କଟକ ଜିଲ୍ଲାରେ ‌କରୋନା ଟିକା ନ ନେଲେ ସ୍ବାସ୍ଥ୍ୟକର୍ମୀ-ଅଙ୍ଗନବାଡ଼ି କର୍ମଚାରୀଙ୍କ ଦରମା ‌ବନ୍ଦ

କଟକ: ଟିକା ନ ନେଲେ ଦରମା ବନ୍ଦ ହୋଇଯିବ। ଏଭଳି ଅଦ୍ଭୁତ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ। ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ି କର୍ମୀ କୋଭିଡ ଟିକାନେବାକୁ ବାଧ୍ୟ ହେବେ ବୋଲି ସେ କହିଛନ୍ତି। ଯଦି ସେମାନେ ଆସନ୍ତା ୧୦ ତାରିଖ ସୁଦ୍ଧା କରୋନା ଟିକା ନ ନେବେ, ତା’ହେଲେ ଦରମା ବନ୍ଦ ହୋଇଯିବ। ରାଜ୍ୟରେ କୋଭିଡ ଟିକାକରଣରେ କଟକ ଜିଲ୍ଲା ପଛରେ ରହିଛି। ଏହା ଜିଲ୍ଲାପାଇଁ ଅପମାନର ବିଷୟ ବୋଲି ସେ କହିଛନ୍ତି। ଟିକାକରଣ ନେଇ ଜିଲ୍ଲାପାଳ କଟକ ମହାନଗର ନିଗମ ଓ ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି।

ସୂଚନାଯୋଗ୍ୟ, କରୋନା ଭାଇରସ ମହାମାରୀ ଯୋଗୁଁ ରାଜ୍ୟରେ ଏପର୍ଯ୍ୟନ୍ତ ୩ ଲକ୍ଷ ୩୫ ହଜାର ୪୬୬ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏଥିରୁ ୩ ଲକ୍ଷ ୩୨ ହଜାର ୬୧୧ ଜଣ ସୁସ୍ଥ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୧୯୦୮ ଜଣଙ୍କର ମୃତ୍ୟୁ ହୋଇଛି। ଏବେ ବି ରାଜ୍ୟରେ ୮୯୪ ଜଣ ଲୋକ ସକ୍ରିୟ ଆକ୍ରାନ୍ତ ହୋଇଛନ୍ତି। ‌କରୋନା ଭାଇରସ ମହାମାରୀ ଲାଗି ଖୋର୍ଦ୍ଧା ପରେ କଟକ ଜିଲ୍ଲା ଦ୍ବିତୀୟ ସର୍ବାଧିକ ପ୍ରଭାବିତ ହୋଇଛି। କଟକ ଜିଲ୍ଲାରେ ମୋଟ ୨୯ ହଜାର ୬୩ ଜଣ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୮ ହଜାର ୮୨୬ ଜଣ ସୁସ୍ଥ ହୋଇଛନ୍ତି। ଜିଲ୍ଲାରେ ମୋଟ ୧୪୨ ଜଣ କରୋନା ଯୋଗୁଁ ପ୍ରାଣ ହରାଇଛନ୍ତି। ଏବେବି କଟକ ଜିଲ୍ଲାରେ ୯୧ ଜଣ ସକ୍ରିୟ ଆକ୍ରାନ୍ତ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ମୋଟ ୫୩ ହଜାର ୭୯ ଜଣ ଲୋକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୫୨ ହଜାର ୬୭୪ ଜଣ ସୁସ୍ଥ ହୋଇଥିବା ବେଳେ ୩୩୫ ଜଣଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର