ପ୍ରକଳ୍ପରୁ ପାଣି ବାହାରୁନି…, ସୂଚନାଫଳକ ନାମରେ ୮୮ଲକ୍ଷ ଖର୍ଚ୍ଚ

ଯାଜପୁର : ଯାଜପୁର ଆରଡବ୍ଲୁଏସ୍‌ଏସ୍‌ ଡିଭିଜନ(ଚଣ୍ଡିଖୋଲ)ରେ ପାନୀୟ ଜଳ ଯୋଗାଣ ନାମରେ ବ୍ୟାପକ ଦୁର୍ନୀତି ହୋଇଛି। ଲୋକେ ପ୍ରକଳ୍ପରୁ ପାଣି ପାଉନଥିବା ବେଳେ ସୂଚନାଫଳକ ଲଗାଇବା ବାବଦରେ ଖର୍ଚ୍ଚ କରାଯାଇଛି ୮୮ ଲକ୍ଷ ଟଙ୍କା। ଏଭଳି ବ୍ୟାପକ ହରିଲୁଟ୍‌ ନେଇ ସାଂଘାତିକ ତଥ୍ୟ ସମ୍ବାଦ ଅନୁସନ୍ଧାନ ଟିମ ହାତରେ ଲାଗିଛି।

ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇ ବିଶୁଦ୍ଧ ପାନୀୟ ଜଳ ଲୋକମାନଙ୍କୁ ଯୋଗାଇ ଦିଆଯାଉଛି। ଏହି ବାବଦରେ ଜନସଚେତନତା ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଥିବା ସୂଚନାଫଳକ ବାବଦରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଥିବା ସୂଚନାଫଳକରେ ‘ମୁଁ ଆଜି ବହୁତ ଖୁସି ଯେ ଆପଣଙ୍କ ଗାଁରେ ପାଇପ ଦ୍ବାରା ପାନୀୟ ଜଳ ଯୋଗାଇ ଦିଆଯାଇଛି। ବିଶୁଦ୍ଧ ପାଣି ପିଅନ୍ତୁ, ସୁସ୍ଥ ରୁହନ୍ତୁ’ ବୋଲି ଉଲ୍ଲେଖ ରହିଛି। ତେବେ ଆଶ୍ଚର୍ଯ୍ୟର ବିଷୟ କେତେକ ପ୍ରକଳ୍ପ ଅଧା ନିର୍ମାଣ ହୋଇଛି ତ କେତେକ ଅକାମୀ ହୋଇପଡିଛି। ପାଣି ବାହାରୁ ନାହିଁ। ଅଥଚ ଗ୍ରାମପଞ୍ଚାୟତ ଅଫିସ ଗୁଡିକ ପାଖରେ ୬ ଫୁଟ୍ ଲମ୍ବା ୪ ଫୁଟ ଚଉଡା ଓ ଗ୍ରାମ ଗୁଡିକରେ ୪ ଫୁଟ ଲମ୍ବା ୩ ଫୁଟ ଚଉଡାର ସୂଚନାଫଳକ ଲଗାଯାଇଛି। ଦଶରଥପୁର ବ୍ଲକ୍ ପାଲଟପୁର ଅଚଳ ପାନୀୟ ଜଳ ପ୍ରକଳ୍ପରେ ଏହି ଫଳକ ଲଗାଯାଇଥିଲା। ଲୋକମାନେ ବିରୋଧ କରିବା ପରେ ଏହି ସୂଚନାଫଳକ ହଟାଇ ଦିଆଯାଇଛି।

ସୂଚନାଫଳକ ଲଗାଇବାରେ ମଧ୍ୟ ଅନିୟମିତତା ଦେଖାଯାଇଛି। ୬ ଫୁଟ ଲମ୍ବା ୪ଫୁଟ ଚଉଡା ସୂଚନାଫଳକ ପାଇଁ ୨୩ ହଜାର ୭୪୭ ଟଙ୍କା ଓ ୪ ଫୁଟ ଲମ୍ବା ୩ ଫୁଟ ଚଉଡା ସୂଚନା ଫଳକ ପାଇଁ ୧୮ ହଜାର ୪୦ ଟଙ୍କା ବ୍ୟୟ କରାଯାଇଛି ବୋଲି ସୂଚନା ଅଧିକାର ତଥ୍ୟରେ ଦର୍ଶାଯାଇଛି। ୬ ଫୁଟ ଲମ୍ବା ୪ ଫୁଟ ଚଉଡା ସୂଚନାଫଳକ ଯାଜପୁର ବ୍ଲକରେ ୨୪ ଟି, ବିଞ୍ଝାରପୁର ବ୍ଲକରେ ୨୯ଟି, ଦଶରଥପୁର ବ୍ଲକରେ ୩୫ ଟି, ବଡ଼ଚଣା ବ୍ଲକରେ ୪୩ ଟି, ଧର୍ମଶାଳା ବ୍ଲକରେ ୪୫ ଟି, ସୁକିନ୍ଦା ବ୍ଲକରେ ୯ ଟି, କୋରେଇ ବ୍ଲକରେ ୫ଟି, ଦାନଗଦି ବ୍ଲକରେ ୧୪ଟି ଏଭଳି ଜିଲ୍ଲାରେ ୨୦୪ ଟି ଲଗାଯାଇଥିବାର ଦର୍ଶାଯାଇଛି। ଏହି ୨୦୪ ଟି ସୂଚନାଫଳକ ବାବଦରେ ୪୮ଲକ୍ଷ ୪୪ ହଜାର ୩୮୮ ଟଙ୍କା ଖର୍ଚ୍ଚ କରାଯାଇଛି। ସେହିଭଳି ୪ ଫୁଟ ଲମ୍ବା ୩ ଫୁଟ ଚଉଡା ସୂଚନା ଫଳକ ଯାଜପୁର ବ୍ଲକରେ ୧୦ଟି, ବିଞ୍ଝାରପୁର ବ୍ଲକରେ ୧୦ଟି, ଦଶରଥପୁର ବ୍ଲକରେ ୧୨ଟି, ରସୁଲପୁର ବ୍ଲକରେ ୨୦ଟି, ବରୀ ବ୍ଲକରେ ୧୮ଟି, ବଡଚଣା ବ୍ଲକରେ ୪୭ଟି, ଧର୍ମଶାଳା ବ୍ଲକରେ ୫୬ ଟି, ସୁକିନ୍ଦା ବ୍ଲକରେ ୯ଟି, କୋରେଇ ବ୍ଲକରେ ୩୦ଟି, ଦାନଗଦି ବ୍ଲକରେ ୧୦ ଟି ଏଭଳି ଭାବେ ମୋଟ ଜିଲ୍ଲାରେ ୨୨୨ଟି ଲଗାଯାଇଛି ଥିବାର ଦର୍ଶାଯାଇଛି। ଏହି ବାବଦରେ ୪୦ ଲକ୍ଷ ୪ ହଜାର ୮୮୦ ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ୨ ପ୍ରକାର ସୂଚନାଫଳକ ଲଗାଇବାରେ ୮୮ ଲକ୍ଷ ୪୯ ହଜାର ୨୬୮ ଟଙ୍କା ଜନସଚେତନତା ନାମରେ ବ୍ୟୟ କରାଯାଇଛି। ସୂଚନାଫଳକ ଲଗାଇବା ପାଇଁ ଠିକାଦାର ଚୟନରେ ବି ଅନିୟମିତା କରାଯାଇଛି ଓ ସୂଚନାଫଳକ ଦର ଧାର୍ଯ୍ୟରେ ମଧ୍ୟ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଦେଖାଦେଇଛି ବୋଲି ଅଭିଯୋଗ ହେଉଛି। ପାଣି ନଯୋଗାଇ ମିଥ୍ୟ ସୂଚନାଫଳକ ଲଗାଇବା ବାବଦରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ ହୋଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବହୁ ରହସ୍ୟ ଲୋକଲୋଚନକୁ ଆସିବ ବୋଲି ବିଭିନ୍ନ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର