବରୁ ଜଙ୍ଗଲରୁ ଶାଳପତ୍ର ସଂଗ୍ରହ କରୁଥିବା ଶ୍ରମିକମାନଙ୍କୁ କ୍ୱଇଣ୍ଟାଲ ପିଛା ୮୬ଟଙ୍କା ସରକାରଙ୍କୁ ରୟାଲଟି ଦେବାକୁ ପଡୁଥିବାବେଳେ ଜାନୁୟାରୀ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାଳପତ୍ର ଉପରେ ଲାଗୁ ହୋଇଥିବା ରୟାଲିଟିକୁ ଛାଡ଼ କରିଥିଲେ | ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ‘ମନ୍‌ କୀ ବାତ୍‌‌’ କାର୍ଯ୍ୟକ୍ରମ ମାଧ୍ୟମରେ ୨ ଅକ୍ଟୋବରଠାରୁ ଦେଶରେ ପ୍ଲାଷ୍ଟିକ୍‌ ବ୍ୟବହାର ବିରୋଧରେ ଏକ ଜନ ଆନ୍ଦୋଳନ ଆରମ୍ଭ କରାଯିବା ନେଇ କହିଥିଲେ ।

ସମ୍ବନ୍ଧିତ ଖବର