କେମିତି ହେବ ନିଶା ମାଫିଆଙ୍କ ମୁକାବିଲା?, ୧୮୭ ଅବକାରୀ ଥାନାରେ ଗାଡ଼ି ନାହିଁ
୩୯୨୫ କୋଟି ରାଜସ୍ବ ଦେଉଥିବା ବିଭାଗର ଚିତ୍ର ଏମିତି, ଅଧା କର୍ମଚାରୀରେ ଚାଲିଛି ଅଧିକାଂଶ ଥାନା
କଟକ : ୧୦୪ ବର୍ଷର ପୁରୁଣା ବିଭାଗ। ବର୍ଷକୁ ରାଜସ୍ବ ଦେଉଛି ୩ ହଜାର ୯୨୫ କୋଟି ଟଙ୍କା। କିନ୍ତୁ ରାଜ୍ୟ ସରକାରଙ୍କ ପ୍ରମୁଖ ଆୟକାରୀ ବିଭାଗ କୁହାଯାଉଥିବା ଏହି ଅବକାରୀ ବିଭାଗର ଦୁର୍ବଳ ଭିତ୍ତିଭୂମି ଚିନ୍ତାର କାରଣ ହୋଇଛି। ରାଜ୍ୟରେ ଏବେ ମୋଟ ୧୮୭ ଅବକାରୀ ଥାନା ରହିଥିଲେ ବି କୌଣସି ଥାନାରେ ପାଟ୍ରୋଲି˚ ପାଇଁ ଚାରିଚକିଆ ଗାଡ଼ି ଖଣ୍ତେ ନାହିଁ। ଚଢ଼ଉ କିମ୍ବା ଗିରଫଦାରୀ ପାଇଁ ଗାଡ଼ି ପାଇବାକୁ ଥାନା ଅଧିକାରୀ ଜିଲ୍ଲା ଅବକାରୀ ଏସ୍ପିଙ୍କୁ ଚିଠି ଲେଖନ୍ତି। ଏସ୍ପି ଅଫିସରେ ହାରାହାରି ଗୋଟିଏ କି ଦୁଇଟି ଗାଡ଼ି ରହୁଛି। ସେହି ଗାଡ଼ି ହିଁ ସବୁ ଥାନାକୁ ପାଳି କରି ଦିଆଯାଉଛି। ଏଭଳି ବିଚିତ୍ର ବ୍ୟବସ୍ଥାରେ ନିଶା ମାଫିଆଙ୍କୁ ଅବକାରୀ ଅଧିକାରୀ କିଭଳି ମୁକାବିଲା କରିବେ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟ ଅବକାରୀ ବିଭାଗ ଅଧୀନରେ ୩୧ଟି ଅବକାରୀ ଜିଲ୍ଲା, ୩ଟି ଅବକାରୀ ଗୁଇନ୍ଦା ବିଭାଗ ଏବ˚ ରାଜ୍ୟ ଫ୍ଲାଇ˚ ସ୍କ୍ବାଡ୍ ରହିଛି। ରାଜ୍ୟ ସରକାର ୨୦୦୦-୦୧ ବର୍ଷରେ ୧୦୮ କୋଟି ଟଙ୍କା ରାଜସ୍ବ ଅବକାରୀ ବିଭାଗରୁ ପାଇଥିବା ବେଳେ ୨୦୧୮-୧୯ ବର୍ଷରେ ଏହା ପହଞ୍ଚିଛି ୩ ହଜାର ୯୨୫ କୋଟି ଟଙ୍କାରେ। ୨୦୧୯-୨୦ ବର୍ଷରେ ୪ ହଜାର ୪୦୦ କୋଟି ରାଜସ୍ବ ଆଦାୟର ଲକ୍ଷ୍ୟ ରହିଛି। କିନ୍ତୁ ୧୯୧୫ରୁ ଆରମ୍ଭ ହୋଇଥିବା ଅବକାରୀ ବିଭାଗର ଭିତ୍ତିଭୂମି ସୁଧୁରୁ ନାହିଁ। ପ୍ରାୟ ୩ଟି ପୁଲିସ ଥାନା ଅଞ୍ଚଳକୁ ନେଇ ଗୋଟିଏ ଅବକାରୀ ଥାନା ଖୋଲାଯାଇଛି। କିନ୍ତୁ କୌଣସି ଥାନାରେ ଗାଡ଼ି ନାହିଁ। ପ୍ରତି ଥାନା ପାଇଁ ଜଣେ ଏସ୍ଆଇ, ୪ କନ୍ଷ୍ଟେବଳ ପଦବି ମଞ୍ଜୁର ହୋଇଥିବା ବେଳେ ଅନେକ ଥାନାରେ ଏସ୍ଆଇ ଏବ˚ କନ୍ଷ୍ଟେବଳ ପଦବି ଖାଲି ପଡ଼ିଛି। ଚଢ଼ଉ କରିବାକୁ ଏସ୍ଆଇମାନେ ନିଜ ଆଡ଼ୁ ଘରୋଇ ଗାଡ଼ିର ବ୍ୟବସ୍ଥା କରି ଅନେକ ସମୟରେ ନିଜ ପକେଟ୍ରୁ ଟଙ୍କା ଖର୍ଚ୍ଚ କରୁଛନ୍ତି। ବିଭାଗକୁ ବିଲ୍ ଯାଉଥିଲେ ସୁଦ୍ଧା ଟଙ୍କା ମିଳୁନାହିଁ। ମଦ, ଗ˚ଜେଇ ଓ ବ୍ରାଉନ୍ସୁଗାର ଚୋରା କାରବାର ରୋକିବାକୁ ବ୍ୟାପକ ଯୋଜନା କରାଯାଉଥିବା ବେଳେ ବିନା ଗାଡ଼ି ଓ ଠେଙ୍ଗାରେ ଅବକାରୀ କର୍ମଚାରୀ କିଭଳି ନିଶା ମାଫିଆଙ୍କ ମୁକାବିଲା କରିବେ ତାହାକୁ ନେଇ ପ୍ରଶ୍ନ ଉଠୁଛି।
ରାଜ୍ୟରେ ମୋଟ ୩୧୪ ବ୍ଲକରେ ଅବକାରୀ ଥାନା ଖୋଲିବାକୁ ୨୦୧୮ ଅଗଷ୍ଟରୁ ଯୋଜନା କରାଯାଇଥିଲା। ତତ୍କାଳୀନ ଅବକାରୀ କମିସନର ଦେବେନ୍ଦ୍ର ମହାପାତ୍ର ଅଧିକ ୧୨୭ଟି ଅବକାରୀ ଥାନା ଖୋଲିବା ଯୋଜନା କରିଥିଲେ। ଅବଶ୍ୟକତା ଦୃଷ୍ଟିରୁ ପ୍ରତି ଥାନାରେ ଦୁଇ ଏସ୍ଆଇ, ୮ କନ୍ଷ୍ଟେବଳ ନିଯୁକ୍ତି ପାଇଁ ସୁପାରିସ୍ କରାଯାଇଥିଲା। କିନ୍ତୁ ଆଜି ସୁଦ୍ଧା କୌଣସି ଗୋଟିଏ ବି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଏଭଳି ସ୍ଥିତିରେ ନିଶା କାରବାର ନିୟନ୍ତ୍ରଣ ପାଇଁ ସରକାରୀ ସ୍ତରରେ ରହିଥିବା ମନୋଭାବକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।