ରାଉରକେଲା: ରାଜ୍ୟରେ ଅଂଶୁଘାତ ଆଶଙ୍କାକୁ ଏଡ଼ାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଆପଣେଇବାକୁ ମାର୍ଗଦର୍ଶିକା ଜାରି କରାଯାଇଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏ ଘରୁ ନ ବାହାରିବା, ହାଲୁକା ପୋଷାକ ପିନ୍ଧିବା ଆଦି ନିୟମର କଡ଼ା ଅନୁପାଳନ କରିବାକୁ କୁହାଯାଇଛି। ବିଶେଷକରି ଯାତ୍ରୀବାହୀ ବସ୍‌ରେ ପାନୀୟ ଜଳ, ଓଆର୍‌ଏସ୍‌, ଆଇସ୍‌କ୍ୟୁବ୍‌ ଆଜି ଗଚ୍ଛିତ ରଖିବାକୁ ସ୍ପଷ୍ଟ ରଖିବାକୁ ନିର୍ଦ୍ଦେଶ  ହୋଇଛି। ବିଡ଼ମ୍ବନା, ଗୋଟିଏ ବି ସରକାରୀ କିମ୍ବା ବେସରକାରୀ ବସ୍‌ ଏହି ନିୟମର ପାଳନ କରୁନାହାନ୍ତି। ଏମିତିକି ଗାଡ଼ିଚାଳକ/କଣ୍ଡକ୍ଟର ନିୟମ ବିଷୟରେ ଅବଗତ ନଥିବା କହିଛନ୍ତି।
Advertisment
ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରିରୁ କମିବାର ନାଁ ନେଉନି। ପ୍ରବଳ ତାତି ସାଙ୍ଗକୁ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି ଜନସାଧାରଣଙ୍କୁ ନାକେଦମ କରିସାରିଲାଣି। ଏସବୁ ଭିତରେ ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ ଜନସାଧାରଣ ବସ୍‌ରେ ଗମନାଗମନ କରିବାକୁ ବାଧ୍ୟ ହେଉଛନ୍ତି। ସହର ଭିତରେ ଲୋକେ କ୍ରୁଟ୍‌ ପରିଚାଳିତ ମୋ’ବସ୍‌ରେ ଯାତାୟତ କରୁଛନ୍ତି। କିନ୍ତୁ କୌଣସି ଗାଡ଼ିରେ ନିୟମାନୁଯାୟୀ ପାଣି, ଗ୍ଲୁକୋଜ୍‌, ଆଇସ୍‌କ୍ୟୁବ୍‌ ଆଦି ରଖାଯାଉନି। ବେସରକାରୀ ବସ୍‌ରେ ସରକାରୀ ନିୟମର ଉଲ୍ଲଂଘନ କରାଯାଉଥିବାବେଳେ ସରକାରୀ ବସ୍‌ରେ ନିୟମର ଖୋଲା ଅବମାନନାକୁ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି। ସଂପ୍ରତି ରାଉରକେଲା ଓ ଆଖପାଖ ଅୖଞ୍ଚଳରେ ୩୦ରୁ ଅଧିକ ମୋ’ବସ୍‌ ଚଳାଚଳ କରୁଛି। କିନ୍ତୁ ଗୋଟିଏ ବି ବସ୍‌ରେ ନିୟମ ପାଳନ ହେଉନି। ଏନେଇ କିନ୍ତୁ ଜିଲ୍ଲା ପରିବହନ କର୍ତ୍ତୃପକ୍ଷ ଆଖିବୁଜି ଦେଇଛନ୍ତି। ପୂର୍ବଭଳି ଆଉ ଅତର୍କିତ ଯାଞ୍ଚ ହେଉନି କି ଜରିମାନା ବି ଆଦାୟ କରାଯାଉନି। ପରିବହନ କର୍ତ୍ତୃପକ୍ଷ ସବୁଜାଣି ଚୁପ୍‌ ବସିଥିବାରୁ ନିୟମ ଖିଲାପକାରୀ ବେଧଡ଼କ ନିୟମର ଉଲ୍ଲଂଘନ କରିଚାଲିଛନ୍ତି।