କୋଲାବରେ ପାଣି ନାହିଁ, ମାଛକୁଣ୍ଡ ଖାଲି

ବିଦ୍ୟୁତ୍‌ ଉତ୍ପାଦନ, ଚାଷ ପ୍ରଭାବିତ ହେବା ଆଶଙ୍କା

କୋରାପୁଟ: ଟାଇଁ ଟାଇଁ ଖରା। ମଝିରେ ମଝିରେ ଅସରାଏ କି ଦୁଇ ଅସରା ବର୍ଷା ହେଉଛି ସିନା ଲଗାଣ ବର୍ଷା ନାହିଁ। ଫଳରେ ଶ୍ରାବଣ ମାସରେ ଶୁଖିଲା ପଡିଛି ବିଭିନ୍ନ ଜଳଭଣ୍ଡାର। ଗତବର୍ଷ ତୁଳନାରେ କୋଲାବ ଜଳଭଣ୍ଡାରରେ ପ୍ରାୟ ୩ ମିଟର କମ୍‌ ପାଣି ଥିଲାବେଳେ ମାଛକୁଣ୍ଡରେ ୧୩ ଫୁଟ କମ୍‌ ପାଣି ରହିଛି। ଏହା ବିଦ୍ୟୁତ୍‌ ଉତ୍ପାଦନ ଓ ଜଳସେଚନ ଉପରେ ଗୁରୁତର ପ୍ରଭାବ ପକାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି। କୋରାପୁଟ ଜିଲ୍ଲାରେ ଜୁନ୍‌ରେ ‌ଯେମିତି ବର୍ଷା ହେବା କଥା ହୋଇ ନ ଥିଲା। ଆଶା କରାଯାଉଥିଲା, ଜୁଲାଇରେ ଭଲ ବର୍ଷିବ। କିନ୍ତୁ ଜୁଲାଇ ଶେଷ ହେବାକୁ ବସିଥିଲା ବେଳେ ଏ ପର୍ଯ୍ୟନ୍ତ ଭଲ ବର୍ଷା ନାହିଁ। ଫଳରେ, ବର୍ଷା ନ ଥିବାରୁ କୋଲାବ ଓ ମାଛକୁଣ୍ଡ ଜଳଭଣ୍ଡାର ଶୁଖିଲା ପଡିଛି। କୋଲାବ ଜଳଭଣ୍ଡାର ଉପର ଭାଗ ନନ୍ଦପୁର, ସେମିଳିଗୁଡା, ସୁନାବେଡା ଓ ଲମତାପୁଟ ଅଂଚଳରେ କମ୍‌ ବର୍ଷା ହୋଇଥିବାରୁ ଏହା ଭର୍ତି ହୋଇନି। ଆଜି ସୁଦ୍ଧା ଏଠାରେ ଜଳସ୍ତର ୮୪୭.୧୭ ମିଟର ରହିଛି। ଏହି ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୮୫୮ ମିଟର ରହିଥିଲାବେଳେ ସର୍ବନିମ୍ନ ରହିଛି ୮୪୪ ମିଟର। ଗତକାଲି ଏଠାରେ ଜଳସ୍ତର ୮୪୭.୧୯ ଥିଲା। ଆଜି ପୁଣି ଜଳପତ୍ତନ କମିଛି। ଅପରପକ୍ଷରେ ଗତବର୍ଷ ଆଜିର ତାରିଖରେ ଏଠାରେ ଜଳସ୍ତର ୮୪୯.୯୨ ମିଟର ରହିଥିଲା। ଅର୍ଥାତ ଚଳିତବର୍ଷ ପାଖାପାଖି ୩ ମିଟର କମ ପାଣି ରହିଛି।

ମାଛକୁଣ୍ଡ ଜଳଭଣ୍ଡାରର ମଧ୍ୟ ସମାନ ଅବସ୍ଥା। ଏହି ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୨୭୫୦ ଫୁଟ ରହିଥିଲାବେଳେ ସର୍ବନିମ୍ନ ରହିଛି ୨୬୮୫ ଫୁଟ। କିନ୍ତୁ ଆଜି ସୁଦ୍ଧା ଜଳସ୍ତର ୨୭୧୧.୭୦ ଫୁଟ ରହିଛି। ଗତବର୍ଷ ଆଜିର ତାରିଖ ବେଳକୁ ଏଠାରେ ଜଳସ୍ତର ୨୭୨୪.୨୦ ଫୁଟରେ ପହଞ୍ଚି ସାରିଥିଲା। କୋଲାବରେ ଗତବର୍ଷ ତୁଳନାରେ ପ୍ରାୟ ୩ ମିଟର ଓ ମାଛକୁଣ୍ଡରେ ପ୍ରାୟ ୧୩ ଫୁଟ କମ ପାଣି ରହିଛି। ତେଣୁ ଜଳ ଭଣ୍ଡାର ଭର୍ତି ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଜଳଭଣ୍ଡାର ଭର୍ତି ନ ‌ହେଲେ ବିଜୁଳି ଉତ୍ପାଦନ ଉପରେ ଗୁରୁତର ପ୍ରଭାବ ପକାଇବ। ସେହିପରି ରବି ଋତୁରେ ଚାଷ ହୋଇ ପାରିବନି। କୋଲାବ ଜଳଭଣ୍ଡାର ଉପରେ ଜୟପୁର, ବୋରିଗୁମ୍ମା ଓ କୋଟପାଡର ଚାଷୀମାନେ ନିର୍ଭର କରୁଛନ୍ତି। ଯାହାକି ଉପରେକ୍ତ ଅଞ୍ଚଳର ଚାଷୀଙ୍କୁ ସମସ୍ୟାରେ ପକାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର