ହାଇକୋର୍ଟଙ୍କ ବିନା ଅନୁମତିରେ ଖାଲି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବନାହିଁ

ରେଲୱେ କ୍ଲେମ୍ସ୍‌ ଟ୍ରିବ୍ୟୁନାଲରେ ବିଚାରବିଭାଗୀୟ ସଦସ୍ୟ ନିଯୁକ୍ତି ପ୍ରସଂଗ

କଟକ : ରେଲୱେ କ୍ଲେମ୍ସ୍‌ ଟ୍ରିବ୍ୟୁନାଲରେ ୨୦୨୦, ମେ ୧୧ରେ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ନିଯୁକ୍ତ ହେବାକୁ ଥିବା ବିଚାରବିଭାଗୀୟ ସଦସ୍ୟଙ୍କ ନିଯୁକ୍ତିର ଭବିଷ୍ୟତ ହାଇକୋର୍ଟରେ ବିଚାରାଧୀନ ମାମଲାର ଚୂଡାନ୍ତ ରାୟ ଉପରେ ନିର୍ଭର କରିବ। ଏହି ପଦ ପାଇଁ ମନୋନୀତ ପ୍ରାର୍ଥୀଙ୍କୁ ପ୍ରଦାନ କରାଯିବାକୁ ଥିବା ନିଯୁକ୍ତିପତ୍ରରେ ଏ ସଂପର୍କରେ ଉଲ୍ଲେଖ କରାଯିବ। ଏଥିସହିତ ହାଇକୋର୍ଟଙ୍କ ବିନା ଅନୁମତିରେ ଆଉ ମଧ୍ୟ କୌଣସି ବିଚାରବିଭାଗୀୟ ସଦସ୍ୟ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବନାହିଁ। ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଓ ଜଷ୍ଟିସ୍ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ରେ‌ଲୱେ କ୍ଲେମ୍ସ୍‌ ଟ୍ରିବ୍ୟୁନାଲରେ ବିଚାରବିଭାଗୀୟ ପଦ ପୂରଣ ସଂପର୍କିତ ବିଜ୍ଞପ୍ତିରେ ପ୍ରାର୍ଥୀଙ୍କ ଯୋଗ୍ୟତା ସଂପର୍କିତ ସର୍ତ୍ତକୁ ଚାଲେଞ୍ଜ କରି ଦାୟର ମାମଲାରେ ଏପରି ଅନ୍ତରୀଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଖଣ୍ଡପୀଠ ମାମଲାର ଶୁଣାଣି କରି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରାଳୟ, ରେଳ ମନ୍ତ୍ରାଳୟ, ରେଳବାଇ ବୋର୍ଡ ଓ ନୂଆଦିଲ୍ଲୀସ୍ଥିତ ରେଲୱେ କ୍ଲେମ୍ସ ଟ୍ରିବ୍ୟୁନାଲ ପ୍ରମୁଖ ଖଣ୍ଡପୀଠର ରେଜିଷ୍ଟ୍ରାରଙ୍କୁ ନୋଟିସ୍ ଜାରି କରି ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୩ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି।

ବିବରଣୀରୁ ପ୍ରକାଶ ଯେ, ରେଲୱେ କ୍ଲେମ୍ସ ଟ୍ରିବ୍ୟୁନାଲରେ ଖାଲି ଥିବା ୧୫ଟି ବିଚାରବିଭାଗୀୟ ସଦସ୍ୟ ପଦ ପୂରଣ ପାଇଁ ୨୦୨୦, ମେ୧୧ରେ ରେଲୱେ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ‌ ଏହି ନିଯୁକ୍ତି ବିଜ୍ଞପ୍ତିକୁ ରଦ୍ଦ କରାଯାଉ ଦର୍ଶାଇ ଆଇନଜୀବୀ ବି.କେ ସିହ୍ନା ଓ ଅନ୍ୟମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର