ଗାଡ଼ି ନମ୍ବରକୁ ନେଇ ତଞ୍ଚକତା: ଯେଉଁଠି ଗାଡ଼ି ନାହିଁ ସେଠାରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ପାଇଁ କଟିଲା ଚାଲାଣ

ସିମୁଳିଆ: ଯେଉଁଠି ଗାଡ଼ି ନାହିଁ ସେଠାରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ପାଇଁ ମାଲିକଙ୍କ ନାମରେ ଚାଲାଣ କଟିଛି। ସିମୁଳିଆ ଥାନା ମାର୍କୋଣା ଗ୍ରାମର ଗୌରାଙ୍ଗ ଚନ୍ଦ୍ର ବେହେରାଙ୍କ ଅଭିଯୋଗ ମୁତାବକ, ଗତ ୧୭ ତାରିଖରେ ସେ ତାଙ୍କ ଗାଡ଼ି (ଓଡି୦୨-ବିୟୁ-୧୫୨୩)ରେ କଟକ ଯାଉଥିଲେ। ଅପରାହ୍ନ ୫ଟା ୪୨ ମିନିଟ୍‌ରେ ପାଣିକୋଇଲି ଟୋଲ୍‌ ଗେଟ୍‌ ଅତିକ୍ରମ କରିବା ପରେ ତାଙ୍କ ଟୋଲ୍‌ ଚାର୍ଜ ଆକାଉଣ୍ଟରୁ ୧୩୫ ଟଙ୍କା କଟିଥିଲା। ଏ ନେଇ ମୋବାଇଲ୍‌କୁ ମେସେଜ୍‌ ମଧ୍ୟ ଆସିଥିଲା।

ଦୁଇ ଦିନ ପରେ ଗୌରାଙ୍ଗଙ୍କ ପାଖକୁ ସମ୍ବଲପୁର ଜିଲ୍ଲା ଯୁଯୁମରା ଟ୍ରାଫିକ୍‌ ପୁଲିସ ସବ୍‌ଇନ୍‌ସପେକ୍ଟର ରାଜକୁମାର ବିଶ୍ୱାଳଙ୍କଠାରୁ ୨ ହଜାର ଟଙ୍କାର ଫାଇନ୍‌ ବାବଦରେ ପୁଣି ଏକ ଚାଲାଣ ଆସିଥିଲା। ଯେଉଁଥିରେ ୧୭.୧୦.୨୨ ଅପରାହ୍ନ ୫ଟା୪୯ ମିନିଟ୍‌ରେ ତାଙ୍କ ଗାଡ଼ିର ଡ୍ରାଇଭର ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିଥିବା ଉଲ୍ଲେଖ ରହିଥିଲା। ଉକ୍ତ ତାରିଖରେ ଗାଡ଼ି କଟକ ଯାଉଥିବା ବେଳେ ଯୁଯୁମୁରାରେ କିପରି ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ହେଲା, ସେ ନେଇ ଗୌରାଙ୍ଗ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ତାଙ୍କ ଗାଡ଼ି ନମ୍ବରକୁ ନେଇ ତଂଚକତା ହୋଇଥିବା ସଂପର୍କରେ ସେ ଟ୍ରାଫିକ ପୁଲିସ ଓ ସମ୍ବଲପୁର ଏସ୍‌ପିଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି। ହେଲେ ଏଯାଏ କିଛି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର