ଭୁବନେଶ୍ୱର/କଟକ: କେନ୍ଦ୍ର ସରକାରଙ୍କ ଦମନକାରୀ ନୀତି ପ୍ରତିବାଦରେ ବିରୋଧରେ ବାମଦଳ ଓ ଶ୍ରମିକ ସଂଗଠନ ପକ୍ଷରୁ ଆଜି ‘ଭାରତ ବନ୍ଦ’ ପାଳନ କରାଯାଉଛି । ଦେଶ ସମେତ ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ସାରାରାଜ୍ୟରେ ଗମନାଗମନ ଏକ ପ୍ରକାର ଠପ୍ ହୋଇଯାଇଛି। ସାରା ଦେଶରେ ଆରମ୍ଭ ହୋଇ ଯାଇଥିବା ଭାରତ ବନ୍ଦ ଆସନ୍ତାକାଲି ସକାଳ ୬ଟା ଯାଏଁ ଜାରି ରହିବ । ଏହି ଭାରତବନ୍ଦକୁ ସମର୍ଥନ ଦେଇଛି କଂଗ୍ରେସ । ତେବେ ବନ୍ଦରୁ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଆଜି ରାଜ୍ୟର ଅଧିକାଂଶ ସ୍କୁଲ କଲେଜ ଛୁଟି ଘୋଷଣା କରାଯାଇଛି ।
ରାଜଧାନୀର ମାଷ୍ଟର କ୍ୟାଂଟିନ, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ସତସଙ୍ଗ ବିହାର ଭଳି ପ୍ରମୁଖ ସ୍ଥାନମାନଙ୍କରେ ଆନ୍ଦୋଳନକାରୀମାନେ ପିକେଟିଂ କରି ରାସ୍ତାରୋକ କରିଛନ୍ତି। ବରମୁଣ୍ଡା ବସଷ୍ଟାଣ୍ଡରେ ବସ ଚଳାଚଳ ବନ୍ଦ ରହିଥିବାରୁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସବୁଆଡେ ରାସ୍ତା ଖାଁ ଖାଁ ହୋଇଯାଇଛି। ବିକ୍ଷୋଭକାରୀମାନେ ବନ୍ଦକୁ ସଫଳ କରିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାୟାର ଜାଳି ରାସ୍ତାରୋକ କରିଛନ୍ତି। କଟକରେ ମଧ୍ୟ ଅନୁରୂପ ଭାବେ ବନ୍ଦ ପାଳନ କରାଯାଇଛି।
ବାଦାମବାଡିରେ ବସ, ଅଟୋ, ଟ୍ୟାକ୍ସି ଚଳାଚଳ ବନ୍ଦ ରହିଛି। ଗାଡି ଚଳାଚଳ ଓ ଯାତାୟତ ଏକପ୍ରକାର ଠପ୍ ହୋଇଯାଇଛି। ସେହିପରି କଟକ ରେଳଷ୍ଟେସନରେ ଏଆଇଡିଏସଓ ପକ୍ଷରୁ ରେଳରୋକ କରାଯାଇଛି। ତେବେ ବନ୍ଦ ପାଳନରୁ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି। ଔଷଧ ଦୋକାନ, ଆମ୍ବୁଲାନ୍ସ, ପରୀକ୍ଷାର୍ଥୀ ଓ କ୍ଷୀର ଗାଡ଼ି ପ୍ରଭାବିତ ହେବ ନାହିଁ ବୋଲି ସଂଗଠନଗୁଡ଼ିକ ପକ୍ଷରୁ କୁହାଯାଇଛି । ଆଜି ସକାଳ ୬ଟାରୁ ଆନ୍ଦୋଳନକାରୀମାନେ ବାଦାମବାଡ଼ି ଓ ଲିଙ୍କରୋଡରେ ପିକେଟିଂ ଆରମ୍ଭ କରିଛନ୍ତି । ଆସନ୍ତାକାଲି ସକାଳ ୬ଟା ଯାଏଁ ବନ୍ଦର ପ୍ରଭାବ ଅନୁଭୂତ ହେବ। ବିଶେଷ କରି ଭାରତବନ୍ଦକୁ କଂଗ୍ରେସର ସମର୍ଥନ ମିଳିବା ପରେ ଏହାକୁ ସଫଳ କରିବା ପାଇଁ କଂଗ୍ରେସ ନେତାମାନେ ଜୋରସୋରରେ ଲାଗିପଡିଛନ୍ତି।