ବୌଦ୍ଧ : ତିନି ସପ୍ତାହ ହେଲା ବର୍ଷା ନାହିଁ। କାଁଭାଁ କିଛି ଅଞ୍ଚଳରେ ବର୍ଷା ହେଲେ ସୁଦ୍ଧା ଧାନ ଚାଷରେ ଲାଗି ପାରୁ ନାହିଁ। ଧାନଗଛର ଗର୍ଭଣୀ ହେବା ସମୟରେ ଜମିରେ ପାଣି ଜମା ହୋଇ ରହିବା ନିହାତି ଜରୁରୀ। ହେଲେ ଜମିରେ ପାଣି ନାହିଁ। ଧାନଗଛ ବଞ୍ଚି ରହିଥିଲେ ସୁଦ୍ଧା ଧାନରେ ମଞ୍ଜି ହେବା ନେଇ ଆଶଙ୍କା ରହିଛି।
ଖରିଫ ଋତୁ ଆରମ୍ଭରେ ବର୍ଷା ଅଭାବ ଯୋଗୁଁ ଚାଷ ବିଳମ୍ବ ହୋଇଥିବା ବେଳେ ଖର୍ଚ୍ଚାନ୍ତ ହେବା ପରେ ଏବେ କେବଳ ପାଳ ମିଳିବ ବୋଲି ଚାଷୀମାନେ ମତପ୍ରକାଶ କରିଛନ୍ତି। କିଛି ଦିନ ବର୍ଷା ନହେଲେ ମରୁଡ଼ି ପରିସ୍ଥିତି ଦେଖାଦେବା ଆଶଙ୍କା କଲେଣି ଚାଷୀ। ଏଭଳି ସ୍ଥିତି ସଦର ବ୍ଲକ୍ ଅନ୍ତର୍ଗତ ବାଉଁଶୁଣୀ ପଞ୍ଚାୟତ ଅଞ୍ଚଳରେ ଦେଖା ଦେଇଛି। ଜଳସେଚନ ବିଭାଗ ମଧ୍ୟ ଚାଷୀଙ୍କ ସହ ଖେଳ ଖେଳୁଛି। କେନାଲ ପରିଷ୍କାର କରି ନାହିଁ କି ମରାମତି ମଧ୍ୟ କରିନାହିଁ। ଅପାରଗତା ଲୁଚାଇବାକୁ କେନାଲରେ ପାଣି ଛାଡ଼ିବା ବନ୍ଦ କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ ପାଲଝାରରେ ଥିବା ସାଲୁଙ୍କି ଜଳସେଚନ ପ୍ରକଳ୍ପରୁ ବାମ ଓ ଡାହାଣ କେନାଲ ମାଧ୍ୟମରେ ଜଳ ଯୋଗାଣ ହୁଏ। ଖରିଫ ଋତୁରେ ଧାନ ଚାଷକୁ ମରୁଡ଼ିରୁ ରକ୍ଷା କରିବା ପାଇଁ ଏହାର ପରିକଳ୍ପନା। ବାଉଁଣୁଣୀ ପଟକୁ ଯାଇଥିବା ମୁଖ୍ୟ କେନାଲର ବହିରା ଶାଖା କେନାଲ ଦେଇ ସାନଝାରକଟା, ବଡ଼ଝାରକଟା, ବ୍ରାହ୍ମଣୀ, ବହିରା, ପୁରୁଣାବହିରା, ତେନ୍ତୁଳିପାଲି, କଣ୍ଠା, ଗଜରାଜପୁର ଓ ଅଁଳାପାଲି ଗ୍ରାମର ଚାଷ ଜମିକୁ ପାଣି ମାଡଡ଼େ। ସାହୁପଡ଼ା କେନାଲ ଖର୍ଜାପଦର, ବାଦିକଟା, ସାହୁପଡ଼ା, ଦନ୍ତାପାଲି, ଗୁଡ଼ପଡ଼ା, ଟାଟରକିଲା ଓ ହିଲୁଙ୍ଗକୁ ସଂଯୋଗ କରିଛି। ଗୁଡ଼ପଡ଼ା କେନାଲରୁ ଗୁଡ଼ପଡ଼ା, ବାଦିକଟା ଓ ସିଙ୍ଗପାଲି, ମୁଖ୍ୟ କେନାଲରୁ ଟାଲୁପାଲି, ପଞ୍ଚୁପାଲି, ଜମଘାଟି, ଛେଲବାହାଲ, ବାଉଁଶୁଣୀ କେନାଲରୁ ବୈଦ୍ୟନାଥପୁର, ମାଉଳିମୁଣ୍ଡା, ଛେଲବାହାଲର କିଛି ଅଂଶ, ଟିକ୍ରାପଡ଼ା, ମାଳିସାହି, ବାଉଁଶୁଣୀ, ଗଡ଼ଭିତର ଓ ଡିମିରିପାଲି କେନାଲରୁ କେବଳ ଏହି ଗାଁକୁ ପାଣି ମାଡ଼ିଥାଏ। ପ୍ରତିବର୍ଷ ଜୁଲାଇ ୧୫ ତାରିଖ ସୁଦ୍ଧା କେନାଲରେ ପାଣି ଛଡ଼ା ଯାଇଥାଏ। ପାଣିର ସୁଗମ ପ୍ରବାହ ପାଇଁ ପୂର୍ବରୁ କେନାଲଗୁଡ଼ିକରେ ଉଠିଥିବା ଅନାବନା ଘାସ, ଲତା ପରିଷ୍କାର ହୁଏ। ନଷ୍ଟ ହୋଇଥିବା ଅଂଶ ମରାମତି କରାଯାଏ। ଚଳିତ ବର୍ଷ ବିଭାଗ ପକ୍ଷରୁ ଜଳ ଯୋଗାଣ ପାଇଁ ପୂର୍ବ ପ୍ରସ୍ତୁତି କରାଯାଇ ନାହିଁ। ଫଳରେ ଚାଷୀଙ୍କ ମଧ୍ୟରେ ଆରମ୍ଭରୁ ଜଳ ଯୋଗାଣ ହେବା ନେଇ ଆଶଙ୍କା ଦେଖା ଦେଇଥିଲା।
ଚାଷୀଙ୍କ ବାରମ୍ବାର ଦାବିକୁ ବିଭାଗ ଅଣଦେଖା କରିଥିବା ଅଭିଯୋଗ ହୋଇଛି। ସେପଟେ ଆଷାଢ଼ରେ ଠିକ୍ ଭାବରେ ବର୍ଷା ନହେବାରୁ ଚାଷ ଦେଢ଼ମାସ ବିଳମ୍ବ ହୋଇଥିଲା। ବର୍ଷା ନହେବାରୁ ସାଲୁଙ୍କି ନଦୀ ଗର୍ଭ ଶୁଖିଲା ରହିଥିଲା। ବର୍ଷା ହେବା ପରେ ସାଲୁଙ୍କି ପ୍ରକଳ୍ପରୁ ଜଳ ଯୋଗାଣ ଆରମ୍ଭ ହୋଇଥିଲେ ସୁଦ୍ଧା ବାଉଁଶୁଣୀ ପଟକୁ ଯାଇଥିବା କେନାଲରେ ପାଣି ଛଡ଼ା ଯାଇ ନାହିଁ। କାଗଜପତ୍ରରେ ଜଳସେଚିତ ଜମିର ମାଲିକ ଏବେ ବର୍ଷାକୁ ଚାତକ ପକ୍ଷୀ ଭଳି ଚାହିଁ ରହିଛନ୍ତି। ଜଳ ଯୋଗାଣ ଦାବିରେ ଅଞ୍ଚଳର ଚାଷୀ ପ୍ରତିନିଧିମାନେ ଗୁରୁବାର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଛନ୍ତି।